BJD Bijuli 480×75 Mob

ସୋଢ଼ି ନ୍ୟୁଜିଲାଣ୍ଡକୁ ସିରିଜ୍‌ ଜିତାଇଲେ

BJD Bijuli 480×75 Mob
0

ଖ୍ରୀଷ୍ଟଚର୍ଚ୍ଚ- ଚଳିତ ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ର ଅନ୍ତଃ ରୋମାଞ୍ଚକର ଭାବେ ଘଟିଛି। ୮ନଂ ବ୍ୟାଟ୍‌ସମ୍ୟାନ୍‌ ଇସ୍‌ ସୋଢ଼ି ଲଢ଼ୁଆ ବ୍ୟାଟିଂକରି ଘରୋଇ ନ୍ୟୁଜିଲାଣ୍ଡକୁ ନିଶ୍ଚିତ ପରାଜୟରୁ ବଞ୍ଚାଇ ଦେଇଛନ୍ତି। ଫଳରେ ଏହି ଟେଷ୍ଟ ଜିତି ସିରିଜ୍‌ ଜିତିବା ଲକ୍ଷ୍ୟ ରଖିଥିବା ଇଂଲଣ୍ଡ ନିରାଶ ହୋଇଛି। ମଙ୍ଗଳବାର ୫ମ ତଥା ଅନ୍ତିମ ଦିନରେ ୩ ଘଣ୍ଟାରୁ ଅଧିକ ସମୟର ଖେଳ ବାକିଥିବା ବେଳେ ନ୍ୟୁଜିଲାଣ୍ଡ ତା’ର ୭ମ ୱିକେଟ ହରାଇଥିଲା। ତେବେ ଇସ୍‌ ସୋଢ଼ି ଓ ନିଲ୍‌ ୱାଗ୍‌ନର ୩୧ ଓଭରରୁ ଅଧିକ ସମୟ ବ୍ୟାଟିଂ କରିଥିଲେ ଏବଂ ଇଂଲଣ୍ଡକୁ ବିଜୟରୁ ବଞ୍ଚିତ କରିଥିଲେ। ୨ୟ ଇନିଂସରେ ୩୮୨ ରନ୍‌ର ପିଛା କରୁଥିବା ନ୍ୟୁଜିଲାଣ୍ଡ ମ୍ୟାଚ୍‌ର ସମାପ୍ତି ବେଳକୁ ୮ ୱିକେଟ ହରାଇ ୨୫୬ ରନ୍‌ କରିଥିଲା। ଏହି ମ୍ୟାଚ୍‌ ଡ୍ର ରହିବାରୁ ପ୍ରଥମ ଟେଷ୍ଟ ଜିତିଥିବା ଘରୋଇ ନ୍ୟୁଜିଲାଣ୍ଡ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌କୁ ୧-୦ରେ ଜିତିନେଇଛି।
୪ର୍ଥ ଦିନର ଷ୍ଟମ୍ପ୍‌ ଅପସାରଣ ବେଳକୁ ନ୍ୟୁଜିଲାଣ୍ଡ ବିନା ୱିକେଟରେ ୪୨ ରନ୍‌ କରିଥିଲା। ସିରିଜ୍‌କୁ ୨-୦ରେ ଜିତିବା ପାଇଁ ନ୍ୟୁଜିଲାଣ୍ଡ ଆଉ ୩୪୦ ରନ୍‌ ଆବଶ୍ୟକ କରୁଥିଲା। ତେବେ ୫ମ ତଥା ଅନ୍ତିମ ଦିନ ଆରମ୍ଭରୁ ଇଂଲଣ୍ଡର ବୋଲର ନିୟମିତ ୱିକେଟ ନେଇ ଚାଲିଥିଲେ। ଓପ୍‌ନର ଜିତ୍‌ ରାୱଲ ୧୭ ରନ୍‌କରି ଆଉଟ ହେବା ପରେ ଅଧିନାୟକ କେନ୍‌ ୱିଲିୟମ୍‌ସନ ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ପରେ ରସ୍‌ ଟେଲର ଓ ହେନ୍‌ରି ନିକୋଲ୍‌ସ ୧୩ ରନ୍‌ ଲେଖାଏଁ କରି ଆଉଟ ହୋଇ ଯାଇଥିଲେ। ୯୧ ରନ୍‌ରେ ୪ଟି ୱିକେଟ ହରାଇ ନ୍ୟୁଜିଲାଣ୍ଡ ଦୟନୀୟ ସ୍ଥିତିରେ ଥିଲା। ବି.ଜେ. ୱାଟ୍‌ଲିଙ୍ଗ୍‌ ୧୯ ରନ୍‌ କରି ପାରିଥିଲେ। ୬୮ ଓଭର କ୍ରିଜ୍‌ରେ ରହି ଲଢ଼ୁଆ ବ୍ୟାଟିଂ କରିଥିବା ଓପ୍‌ନର ଟମ୍‌ ଲାଥାମ୍‌ ୨୦୭ ବଲ୍‌ ଖେଳି ୧୦ଟି ଚୌକା ସହ ୮୩ ରନ୍‌କରି ଆଉଟ ହେବା ବେଳକୁ ୧୬୨ ରନ୍‌ରେ ଘରୋଇ ଦଳ ୬ଟି ୱିକେଟ ହରାଇଥିଲା। ପରେ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ଓ ଇସ୍‌ ସୋଢ଼ି ୭ମ ୱିକେଟ ପାଇଁ ୨୬ ଓଭର ବ୍ୟାଟିଂକରି ୫୭ ରନ୍‌ ଯୋଡ଼ିଥିଲେ। ଡି ଗ୍ରାଣ୍ଡହୋମ୍‌ ୬ଟି ଚୌକା ସହ ୪୫ ରନ୍‌କରି ଆଉଟ ହେବା ପରେ ଇଂଲଣ୍ଡର ବିଜୟ ନିଶ୍ଚିତ ଲାଗୁଥିଲା। ତେବେ ଇସ୍‌ ସୋଢ଼ି ଓ ନିଲ୍‌ ୱାଗ୍‌ନର ପାଖାପାଖି ଅଢ଼େଇ ଘଣ୍ଟା ଓ ୩୧.୨ ଓଭର ବ୍ୟାଟିଂକରି ମ୍ୟାଚ୍‌କୁ ଡ୍ର କରିବା ନିଶ୍ଚିତ କରିଥିଲେ। ଦୁହେଁ ମାତ୍ର ୩୭ ରନ୍‌ ଯୋଡ଼ିଥିଲେ ହେଁ ଏହି ଭାଗିଦାରୀ ନ୍ୟୁଜିଲାଣ୍ଡକୁ ସିରିଜ୍‌ ବିଜୟୀ କରିଥିଲା। ୱାଗ୍‌ନର ୧୦୩ ବଲ୍‌ ଓ ୧୦୭ ମିନିଟ ବ୍ୟାଟିଂ କରିଥିଲେ। ତାଙ୍କ ୱିକେଟ ପଡ଼ିବା ପରେ ମ୍ୟାଚ୍‌ ସମାପ୍ତ ହୋଇ ଯାଇଥିଲା। ସୋଢ଼ି ୧୬୮ ବଲ୍‌ ଖେଳି ୯ଟି ଚୌକା ସହ ୫୬ ରନ୍‌କରି ଅପରାଜିତ ଥିଲେ। ଷ୍ଟୁଆର୍ଟ ବ୍ରଡ୍‌, ମାର୍କ ଉଡ୍‌ ଓ ଜ୍ୟାକ୍‌ ଲିଚ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଟିମ୍‌ ସାଉଦି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଏବଂ ଟ୍ରେଣ୍ଟ ବୋଲ୍‌ଟ ପ୍ଲେୟର ଅଫ୍‌ ଦି ସିରିଜ୍‌ ହୋଇଥିଲେ।

Leave A Reply