www.samajalive.in
Sunday, December 7, 2025
23.1 C
Bhubaneswar

ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ମୁଖ୍ୟ ସଚିବଙ୍କ ସମୀକ୍ଷା: ହନୁମାନ ଜୟନ୍ତୀ ପାଳନ ଲାଗି କଡ଼ା ସୁରକ୍ଷା

ଭୁବନେଶ୍ବର : ଆଜି ସାରା ରାଜ୍ୟରେ ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଳିତ ହେବାକୁ ଯାଉଛି। ଏହି ପର୍ବ ଶୃଙ୍ଖଳିତ ଭାବେ ପାଳନ ଉପଲକ୍ଷେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟ ଠାରେ ମୁଖ୍ୟ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ସମ୍ବେଦନଶୀଳ ଜିଲାରେ ବ୍ୟାପକ ପୁଲିସ ବଳ ମୁତୟନ କରାଯିବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ସମ୍ବଳିତ ସିସିଟିଭି କ୍ୟାମେରା ଲଗାଯିବା ଉପରେ ଗୁରୁତ୍ବ ଦିଆଯାଇଛି। ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଯୋଗ ଦେଇଥିଲେ। ଡିଜିପି ଶ୍ରୀ ଖୁରାନିଆ ସମ୍ବେଦନଶୀଳ ଜିଲା ଗୁଡ଼ିକରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରିବାକୁ ନିର୍ଦେଶ ଦେଇଥିଲେ। ସଦାସର୍ବଦା ସତର୍କତା ଏବଂ ଯେକୌଣସି ପ୍ରକାର ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବା ସହ ଏଥିନିମନ୍ତେ ତୁରନ୍ତ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପରାମର୍ଶ ଦେଇଥିଲେ। ବିଶେଷକରି ସାମାଜିକ ଗଣମାଧ୍ୟମରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ପ୍ରଘଟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିନିମନ୍ତେ ଜିଲାଗୁଡ଼ିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ବାରା ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ଡିଜିପି ନିର୍ଦେଶ ଦେଇଥିଲେ। ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନରେ ପୁଲିସ ପାଟ୍ରୋଲିଂ, ସନ୍ଦିଗ୍ଧ ଗାଡ଼ି, ମଦ୍ୟପାନ କରି ଗାଡ଼ି ଚାଳନା, ଚୋରା ମଦ ବିକ୍ରି ଉପରେ କଡ଼ାକଡ଼ି ଯାଞ୍ଚ, ଶୋଭାଯାତ୍ରା ଉପରେ କଟକଣା, ସହରର ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ସିସିଟିଭି ଲଗାଇବା, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ମିଳିତ ସିସିଟିଭି କ୍ୟାମେରା ସ୍ଥାପନ, ଗୁଇନ୍ଦା ସୂଚନା ସଂଗ୍ରହ, ଶାନ୍ତି କମିଟି ଗଠନ ସହ ବିଭିନ୍ନ ଗୋଷ୍ଠୀଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ସୁସମ୍ପର୍କ ସ୍ଥାପନ, ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଗୁଜବକାରୀଙ୍କୁ ଚିହ୍ନଟ, ପଦଯାତ୍ରା ଏବଂ ବାଇକ ରାଲି ସମୟରେ ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ ଲାଗି ସମସ୍ତ ଜିଲାର ଏସପି ତଥା ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଡିଜିପି ନିର୍ଦେଶ ଦେଇଥିଲେ। ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦେଶ ଦେଇଛନ୍ତି। ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସାଧାରଣ ଲୋକ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଗୁରୁତ୍ବ ଦେଇଥିଲେ। ପର୍ବପର୍ବାଣୀର ଶାନ୍ତିପୂର୍ଣ୍ଣ ତଥା ଶୃଙ୍ଖଳିତ ପାଳନ ନିମନ୍ତେ ମୁଖ୍ୟ ସଚିବ ଓ ଡିଜିପି ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମୁଖ୍ୟ ସଚିବ ଶ୍ରୀ ଆହୁଜା ବିଗତ ଦିନରେ ଶ୍ରୀରାମ ନବମୀକୁ ସାରା ରାଜ୍ୟରେ ଶୃଙ୍ଖଳିତ ଭାବେ ପାଳନ କରାଯାଇଥିବାରୁ ପୁଲିସ ବିଭାଗକୁ ସାଧୁବାଦ ଜଣାଇଥିଲେ। ସମ୍ବେଦନଶୀଳ ସ୍ଥାନରେ ପୁଲିସ ମୁତୟନ ଏବଂ ସଠିକ କାର୍ଯ୍ୟାନୁଷ୍ଠାନ ଫଳରେ ନିର୍ବିଘ୍ନରେ ଶ୍ରୀରାମ ନବମୀ ପାଳିତ ହୋଇଥିବାରୁ ଖୁସିବ୍ୟକ୍ତ କରିଥିଲେ। ସେହିପରି ହନୁମାନ ଜୟନ୍ତୀକୁ ମଧ୍ୟ ଶୃଙ୍ଖଳିତ ଭାବେ ପାଳନ କରାଯିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ଆଜିର ବୈଠକରେ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଆଇଜି (ଗୁଇନ୍ଦା) ଜୟନାରାୟଣ ପଙ୍କଜଙ୍କ ସମେତ ରାଜ୍ୟ ଗୁଇନ୍ଦା ନିର୍ଦେଶକ ଆର୍ ପି କୋଚେ, ସମସ୍ତ ରେଞ୍ଜର ଆଇଜି, ଡିଆଇଜି, ସମସ୍ତ ଜିଲାପାଳ ଓ ଏସପି ପ୍ରମୁଖ ଆଭାସି ମାଧ୍ୟମରେ ଉପସ୍ଥିତ ଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories