କଲ୍ୟାଣସିଂହପୁର : ସରକାରୀ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଆଜି ଶ୍ରୀହୀନ ହୋଇପଡିଛି ରାୟଗଡ଼ା ଜିଲ୍ଲାର ସର୍ବ ପୁରାତନ ସରକାରୀ କୃଷି ଫାର୍ମ। ଏହି ଫାର୍ମକୁ ସରକାର ଚାଷୀର ବୈଧିକ ବିକାଶ ଓ ଚିନ୍ତାଧାରା ବଦଳାଇବା ପାଇଁ ରାଜ୍ୟ ଓ ବାହାର ରାଜ୍ୟରୁ ଚାଷୀଙ୍କୁ ପରିଦର୍ଶନରେ ଆଣି ଶିକ୍ଷା ଦେଉଥିଲେ। ଲୋକେ ଶିକ୍ଷା ଗ୍ରହଣ କରି ଲାଭବାନ ମଧ୍ୟ ହେଉଥିଲେ। ଏହି କୃଷି ଫାର୍ମରେ ଏକଇଶି ଏକରରୁ ଅଧିକ ଜମିରେ ଧାନ ଚାଷ ହେଉଛି। ଏଠାରେ ଥିବା କର୍ମଚାରୀଙ୍କ ଇଚ୍ଛା ନଥିବାରୁ କିଛି ଜମି ପଡିଆ ପଡୁଥିବା ଦେଖିବାକୁ ମିଳିଛି। ଦିନକୁ ଦିନ ଧାନର ଚାହିଦା ବୃଦ୍ଧି ପାଇଛି କିନ୍ତୁ ଇଚ୍ଛା ଶକ୍ତିର ଅଭାବ ରହିଛି ଯାହାଫଳରେ ଧାନର ଉତ୍ପାଦନ କ୍ଷମତା କମିବାରେ ଲାଗିଛି। ସେହିପରି ଉଦ୍ୟାନ କୃଷି ବଦଳରେ କପା ଚାଷ କରାଯାଉଛି । କପା କେତେ ହେଉଛି ବିକ୍ରି ପରେ ଉକ୍ତ ଟଙ୍କାର ହିସାବ ମିଳୁନି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଉଦ୍ୟାନ କୃଷି ପାଇଁ ସରକାର ବିଭିନ୍ନ ଯୋଜନା ଆରମ୍ଭ କରି ଚାଷୀଙ୍କ ଅର୍ଥକୁ ଦୁଇଗୁଣ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏଠାରେ ବ୍ୟତିକ୍ରମ ହୋଇଛି। ଚାଷୀଙ୍କ ନିମନ୍ତେ ଆସୁଥିବା ଜିନିଷ ଗୁଡିକ ଖତ ଖାଉଛି । ବର୍ଷ ବର୍ଷ ଧରି ନଡିଆ ଗଛକୁ ରକ୍ଷଣା ବ୍ୟକ୍ଷଣ ହୋଇ ନଥିବାରୁ ଭଲ ଫଳ ମଧ୍ୟ ଦେଉ ନାହିଁ। ଏହି କୃଷି ଫାର୍ମରେ ବ୍ଳକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ବିକାଶ ହେବାର ନା ନେଉନି। କାର୍ଯ୍ୟାଳୟରେ ଠିକ ରୂପେ କର୍ମଚାରୀ ରହୁନଥିବା କି ଠିକ ଭାବେ ଆସୁନଥିବାରୁ ଚାଷୀ ବିଭିନ୍ନ ପରାମର୍ଶରୁ ବଞ୍ଚିତ ହେଉଛନ୍ତି ।
କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନତା ସୃଷ୍ଟି କରିବା ଆଦୌ ହେଉନଥିବାରୁ ଚାଷୀମାନର ଚାଷ କାମ ଛାଡି ଦାଦନ ଚାଲି ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। କୃଷକ ସାଥୀଙ୍କୁ ଆଜିଯାଏ ଗାଁ ଗଣ୍ଡାର ଚାଷୀମାନେ ଚିହ୍ନି ପାରୁନାହାନ୍ତି। ଏହି ଫାର୍ମରେ କୋଠା ମାନ ନିର୍ମାଣ ହେଉଥିଲେ ମଧ୍ୟ ଅତି ନିମ୍ନମାନର କାର୍ଯ୍ୟ ହୋଇଥବା ଅଭିଯୋଗ ହୋଇଛି। ୬୫ଲକ୍ଷ ଟଙ୍କା ବ୍ୟୟ କରି ପାଚେରୀ ନିର୍ମାଣ କରାଯାଇଛି କିନ୍ତୁ ଚାଷୀଙ୍କ ଉନ୍ନତି ହୋଇପାରୁନାହିଁ । ବିଭିନ୍ନ ସମୟରେ ଚାଷୀ ରୋଗ ପୋକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟା ପାଇଁ ଆସିଲେ କାର୍ଯ୍ୟାଳୟରେ କେହି ରହୁ ନଥିବାରୁ ନିରାଶରେ ଫେର ଯାଉଥିବା ଦେଖିବାକୁ ମିଳିଛି। ସରକାରଙ୍କ ବିଭିନ୍ନ ଯୋଜନାରେ ଇନ ପୁଟ ସବ୍ସିଡି ଚାଷୀଙ୍କୁ ମିଳୁନଥିବାରୁ ଚାଷ ପ୍ରତି ମୁହଁ ଫେରାଉଛନ୍ତି ଚାଷୀ। ଉକ୍ତ କୃଷି ଫାର୍ମକୁ ପୁନର୍ଜୀବିତ କରିବା ସହ ଚାଷୀଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇବା ସହ ଅଧିକାରୀ ଓ କର୍ମଚାରୀ ମରେ ଚାଷୀଙ୍କ ସମ୍ପର୍କରେ ଆସିବା ଜରୁରୀ ହୋଇ ପଡିଛି। ଏଣୁ ଜିଲାପାଳ ଦୃଷ୍ଟି ଦେଇ ଚାଷୀଙ୍କ ହିତରେ କୃଷି ଫାର୍ମକୁ ଚାଷୀଙ୍କ ଉଦ୍ଦେଶ୍ୟରେ ଲଗାଇବା ପାଇଁ ଦାବି ହୋଇଛି।



