www.samajalive.in
Saturday, December 13, 2025
26.1 C
Bhubaneswar

ସ୍ବପ୍ନ ଜଗତର ରହସ୍ୟ: ଉନ୍ମୋଚନ ଦିଗରେ ସାମାନ୍ୟ ସୂଚନା

ପ୍ରଶ୍ନ: (କ) ସ୍ୱପ୍ନର ସାର୍ବଜନୀନ ସଂଜ୍ଞା କ’ଣ ? (ଖ) ତାହା କ’ଣ ଅବଦମିତ ଅଭୀପ୍ସାର ଛାୟାମୟ ପରିପୂର୍ଣ୍ଣତା ? (ଗ) ନା, ଅଦୃଶ୍ୟ ଭବିଷ୍ୟତ ପ୍ରତି ପ୍ରହେଳିକାଭରା ଏକ ସଙ୍କେତ? (ଘ) ସ୍ୱପ୍ନବିହୀନ ଜୀବନ କ’ଣ ଅବାସ୍ତବ?
ଶାଶ୍ୱତ କୁମାର ଜେନା, ମଧୁପାଟଣା, କଟକ
ଉତ୍ତର: (କ) ଯେ କୌଣସି ବିଷୟର ସଂଜ୍ଞା ନିରୂପଣ କରାଯାଇଥାଏ ଆମ ହେତୁବୋଧ ଚାଳିତ ମନ ଗ୍ରହଣ କରିବା ଭଳି ଧାରଣା ଓ ଶବ୍ଦ ସମାହାର ଯୋଗେ; କିନ୍ତୁ ସୀମାହୀନ ଚେତନା ଜଗତରେ ରହିଛି ଗତାନୁଗତିକ ହେତୁ-ବହିର୍ଭୂତ ବହୁ ବ୍ୟାପାର। ସେସବୁର ନିଜସ୍ୱ “ହେତୁ” ଅବଶ୍ୟ ବିଦ୍ୟମାନ ସେମାନଙ୍କ ନିଜସ୍ୱ ସ୍ତରରେ। ଏ ଲେଖକ ଆମ ମାନସିକ ସ୍ତରର ଯୁକ୍ତି-ଭିତ୍ତିକ ହେତୁବୋଧ କଥା କହୁଛି। ସେ ଯାହାହେଉ, ସ୍ୱପ୍ନର ମୋଟାମୋଟି ଅଭିଧାନଗତ (ଅକ୍ସଫୋର୍ଡ) ସଂଜ୍ଞା ହେଲା, “ନିଦ୍ରାବସ୍ଥାରେ ଜଣେ ବ୍ୟକ୍ତିର ମନରେ ଦେଖାଦେଉଥିବା ଭାବନା, ଚିତ୍ର ଏବଂ ଇନ୍ଦ୍ରିୟାନୁଭୂତି” (A series of thoughts, images, and sensations occurring in a person’s mind during sleep।) ତେବେ ଅପେକ୍ଷାକୃତ ଅଧିକ ବିଶଦ ସଂଜ୍ଞା ପ୍ରଖ୍ୟାତ ମନସ୍ତତ୍ତ୍ୱବିଦ୍ କାର୍ଲ୍ ଗୁସ୍ତାଭ୍ ୟୁମ୍‌ (C.J. Jung)ଙ୍କ ଲେଖାରୁ ଉଦ୍ଧାର କରୁଛି (ମୁକ୍ତ ଅନୁବାଦ):
“ମାନବ ଜୀବନ ଯେପରି କୌଣସି ଏକ ମୌଳିକ ନୈସର୍ଗିକ ପ୍ରବୃତ୍ତି (Instinct) ଭିତରେ ସୀମାବଦ୍ଧ ନୁହେଁ, ବରଂ ଅଗଣନ ପ୍ରବୃତ୍ତି, ପ୍ରୟୋଜନ ଏବଂ ଶାରୀରିକ ତଥା ମାନସିକ ଗୁଣର ସମାହାର, ସେମିତି ମଧ୍ୟ ସ୍ୱପ୍ନ। ତା’କୁ କୌଣସି ଗୋଟାଏ ଯୁକ୍ତି (ତାହା ଯେଡ଼େ ସରଳ ଓ ଚମତ୍କାର ହେଉନା କାହିଁକି) ଦ୍ୱାରା ବ୍ୟାଖ୍ୟା କରାଯାଇପାରେନା। ଏକଥା ଠିକ୍ ଯେ ସ୍ୱପ୍ନ ପ୍ରାୟତଃ ଅବଦମିତ ବାସନା ଓ ଭୟକୁ ପ୍ରତିଫଳିତ କରିଥାଏ; କିନ୍ତୁ ଏମିତି କ’ଣ ଅଛି ଯାହା ସ୍ୱପ୍ନ ଅଭିବ୍ୟକ୍ତ କରି ନ ପାରେ ? ଅପ୍ରତିରୋଧ୍ୟ ସତ୍ୟ, ଦାର୍ଶନିକ ଚିନ୍ତା, ମୋହ ମାୟା, ଲଗାମ୍‌ଛଡ଼ା କଳ୍ପନା, ଭବିଷ୍ୟତ ଆଶା, ଅଯୌକ୍ତିକ ବ୍ୟାପାର, ଏପରିକି ଅନ୍ୟତ୍ର ଯାହା ଘଟୁଛି – ଏମିତି ନାନାକଥା ସ୍ୱପ୍ନରେ ରୂପାୟିତ ହୋଇପାରେ। ଭଗବାନଙ୍କୁ ଜଣା ସ୍ୱପ୍ନରେ କ’ଣ ସମ୍ଭବ ନୁହେଁ !”
(ଖ ଏବଂ ଗ)ସ୍ୱପ୍ନର ପରିସର ଏଡ଼େ ବ୍ୟାପକ ଯେ ଏଭଳି ଏକ ସ୍ତମ୍ଭରେ ତାହାର ସୂଚନା ମାତ୍ର ଦେବା ସମ୍ଭବ। ଅବଶ୍ୟ ଅବଦମିତ, ଅର୍ଦ୍ଧସ୍ଫୁଟ ନାନାଦି ଇଚ୍ଛା, କଳ୍ପନା ଓ ବାସନାକୁ ବିଚିତ୍ର ରୂପରେ ସ୍ୱପ୍ନ ଜାହିର୍ କରେ। ଅନେକ ସମୟରେ ସେସବୁର ଉତ୍ସକୁ ଚିହ୍ନଟ କରିବା ସହଜ ହୁଏନାହିଁ। ତେବେ ତାହା ସ୍ୱପ୍ନର ଗୋଟାଏ ମାତ୍ର ଧାରା। ବହୁ ଭିନ୍ନ ଧାରା ବିଦ୍ୟମାନ। ନିଦ୍ରାବସ୍ଥାରେ ଆମ ଚେତନାର ଏକ ତରଙ୍ଗ ଆମକୁ ଘେରି ରହିଥିବା ଅଦୃଶ୍ୟ ପ୍ରାଣ ଜଗତରେ ଭ୍ରାମ୍ୟମାଣ ଥାଏ। ସେ ଜଗତର ବହୁ ସ୍ତର, ବହୁ ପର୍ଯ୍ୟାୟ। ଆମେ ସ୍ଥୂଳକ୍ଷେତ୍ରରେ କୌଣସି ଗୋଟାଏ କାର୍ଯ୍ୟ କରିବା ପୂର୍ବରୁ ଯେମିତି କାର୍ଯ୍ୟଟି ଆମ ମନରେ ରୂପରେଖ ନେଇଥାଏ, ସେମିତି ସ୍ଥୂଳ ଜଗତରେ ଯେ କୌଣସି ଘଟଣା ଘଟିବା ପୂର୍ବରୁ ତା’ର ଅଦୃଶ୍ୟ ଖସଡ଼ା ସୂକ୍ଷ୍ମସ୍ତରରେ ପ୍ରସ୍ତୁତ ହୋଇଯାଇଥିବା ସ୍ୱାଭାବିକ। (ଅବଶ୍ୟ ତାହା ଅପରିବର୍ତ୍ତନୀୟ ନୁହେଁ।) ଆମ ଭ୍ରାମ୍ୟମାଣ ଚେତନା ଦୈବକ୍ରମେ ସେ ସ୍ତରରେ ଉପନୀତ ହେଲେ ଅଦୂର ଭବିଷ୍ୟତରେ ଘଟିବାକୁ ଯାଉଥିବା କୌଣସି ଘଟଣାର ଆଭାସ ପାଇଯାଏ; ଏପରିକି ତା’କୁ ଦେଖିଦେଇପାରେ ମଧ୍ୟ। ଅସଂଖ୍ୟ ଦୃଷ୍ଟାନ୍ତରୁ ଗୋଟାଏ: ଲେଖକ ଭାବରେ ବିଖ୍ୟାତ ହେବା ପୂର୍ବରୁ ମାର୍କ୍ ଟ୍ୱାଇନ୍ ଓ ତା’ଙ୍କ ସାନଭାଇ ହେନ୍‌ରି ଗୋଟିଏ ଜାହାଜ ସଂସ୍ଥାର ଦୁଇଟି ଅଲଗାଅଲଗା ଜାହାଜରେ କାମ କରୁଥିଲେ। ଦିନେ ମାର୍କ୍ ସ୍ୱପ୍ନ ଦେଖିଲେ, ହେନ୍‌ରି ମୃତ। ତା’ ଦେହ ଗୋଟାଏ କଫିନ୍‌ ଭିତରେ ରହିଛି। କଫିନ୍ ଉପରେ ଏକ ପୁଷ୍ପଗୁଚ୍ଛ। କେନ୍ଦ୍ରରେ ଗୋଟିଏ ମାତ୍ର ରଙ୍ଗିନ ଫୁଲକୁ ଛାଡ଼ି ଆଉ ସବୁ ଧଳା। କିଛିଦିନ ପରେ ବାସ୍ତବରେ ହେନ୍‌ରି ଥିବା ଜାହାଜରେ ଗୋଟାଏ ଅଗ୍ନିକାଣ୍ଡ ଘଟିଲା ଓ ଅନ୍ୟମାନଙ୍କ ସହିତ ହେନ୍‌ରି ହେଲେ ନିହତ। ଖବର ପାଇ ମାର୍କ୍ ସେଠାରେ ପହଞ୍ଚି ମୂର୍ଚ୍ଛାଗଲେ। ତା’ଙ୍କ ଚେତା ଫେରିବା ବେଳକୁ ହେନ୍‌ରି କଫିନ-ଭୁକ୍ତ ହୋଇ ସାରିଲେଣି ଏବଂ କଫିନ୍ ଉପରେ ଥୁଆ ଗୋଟିଏ ପୁଷ୍ପଗୁଚ୍ଛ; କିନ୍ତୁ ତା’ କେନ୍ଦ୍ରରେ ରଙ୍ଗିନ ଫୁଲ ନାହିଁ। ତେବେ ପର ମୁହୂର୍ତ୍ତରେ ଜଣେ ଭଦ୍ର ମହିଳା ଆସି ପୁଷ୍ପଗୁଚ୍ଛ ମଝିରେ ରଙ୍ଗିନ ଫୁଲଟିଏ ଖୋସିଦେଲେ।
ଆମେ ଦେଖୁଥିବା ଅଧିକାଂଶ ସ୍ୱପ୍ନ ଜାଗିବା ବେଳକୁ ସ୍ମୃତିରୁ ଲିଭିଯାଇଥାଏ। ଯାହା ମନେରହିଥାଏ, ଟିକିଏ ହଲ୍‌ଚଲ୍ ହେବା ମାତ୍ରେ ସେଥିରୁ କିଛିକିଛି ଅଂଶ ହଜିଯାଏ ଏବଂ ଶୂନ୍ୟସ୍ଥାନ ନିଏ କଳ୍ପନା। ସ୍ୱପ୍ନର ତାତ୍ପର୍ଯ୍ୟ ବୁଝିବାକୁ ହେଲେ ନିଦ ତୁଟିବା ମାତ୍ରେ ଆପଣ ପ୍ରଥମତଃ ସମ୍ପର୍ଣ୍ଣ ନିଶ୍ଚଳ ରହି ସ୍ୱପ୍ନଟି ମନେପକାଇବା ଆବଶ୍ୟକ। ସେତେବେଳେ ଆପଣଙ୍କ ଅନୁଭବ କ’ଣ ଥିଲା, ତାହା ମନେପକାଇବା ଅତ୍ୟନ୍ତ ଜରୁରୀ।
ସ୍ୱପ୍ନଦୃଷ୍ଟ ପ୍ରତୀକର ଗୁରୁତ୍ବ ବିପୁଳ; କିନ୍ତୁ ସେସବୁର ଅର୍ଥ ନିର୍ଭର କରେ ସ୍ୱପ୍ନଦ୍ରଷ୍ଟାର ଚେତନା ଉପରେ। ଧରନ୍ତୁ ଜଣେ ସାଧାରଣ ବ୍ୟବସାୟୀ ବା ସାମାଜିକ ଉଚ୍ଚାଭିଳାଷୀ ବ୍ୟକ୍ତି ସ୍ୱପ୍ନ ଦେଖିଲେ ଯେ ତା’ଙ୍କ କୋଠା ଅକସ୍ମାତ୍ ଭୁଶୁଡ଼ି ପଡୁଛି। ଏହା ହୋଇପାରେ ତା’ଙ୍କ ଉତ୍କଣ୍ଠା ଅଥବା କୌଣସି ଯୋଜନାର ସଫଳତା ସମ୍ପର୍କରେ ଭୟ; ଆଉ ଜଣକ ପାଇଁ ଏହା ହୋଇପାରେ ଏକ ଚେତାବନୀ; କିନ୍ତୁ ଜଣେ ଆଧ୍ୟାତ୍ମିକ ପଥର ଯାତ୍ରୀ ବା ସେ ଦିଗରେ ଅଭୀପ୍ସୁ ସକାଶେ ଏହା ଏକ ଶୁଭଙ୍କର ପ୍ରଗତିର ଆଭାସ: ତାଙ୍କ ପୁରୁଣା ଜୀବନଧାରା ଅଥବା ସଂସ୍କାର ଭିତରୁ ସେ ଉତ୍ତୀର୍ଣ୍ଣ ହେବାର ସୂଚନା।
(ଘ) ସ୍ୱପ୍ନବିହୀନ ଜୀବନ ସାଧାରଣଙ୍କ ପାଇଁ ଅବାସ୍ତବ। ଅବଶ୍ୟ ଜଣେ ନିଦରୁ ଉଠି କୌଣସି ସ୍ୱପ୍ନ ଦେଖିନାହିଁ ବୋଲି ମନେକରିପାରେ; କିନ୍ତୁ ସତ୍ୟ ହେଲା, ଚେତନାର ଯେଉଁ ସ୍ତରରେ ସେ ସ୍ୱପ୍ନତକ ଦେଖିଛି, ନିଦ ତୁଟିବା ବେଳକୁ ସେ ସ୍ତର ସହ ତା’ର ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି।
ତେବେ ଅସାଧାରଣଙ୍କ ପାଇଁ ସ୍ୱପ୍ନ-ମୁକ୍ତ ନିଦ୍ରା ଅବାସ୍ତବ ନୁହେଁ। ଜଣେ ଯୋଗୀ ସେ ଦିଗରେ ସଂକଳ୍ପ କରିପାରେ ଏବଂ ସଫଳ ହୋଇପାରେ।
ପରିବାର ପରମ୍ପରା: ଗତକାଲି ଓ ଆଜି
ପ୍ରଶ୍ନ: କୌଣସି ଗୃହକର୍ତ୍ତା ନିଜ ପରିବାରର ପ୍ରକୃତ ଉନ୍ନତି ( କେବଳ ପାର୍ଥିବ ନୁହେଁ) ନିମନ୍ତେ ଭାରତୀୟ ଶାସ୍ତ୍ରସମ୍ମତ ପାରମ୍ପରିକ ପରିବାର ଗଢ଼ିବାକୁ ଆଗ୍ରହୀ ଥିବାବେଳେ ଯଦି ଆଜିର ଚିନ୍ତାଧାରା ଓ ଗଣମାଧ୍ୟମ ଦ୍ୱାରା ବିଶେଷ ପ୍ରଭାବିତ ପରିବାରର କିଛି ସଦସ୍ୟ/ସଦସ୍ୟା ବ୍ୟକ୍ତି ସ୍ୱାଧୀନତା ତଥା ପରିବର୍ତ୍ତନର ଦ୍ୱାହି ଦେଇ ସେଭଳି ମାର୍ଗକୁ ବିରୋଧ କରୁଥା’ନ୍ତି, ଗୃହକର୍ତ୍ତା ସେ ପରିସ୍ଥିତିରେ କ’ଣ କରିବା ସମୀଚୀନ? “ସମାଜ”କୁ ସବିନୟ ଅନୁରୋଧ, ମୋର ନାମ ଏବଂ ଠିକଣା ଗୋପନ ରଖିବେ।
ଜିଜ୍ଞାସୁ
ଉତ୍ତର: ସେ ପରିସ୍ଥିତିରେ ଗୃହକର୍ତ୍ତା ନିଜ ଆଦର୍ଶର ଗରିମାରେ ନିଜେ ଅଟଳ ରହିବା ସତ୍ତ୍ୱେ ବିନା ଦ୍ୱିଧାରେ ଅନ୍ୟମାନଙ୍କୁ ସେମାନଙ୍କ ମାର୍ଗରେ ଯିବାକୁ ଛାଡ଼ି ଦେବା ହିଁ ସମୀଚୀନ। ସେ ଅପ୍ରତିରୋଧ୍ୟ ଅସଂହତ ଜୀବନଧାରାକୁ ସେ ରୋକି ତ ପାରିବେ ନାହିଁ, ନିଜ ଶାନ୍ତି ବିପନ୍ନ କରିବେ ଏବଂ ନିଜ ଚେତନାର ପ୍ରଗତିକୁ ବ୍ୟାହତ କରିବେ।
ପ୍ରାଚୀନ ଭାରତୀୟ ପାରିବାରିକ ସଂସ୍କୃତିର ଶୃଙ୍ଖଳା ଓ ସଂହତିର ମାଧୁର୍ଯ୍ୟ, ବ୍ୟାବହାରିକ ଜୀବନଶୈଳୀରେ ବିପୁଳ ପରିବର୍ତ୍ତନ ସତ୍ତ୍ୱେ, କେତେକ ପରିବାରରେ ଅଦ୍ୟାବଧି ତିଷ୍ଠି ରହିଥିବା ବ୍ୟକ୍ତିଗତ ଅଭିଜ୍ଞତାରୁ ଏ ଲେଖକକୁ ଜଣା। ବେଶ ପୋଷାକର ଆଧୁନିକତା, ଆର୍ଥନୀତିକ ସ୍ୱାତନ୍ତ୍ର୍ୟ ଏବଂ ଯାବତୀୟ ସ୍ଥୂଳ ପରିବର୍ତ୍ତନ ସତ୍ତ୍ୱେ ସହୋଦରଙ୍କ ଭିତରେ ଶାସ୍ତ୍ରୀୟ ସୌହାର୍ଦ୍ୟ, ପିତୃ ଓ ପିତୃବ୍ୟ ପୁରୁଷ ପ୍ରତି ଦେବତୁଲ୍ୟ ସମ୍ମାନ, ପରସ୍ପର ଅବାଧ ନିର୍ଭରଶୀଳତାର ଦୃଷ୍ଟାନ୍ତ-ସମୃଦ୍ଧ ପରିବାର ଅଦ୍ୟାବଧି ବିଦ୍ୟମାନ। ତେବେ ତାହା ବିରଳ। ପରିବାରର ଅଧିକାଂଶ ସଦସ୍ୟ ଯୋଗାଯୋଗକ୍ରମେ ବିକଶିତ ଚେତନାବନ୍ତ ହୋଇଥିବା ଉପରେ ତାହା ନିର୍ଭରଶୀଳ।
ତେବେ ପ୍ରାଚୀନ ପାରିବାରିକ ସଂହତିରେ ବିଭ୍ରାଟ ଆଜି ଦୁର୍ନିବାର କହିଲେ ଅତ୍ୟୁକ୍ତି ହେବନାହିଁ। କାହିଁକି ଦୁର୍ନିବାର, ତାହା ହୃଦୟଙ୍ଗମ କରିବା ନିମନ୍ତେ ଆମକୁ ଏହାର ମୂଳ ହେତୁର ସନ୍ଧାନ କରିବାକୁ ହେବ। ଏଠାରେ ସାମାନ୍ୟ ଆଭାସ ମାତ୍ର ଦେବା ସମ୍ଭବ। କାଳ-ନିର୍ଭର ମାନବ ଚେତନାର ଏକ ବିକାଶଧାରା ରହିଛି। ସେହି ଧାରା ଅନୁସାରେ ବ୍ୟକ୍ତିଗତ ମଣିଷ କ୍ରମେ ଅଧିକରୁ ଅଧିକ ଆତ୍ମ-ସଚେତନ ହେବାର ସମୟ ଉପନୀତ। ଏକ ଦିଗରେ ଆମ ଅନ୍ତର୍ଚେତନାରେ ସେହି ଶୁଭଙ୍କର ପ୍ରବେଗ ବିକଶିତ ହେଉଛି; କିନ୍ତୁ ସମଗ୍ର ବାତାବରଣ, ସାମୂହିକ ବିଶ୍ୱଜୀବନ ଅଦ୍ୟାବଧି ଏଭଳି ପ୍ରଚଣ୍ଡ ଅଜ୍ଞାନରେ ନିମଜ୍ଜିତ ରହିଛି ଯେ ଆତ୍ମ-ସଚେତନତା ଦିଗରେ ପ୍ରବେଗ ଆତ୍ମ-କୈନ୍ଦ୍ରିକତାରେ ପରିଣତ ହୋଇଛି। ନିଜ ଅନ୍ତରାତ୍ମକୁ ଜାଣିବାକୁ ହେଲେ ମଣିଷକୁ ବହୁ ସଂସ୍କାର ଓ ଭ୍ରାନ୍ତ ଧ୍ୟାନଧାରଣାର ଶୃଙ୍ଖଳରୁ ମୁକ୍ତ ହେବାକୁ ପଡ଼ିବ – ଆମ ଭିତରେ ବର୍ଦ୍ଧିତ ହେଉଥିବା ଏହି ଆବଶ୍ୟକତା ଆପାତତଃ ମଣିଷକୁ ଉଚ୍ଛୃଙ୍ଖଳ କରିଛି। ଆପଣଙ୍କ ବୌଦ୍ଧିକ ଶକ୍ତି ଯୋଗେ ଆପଣ ଏହାର ପ୍ରତିକାର କରିପାରିବେ ନାହିଁ; କାରଣ ବୁଦ୍ଧି ଆଜି ଅଜ୍ଞାନତାର କ୍ରୀତଦାସ ମାତ୍ର।
ବିବର୍ତ୍ତନରେ ଏହା ଏକ ସଂକଟକାଳ, ଏକ ମଧ୍ୟବର୍ତ୍ତୀ ସମୟ। ଧର୍ମ, ରାଜନୀତି, ଶାସନକଳ ସବୁଥିରେ ନୈରାଜ୍ୟର ଆଧିପତ୍ୟ। ଆମେ ଯେଉଁ ଜନସାଧାରଣ ଏ ଅବସ୍ଥାରେ ବିଚଳିତ, ସେହି ଜନସାଧାରଣଙ୍କର ଅନୀତି ସହ ପରୋକ୍ଷ ଏବଂ ବହୁ ସମୟରେ ପ୍ରତ୍ୟକ୍ଷ ସହଯୋଗରେ ଏହା ସମ୍ଭବ ହୋଇଛି। ଆପାତତଃ ସଚେତନ ବ୍ୟକ୍ତିବର୍ଗଙ୍କର ନିରାସକ୍ତ, ନିରବ ଚେତନାଗତ ବିକାଶ ହିଁ ବାତାବରଣରେ ପ୍ରକୃତ ପରିବର୍ତ୍ତନ ଆଣିପାରେ। ଆପଣା କର୍ମରେ ନିଃସ୍ୱାର୍ଥପରତା ଓ ଶୁଭେଚ୍ଛା ହିଁ ସେ ଦିଗରେ ଆପଣଙ୍କ ଅବଦାନ ହେବ। ସମସ୍ତଙ୍କ ଭିତରେ ନିଜକୁ ସାମିଲ୍ କରି ହିଁ ଲେଖକ ଆପଣଙ୍କୁ ତଥା ଆପଣାକୁ ଦେଉଛି ଏ ପରାମର୍ଶ; ନ ହେଲେ ଏହା ହେବ ତା’ର ଅନଧିକାର ଚର୍ଚ୍ଚା। ସମସ୍ତ ବିଭୀଷିକା ସତ୍ତ୍ୱେ ଆମ ଭିତରେ ସତ୍ୟ ପ୍ରତି ଅନୁରାଗ, ସେ ଦିଗରେ ଜିଜ୍ଞାସାବୋଧ, ଅନ୍ଧକାର ଶକ୍ତି ସମୂହର ପ୍ରଭାବ ବର୍ଜନ ଦିଗରେ ସଂକଳ୍ପ ଅବ୍ୟାହତ ରହିଛି। ଭବିଷ୍ୟତରେ ଦିନେ ବିବର୍ତ୍ତନଗତ କୌଣସି ମହାଶକ୍ତି ହସ୍ତକ୍ଷେପ କରି ଆମକୁ (ଅର୍ଥାତ୍ ଆମ ପରବର୍ତ୍ତୀ କୌଣସି ଜନ୍ମକୁ) ଏକ ଭବ୍ୟ ପର୍ଯ୍ୟାୟରେ ଉପନୀତ କରାଇବ, ଏହି ତତ୍ତ୍ୱ ଉପରେ ଆସ୍ଥା ରଖାଯାଉ।
email: queriesandresponses@gmail.com

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories