ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଲଗାମ ଆତଙ୍କୀ ଆକ୍ରମଣ ପରବର୍ତ୍ତୀ ପଦକ୍ଷେପ ନେଇ ଦେଶର ସୁରକ୍ଷା ଅଧିକାରୀ ମାନଙ୍କ ସହ ମଙ୍ଗଳବାର ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍ ଅନିଲ ଚୌହାନ, ୩ ବାହିନୀର ସେନାଧ୍ୟକ୍ଷ ଉପସ୍ଥିତ ଥିଲେ ।
ବୈଠକ ପ୍ରାରମ୍ଭରେ ୩ ସେନାଧ୍ୟକ୍ଷ ସାମ୍ପ୍ରତିକ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କୁ ସବିଶେଷ ସୂଚନା ପ୍ରଦାନ କରିଥିବା ଜଣାପଡିଛି । ବୈଠକରେ ପ୍ରଧାନମନ୍ତ୍ରୀ ଦେଶର ଆତଙ୍କୀ ନିରୋଧୀ ଅଭିଯାନକୁ ପୁର୍ଣ୍ଣ ରୂପ ଦେବା ପାଇଁ ୩ ସେନାକୁ ଦାୟିତ୍ବ ଦେଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । ଗତ ୨ ଦିନ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ପହଲଗାମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଚାଲିଥିବା ସୁରକ୍ଷା ସ୍ଥିତି ଓ ସେନା ଅଭିଯାନ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରାୟ ଦେଢ ଘଣ୍ଟାର ବୈଠକରେ ଆଗାମୀ ରଣନୀତି ନେଇ ବିଚାର ବିମର୍ଷ କରାଯାଇଥିବା ଆକଳନ କରାଯାଉଛି । କୌଣସି ବି ପଦକ୍ଷେପ ପାଇଁ ସେନାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିବା ସହ ୩ ସେନା ମିଳିତ ନିଷ୍ପତ୍ତି ନେବେ ବୋଲି ପ୍ରଧାନମନ୍ତ୍ରୀ କହିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ୨୨ ଏପ୍ରିଲରେ ପହଲଗାମରେ ଆତଙ୍କୀ ଆକ୍ରମଣରେ ୨୬ ଜଣ ନୀରିହ ଲୋକଙ୍କ ଜୀବନ ଯିବା ସହ ଅନେକ ଲୋକ ଆହତ ହୋଇଥିଲେ । ଆକ୍ରମଣ ପରଠୁ ଘାଟୀରେ ସୁରକ୍ଷା ଏଜେନ୍ସିକୁ ହାଇ ଆଲର୍ଟରେ ରଖାଯାଇଛି ।



