୧୧୪ ଯୁଦ୍ଧ ବିମାନ ତିଆରି ପାଇଁ ଟେଣ୍ଡର ଆହ୍ୱାନ
ନୂଆଦିଲ୍ଲୀ : ବାୟୁସେନା ୧୧୪ଟି ଯୁଦ୍ଧ ବିମାନ ତିଆରି ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଟେଣ୍ଡର ଅନୁଯାୟୀ ବିଦେଶୀ କମ୍ପାନୀ ଭାରତକୁ ଆସି କୌଣସି ଭାରତୀୟ କମ୍ପାନୀ ସହ ମିଶି ଏହି ଯୁଦ୍ଧବିମାନ ତିଆରି କରିବେ। ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ଏହିସବୁ ଯୁଦ୍ଧବିମାନ ତିଆରି କରାଯିବ। ଏହିସବୁ ଯୁଦ୍ଧବିମାନ ସିଙ୍ଗଲ୍ କିମ୍ବା ଟୁଇନ୍ ଇଞ୍ଜିନ ବିଶିଷ୍ଟ ହେବ। ଶୁକ୍ରବାର ବାୟୁସେନା ପ୍ରକାଶ କରିଥିବା ପ୍ରାଥମିକ ଟେଣ୍ଡର ବା ରିକ୍ୱେଷ୍ଟ ଫର ଇନ୍ଫରମେସନ (ଆରଏଫଆଇ)ରେ ବିଶ୍ୱର ସାମରିକ ବା ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ କମ୍ପାନୀଙ୍କୁ ଆବଶ୍ୟକ ପ୍ରସ୍ତାବ ଦେବାକୁ କୁହାଯାଇଛି। ପ୍ରସ୍ତାବ ଦେବାର ଶେଷ ତାରିଖ ଜୁଲାଇ ୬ ରହିଛି। ଏହା ପୂର୍ବରୁ ବାୟୁସେନା ପାଇଁ ୧୨୬ଟି ଯୁଦ୍ଧ ବିମାନ କିଣିବା ଲାଗି ଡାସଲ୍ଟ ଆଭିଏସନ ସହିତ ହୋଇଥିବା ବୁଝାମଣାକୁ ସରକାର ରଦ୍ଦ କରିଦେଇଥିଲେ। ଏହା ବଦଳରେ ୩୬ଟି ରାଫେଲ ଯୁଦ୍ଧବିମାନ କିଣିବାକୁ ନିଷ୍ପତ୍ତି ହୋଇଛି। ଶୁକ୍ରବାର ପ୍ରକାଶ କରାଯାଇଥିବା ଟେଣ୍ଡରର ମୂଲ୍ୟ ୧୫୦୦କୋଟି ଡଲାର ହେବ ବୋଲି ଆକଳନ କରାଯାଇଛି। ଯୁଦ୍ଧବିମାନ ମଧ୍ୟରୁ ୮୫% ଏକ ଇଞ୍ଜିନ ବିଶିଷ୍ଟ ଓ ଅବଶିଷ୍ଟ ୨ ଇଞ୍ଜିନ ବିଶିଷ୍ଟ ହେବ। ଚୀନ ଓ ପାକିସ୍ତାନ ଭଳି ପଡୋଶୀ ଶତ୍ରୁଙ୍କୁ ମୁକାବିଲା କରିବାକୁ ବାୟୁସେନା ପାଇଁ ଏବେ ପ୍ରାୟ ୪୦୦ଟି ସିଙ୍ଗଲ୍ ଓ ଡବଲ ଇଞ୍ଜିନ ବିଶିଷ୍ଟ ଯୁଦ୍ଧବିମାନର ଆବଶ୍ୟକତା ରହିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ସରକାର ଦେଶର ପ୍ରତିରକ୍ଷା ବିଭାଗକୁ ଆଧୁନିକୀକରଣ କରିବା ଲାଗି ୨୫,୦୦୦କୋଟି ଡଲାର ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଏହାଦ୍ୱାରା ଦେଶର ପ୍ରତିରକ୍ଷା ବିଭାଗ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରସ୍ତୁତ ହୋଇପାରିବ।