www.samajalive.in
Monday, December 15, 2025
27.1 C
Bhubaneswar

ତୁଟୁନି କଂଗ୍ରେସ କନ୍ଦଳ, ୧୦ ପରେ ସଭାପତି ନିଯୁକ୍ତି

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଶରତ ପଟ୍ଟନାୟକ ଇସ୍ତଫା ଦେବାର ଦୀର୍ଘଦିନ ବିତିଗଲାଣି। ଏହାସତ୍ତ୍ବେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ନୂତନ ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ଦିଆଯାଇ ପାରୁନି। ସଭାପତିଙ୍କ ବଦଳରେ ୧୫ଜଣିଆ ଷ୍ଟିଅରିଂ କମିଟି କଂଗ୍ରେସର କମାଣ ସମ୍ଭାଳିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ପଦ୍ମ ଘୁଞ୍ଚିଲା ପରି ଘୁଞ୍ଚି ଚାଲିଛି। ସଭାପତି ନଥିବାରୁ ଦଳର ରଣନୀତି ଠିକ୍‌ଭାବେ କାର୍ଯ୍ୟକାରୀ ହେଉନାହିଁ। ମଙ୍ଗୁଆଳ ନଥିବାରୁ ବିରୋଧୀ ଦଳଭାବେ ଶାସକ ଦଳ ବିରୋଧରେ କଂଗ୍ରେସ ଠିକ୍‌ଭାବେ ଜନଆନ୍ଦୋଳନ ଗଢ଼ି ତୋଳିବାରେ ସଫଳ ହୋଇପାରୁ ନଥିବା ଅଭିଯୋଗ ହେଉଛି। ନୂଆ ବର୍ଷରେ ଦଳ ନୂଆ ସଭାପତି ପାଇବ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ୧୦ ତାରିଖ ପୂର୍ବରୁ ସମ୍ଭବ ନୁହେଁ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସଭାପତି ଦୌଡ଼ରେ ସାଂସଦ ସପ୍ତଗିରି ଉଲାକା ଓ ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ, ଶ୍ରୀକାନ୍ତ ଜେନା ମଧ୍ୟ ରହିଛନ୍ତି। ୧୦ ତାରିଖ ପରେ ଏଆଇସିସି ପିସିସି ସଭାପତି ନିଯୁକ୍ତି ଦେବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ଆଶାନୁରୂପ ସଫଳତା ନ ମିଳିବାରୁ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଶରତ ପଟ୍ଟନାୟକଙ୍କୁ ହଟାଇ ଦିଆଯାଇଥିଲା। ତାଙ୍କ ବଦଳରେ ନୂଆ ସଭାପତି ନିଯୁକ୍ତି ନ ଦେଇ ଏଆଇସିସି ୧୫ଜଣିଆ ଷ୍ଟିଅରିଂ କମିଟି ଗଠନ କରିଥିଲା। କମିଟିର ସଂଯୋଜକ ଭାବେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ରହିଥିଲେ। ନିର୍ବାଚନ ପରେ କଂଗ୍ରେସ ପକ୍ଷରୁ ଶାସକ ଦଳ ବିରୋଧରେ ବଡ଼ଧରଣର ୨ଟି ବିକ୍ଷୋଭ ସମାବେଶ ପୂର୍ବତନ ବିଧାୟକ ମୋକିମଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ମୋକିମଙ୍କ ସଫଳ ରଣନୀତି ଯୋଗୁଁ ପ୍ରବର୍ତ୍ତନ ନିର୍ଦେଶାଳୟ ଘେରଉ ସଫଳ ହୋଇଥିଲା। ଏହାପରେ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଶୋଭନୀୟ ବକ୍ତବ୍ୟ ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ଖାରବେଳନଗର ଥାନାରେ ଏତଲା ଦିଆଯାଇଥିଲା। ଏହାର ଦାୟିତ୍ବ ମଧ୍ୟ ମୋକିମଙ୍କ ଉପରେ ଷ୍ଟିଅରିଂ କମିଟି ନ୍ୟସ୍ତ କରିଥିଲା।

- Advertisement -

ଦୁଇଟି କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରିବାରେ ମୋକିମ ନିଜର ଦକ୍ଷତା ପ୍ରତିପାଦିତ କରିଥିବାରୁ କଂଗ୍ରେସ ତାଙ୍କୁ ଦଳର ଗୁରୁଦାୟିତ୍ବ ନ୍ୟସ୍ତ କରିପାରେ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଥିଲା। ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟକୁମାର ଝାଡ଼ଖଣ୍ଡ ନିର୍ବାଚନରେ ପରାଜିତ ହେବାପରେ ମୋକିମଙ୍କ ସଭାପତି ହେବା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ମୋକିମଙ୍କ ବଦଳରେ ସାଂସଦ ସପ୍ତଗିରି ଉଲାକାଙ୍କୁ ଦଳ ଏହି ଗୁରୁଦାୟିତ୍ବ ଦେବାର ଯଥେଷ୍ଟ ସମ୍ଭାବନା ରହିଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ସପ୍ତଗିରିଙ୍କ ରାହୁଲଙ୍କ ସହିତ ସୁସମ୍ପର୍କ ରହିଛି। ସେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ଦଳ ତାଙ୍କୁ ସଭାପତି ପଦରେ ବସାଇ ଜନଜାତି ସମ୍ପ୍ରଦାୟ ଭୋଟରଙ୍କ ଅନୁକମ୍ପା ହାସଲ କରିବାରେ ସହାୟକ ହେବ ବୋଲି ଦଳୀୟ ଶୀର୍ଷ ନେତୃତ୍ବ ଆଶାବାଦୀ ଅଛନ୍ତି। ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡିର ଲୋକପ୍ରିୟତା ସତ୍ତ୍ବେ ସେ କଂଗ୍ରେସ ଟିକଟରେ ଲଢ଼ି ସାଂସଦଭାବେ ନିର୍ବାଚିତ ହୋଇଥିଲେ। ୨୦୨୪ ନିର୍ବାଚନରେ ମଧ୍ୟ ଅନୁରୂପଭାବେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଦଳ ତାଙ୍କୁ ଗୁରୁଦାୟିତ୍ବ ଦେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି। ସପ୍ତଗିରି, ମୋକିମଙ୍କ ସହିତ ଭକ୍ତଚରଣ ଓ ଶ୍ରୀକାନ୍ତ ମଧ୍ୟ ସଭାପତି ପଦ ପାଇଁ ଆଗ୍ରହୀ ଥିବା କୁହାଯାଉଛି। ଏଥିପାଇଁ ସେମାନେ ଦଳୀୟ ଶୀର୍ଷ ନେତୃତ୍ବଙ୍କ ନିକଟରେ ନିଜ ନିଜ ସମର୍ଥକଙ୍କ ଜରିଆରେ ଲବି ଚଳାଇଥିବା ଜଣାପଡ଼ିଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories