ସୁପର କପ୍‍ ଫୁଟ୍‍ବଲ : ଶିଲଂ ଲାଜଙ୍ଗ୍‍ କ୍ୱାର୍ଟରରେ

0

ଭୁବନେଶ୍ୱର : ପ୍ରାରମ୍ଭରୁ ୨ଟି ଗୋଲ ପଛରେ ରହିବା ପରେ ଲଢୁଆ ପ୍ରଦର୍ଶନ କରି ଶିଲଂ ଲାଜଙ୍ଗ୍‍ ଏଫସି ସୁପର କପ୍‍ ଫୁଟ୍‍ବଲ ପ୍ରଥମ ସଂସ୍କରଣ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଖେଳର ଇଞ୍ଜୁରୀ ସମୟରେ ଅଧିନାୟକ ସାମୁଏଲ ଲାଲ୍‍ମୁପୁଇଆଙ୍କ ଚିତ୍ତାକର୍ଷକ ଗୋଲ ବଳରେ ଶିଲଂ ଲାଜଙ୍ଗ ଏଫ୍‍ସି ପୁଣେ ସିଟିକୁ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ବୁଧବାର ଖେଳାଯାଇଥିବା ଷଷ୍ଠ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ଶିଲଂ ଲାଜଙ୍ଗ୍‍ ଏଫସି ୩-୨ ଗୋଲରେ ପୁଣେ ସିଟି ଏଫସିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଶିଲଂ ଲାଜଙ୍ଗ ବିଜୟରେ ରାକେଶ ପ୍ରଧାନ, ସାମୁଏଲ ଲାଲମୁପୁଇଆ ଓ ଅବଦୁଲେ କୋଫି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଶିଲଂ ଲାଜଙ୍ଗ୍‍ ଏଫସି ଏହି ବିଜୟ ସହ ୧୧ରେ ମୋହନବାଗାନ ବିପକ୍ଷରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିବାବେଳେ ପୁଣେ ସିଟି ଏଫସି ବିଦାୟ ନେଇଛି।
ଝିପିଝିପି ବର୍ଷା ଓ ଘଡଘଡ଼ି ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ପ୍ରାରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଶିଲଂର ଦୁର୍ବଳ ରଣନୀତିର ଫାଇଦା ଉଠାଇ ୩୦ ମିନିଟ ମଧ୍ୟରେ ଏଫ୍‍ସି ପୁଣେ ସିଟି ୨ଟି ଗୋଲ ଦେବାରେ ସକ୍ଷମ ହୋଇଥିଲା। ୧୬ ମିନିଟ୍‍ରେ ପୁଣେ ସିଟିର ମାର୍କୋ ଷ୍ଟାଙ୍କୋଭିକ୍‍ଙ୍କ ପାସ୍‍କୁ ଇଟାଲିଆନ ମଧ୍ୟପନ୍ଥୀ ଖେଳାଳି ଜୋନାଥନ ଲୁକା ଗୋଲରେ ପରିଣତ କରି ଦଳକୁ ୧-୦ଗୋଲରେ ଆଗୁଆ କରିଥିଲେ। ୨୨ ମିନିଟରେ ପୁଣେ ସିଟିକୁ ଗୋଲ୍‍ଦେବାର ଆଉ ଏକ ସୁଯୋଗ ମିଳିଥିଲା। ବ୍ରାଜିଲୀୟ କାଲୋର୍ସ ଡି ଓଲିଭିଆଙ୍କ ପାସ୍‍କୁ ଅଧିନାୟକ ମାର୍ଶାଲୋ ଗୋଲରେ ପରିଣତ କରିବାରେ କୌଣସି ତ୍ରୁଟି କରିନଥିଲେ। ପୁଣେ ସିଟି ଏଫସି ୨-୦ ଗୋଲରେ ଆଗୁଆ ରହିବା ପରେ ଶିଲଂ ଲାଜଙ୍ଗ୍‍ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲା। ୨୯ତମ ମିନିଟ୍‍ରେ ଶିଲଂ ଲାଜଙ୍ଗ୍‍ର ଆଇଭରି କୋଷ୍ଟ ଫରୱାର୍ଡ ଅବଦୁଲାଏ କୋଫି ଏକ ଚିତ୍ତାକର୍ଷକ ଗୋଲ୍‍ଦେଇ ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଏଫ୍‍ସି ପୁଣେ ସିଟି ୨-୧ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଶିଲଂ ଲାଜଙ୍ଗ୍‍ ଗୋଲ ବରାବର କରିବା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା। ୬୦ତମ ମିନିଟ୍‍ରେ ଶିଲଂ ଲାଜଙ୍ଗ୍‍ ପକ୍ଷରୁ ୬୧ ମିନିଟ୍‍ରେ ରାକେଶ ପ୍ରଧାନ ଗୋଲ୍‍ଦେଇ ମ୍ୟାଚ୍‍କୁ ବରାବର ସ୍ଥିତିକୁ ଆଣିଥିଲେ। ସ୍କୋର୍‍ ୨-୨ ହେବା ପରେ ଅନ୍ତିମ ୩୦ ମିନିଟ ଅଧିକ ପ୍ରତିଦ୍ୱନ୍ଦିତା ହୋଇଥିଲା। ଇଞ୍ଜୁରୀ ସମୟ ତଥା ୯୨ ମିନିଟ୍‍ରେ ଶିଲଂ ଏକ ପେନାଲ୍‍ଟି ପାଇଥିଲା। ସାମୁଏଲ ଲାଲ୍‍ମୁପୁଇଆଙ୍କ ଏଥିରୁ ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ। ଅତିଥି ଭାବେ ରାଜ୍ୟ ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଅଧିନାୟକ ସାମୁଏଲ ଲାଲ୍‍ମୁପୁଇଆଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‍ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply