‘ସତ୍ୟ ସମାଜ’ର ଭିତ୍ତି
ଇଂଲଣ୍ଡର ରାଜଧାନୀ ଲଣ୍ଡନ ନଗରୀର ୱଲବର୍ଥ ଉପନଗର ନିକଟସ୍ଥ ଏକ ବସ୍ତିର ଏହି ପ୍ରସଙ୍ଗ। ଏହି ବସ୍ତି ଅପରାଧୀମାନଙ୍କର ବାସସ୍ଥାନ ଭାବରେ କୁଖ୍ୟାତ ଥିଲା। ବସ୍ତିର ଲୋକମାନେ ଖାଲି ଅଶିକ୍ଷିତ ନଥିଲେ, ନିର୍ଦ୍ଧନ ଥିଲେ ମଧ୍ୟ। ଏହି କାରଣରୁ ସେମାନଙ୍କ ମଧ୍ୟରେ ଅପରାଧପ୍ରବଣତା ଖୁବ୍ ଅଧିକ ଥିଲା। ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଲୁଣ୍ଠନ, ହତ୍ୟା ଆଦି ଘଟଣା ସେମାନଙ୍କର ପ୍ରବୃତ୍ତିଗତ ହୋଇଯାଇଥିଲା। ଏପରିକି ପିତା ତଥା ବୟସ୍କମାନଙ୍କ ଏଭଳି ବୃତ୍ତିକୁ ଦେଖୁଥିବା ପିଲା ମଧ୍ୟ ଚୋରି ବିଦ୍ୟାକୁ ଆଦରି ନେଇଥିଲେ।
ଏହି ସମୟରେ ଦିନେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ଆପଣାର ଶିକ୍ଷାସମାପ୍ତ କରି ଜନୈକ ଯୁବକ ସେହି ବସ୍ତିକୁ ଆସିଥିଲେ। ବସ୍ତିର ଲୋକମାନଙ୍କ ଜୀବନଧାରା ଦେଖି ଦୁଃଖପ୍ରକାଶ କରିବାସହ ସେମାନଙ୍କ ପାଇଁ କିଛି କରିବାକୁ ସଂକଳ୍ପ ନେଲେ।
ପ୍ରାଥମିକ ଅବସ୍ଥାର ସେଇ ବସ୍ତିର ଲୋକମାନଙ୍କ ସହ ପରିଚିତ ହେଲେ ଓ ଆସ୍ତେଆସ୍ତେ ସେମାନଙ୍କ ସହ ଘନିଷ୍ଠତା ବଢ଼ାଇଲେ। ଯେତେବେଳେ ବସ୍ତିବାସିନ୍ଦାମାନେ ତାଙ୍କୁ ପସନ୍ଦ କରିବାକୁ ଲାଗିଲେ ସେତେବେଳେ ସେ ନିଜର ଛୋଟିଆ କକ୍ଷଟିରେ ବସ୍ତିର କିଛି ପିଲାଙ୍କୁ ପଢ଼ାଇବାକୁ ଆରମ୍ଭ କଲେ। ସେମାନଙ୍କୁ ଦୈନନ୍ଦିନ ଜୀବନରେ ଅତି ଛୋଟ ବୋଧ ହେଉଥିବା କିନ୍ତୁ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗର ଅବତାରଣା କରି ଜୀବନର ମୂଲ୍ୟ ସମ୍ପର୍କରେ ସଚେତନ କରାଇଲେ- ଉଦାହରଣ ମାଧ୍ୟମରେ ନିଜ ଉକ୍ତିର ଯଥାର୍ଥତା ସାବ୍ୟସ୍ତ କଲେ। ଧୀରେଧୀରେ ସେମାନଙ୍କୁ ଉତ୍ତମସଂସ୍କାର ଦେବା ଆରମ୍ଭ କଲେ। ବସ୍ତିବାସିନ୍ଦାଙ୍କର ହୃଦବୋଧ ହେଲା ଯେ ଆଗନ୍ତୁକ ଜଣକ ସେମାନଙ୍କୁ ଉପଯୁକ୍ତ ମାର୍ଗରେ ପରିଚାଳିତ କରୁଛନ୍ତି, କାରଣ ସେମାନେ ନିଜ ପିଲାଙ୍କ କୁ-ଆଚରଣ ଓ କାର୍ଯ୍ୟ ଯଥେଷ୍ଟ ସୁଧୁରିଥିବା ଲକ୍ଷ୍ୟ କରିଥିଲେ।
ବସ୍ତିବାସିନ୍ଦାଙ୍କ ବିଶ୍ବାସ ଦୃଢ଼ୀଭୂତ ହେଲା। ଯୁବକଜଣକ ଏହି ସୁଯୋଗରେ ସେମାନଙ୍କୁ ଏକତ୍ରିତ କରି ସପ୍ତାହର ସାତଦିନ ମଧ୍ୟରୁ ଗୋଟିଏ ଦିନ ଚୋରି, ଅପରାଧ ଆଦି ଗର୍ହିତ କାର୍ଯ୍ୟ ତ୍ୟାଗ କରିବାକୁ ମନାଇଥିଲେ ତଥା ରବିବାର ତାଙ୍କର କକ୍ଷକୁ ଆସିବାକୁ ଅନୁରୋଧ କରିଥିଲେ। ଏହି ଭଳି ଆସିବା ଭିତରେ ଲୋକେ ନିଜଆଡ଼ୁ ସଂକଳ୍ପ ନେଇଥିଲେ ସପ୍ତାହର ଚାରିଦିନ କୌଣସି ଅପରାଧମୂଳକ କାର୍ଯ୍ୟ ନ କରିବା ନିମନ୍ତେ। ଅନ୍ୟମାନଙ୍କ ଦୃଷ୍ଟିରେ ଅତି ଜଟିଳ, ଦୁରୂହ ବୋଧ ହେଉଥିବା କାର୍ଯ୍ୟ ସରଳ ଓ ସହଜ ହୋଇଯାଇଥିଲା।
ଧୀରେଧୀରେ ତାଙ୍କ କୁଟୀରଟି ଏକ କାର୍ଯ୍ୟାଳୟ ହୋଇଗଲା ଓ ପ୍ରତ୍ୟହ ଲୋକେ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ନେବାକୁ ଆସିଲେ। ବସ୍ତୁତଃ ଏହା ‘ସତ୍ୟ ସମାଜ’ର ଏକ ଅଙ୍ଗ ହୋଇଗଲା। ଶିକ୍ଷା ସମାପ୍ତ ପରେ ସେଦିନର ସେହି ସଂକଳ୍ପ ତାଙ୍କୁ ଆସାଧାରଣ ଶକ୍ତି ଯୋଗାଇଥିଲା। ଏହି ସତ୍ୟକଥା ପ୍ରତ୍ୟକ୍ଷରେ ସୂଚାଇ ଦିଏ ଯେ ଯଦି ସଂକଳ୍ପ ଦୃଢ଼ ତେବେ ପଥରେ ଆସୁଥିବା ସକଳ ପ୍ରତିବନ୍ଧକ ଅଚିରେ ଦୂରୀଭୂତ ହୋଇଯିବ ଓ ସଫଳତାର ମାର୍ଗ ଖୋଲିଯିବ, କାର୍ଯ୍ୟ ଯେତେ ଜଟିଳ, ଦୁଃସାଧ୍ୟ, ଅସମ୍ଭବ ବୋଧ ହେଉ ପଛକେ। ଏଇ ସମାଜସୁଧାରକ ଯୁବକ ପରବର୍ତ୍ତୀ ସମୟରେ ଭାରତ ଆସିଥିଲେ। ତାଙ୍କ ନାମଥିଲା ସିଏଫ୍ ଆଣ୍ଡୃଜ।