ଶିଶୁକୁ ମାଙ୍କଡ ନେଇଯିବା ଘଟଣା; ପଡୋଶୀଙ୍କ କୂଅରୁ ମିଳିଲା ଶିଶୁ ମୃତଦେହ
କଟକ: ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପୁଟ୍ଟସାହିରୁ ୧୬ ଦିନର ଶିଶୁପୁତ୍ରକୁ ମାଙ୍କଡ଼ ନେଇଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ରବିବାର ସକାଳେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଘର ପଛପଟ କୂଅରୁ ଶିଶୁର ମୃତଦେହ ମିଳିଥିଲା। ସକାଳେ ପଡୋଶୀ ପାଣି ଆଣିବାକୁ ଯାଇଥିବାବେଳେ କୂଅରେ ଶିଶୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ଲାଗି ବାଙ୍କୀ ମେଡିକାଲକୁ ପଠାଯାଇଛି।
ସୂଚନା ମୁତାବକ, ପୁଟ୍ଟସାହିର ରାଧାକୃଷ୍ଣ ନାୟକ ଓ ସରୋଜିନୀ ତାଙ୍କ ୧୬ ଦିନର ଶିଶୁକୁ ଧରି ଶୋଇଥିଲେ। ଶନିବାର ଭୋରରେ ସରୋଜିନୀ ମୁହଁ ଧୋଇବାକୁ ବାହାରକୁ ଆସିଥିଲେ। ଏହି ସମୟରେ ହଠାତ୍ ଏକ ପାତିମାଙ୍କଡ କ୍ଷୀପ୍ରଗତିରେ ଅଗଣା ଦେଇ ଘର ଭିତରେ ପଶି ରାମକୃଷ୍ଣଙ୍କ ନିକଟରୁ ଶୋଇଥିବା ଶିଶୁକୁ ନେଇ ଚମ୍ପଟ ମାରିଥିଲା। ଏହା ପରେ ଖୋଜାଖୋଜି ଚାଲିଥିଲେ ମଧ୍ୟ ଶିଶୁର କୌଣସି ସନ୍ଧାନ ମିଳି ନ ଥିଲା। ଘଟଣାର ୨୪ ଘଣ୍ଟା ପରେ ଶିଶୁର ମୃତଦେହ କୂଅରୁ ମିଳିଛି। ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛି।