ନିଷ୍ପତ୍ତି ଅପ୍ରତ୍ୟାଶିତ ନୁହେଁ

ଭାରତୀୟ ରିଜର୍ଭ ବ୍ୟାଙ୍କର ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ନୀତି ସମ୍ପର୍କିତ ନିଷ୍ପତ୍ତି ଅପ୍ରତ୍ୟାଶିତ ବା ଆଦୌ ଚକିତ ହେବାଭଳି ନୁହେଁ ନିଶ୍ଚିତ। ସାଧାରଣ ନିର୍ବାଚନ ପୂର୍ବରୁ ରିଜର୍ଭବ୍ୟାଙ୍କ ଉଦ୍ୟୋଗ ଜଗତ ଓ ସାଧାରଣ ଜନତାଙ୍କୁ ଆଶ୍ବସ୍ତ କରିବାକୁ ଯାଇ ରେପୋରେଟ ଶୂନ ଦଶମିକ ୨୫ ଶତାଂଶ ହ୍ରାସ କରିଛି। ଏହି ରେପୋରେଟ ହେଲା ବ୍ୟାଙ୍କ ସମୂହଙ୍କୁ ରିଜର୍ଭବ୍ୟାଙ୍କ ଦେଉଥିବା ଋଣ ଉପରେ ଲାଗୁ ହେଉଥିବା ସୁଧ। ଏବେ ଏହା ୬.୨୫%ରୁ କମି ୬ ଶତାଂଶ ହେବ। ଏହା ପୂର୍ବରୁ ରିଜର୍ଭବ୍ୟାଙ୍କ ଶୂନ ଦଶମିକ ୨୫ ଶତାଂଶ ରେପୋରେଟ ହ୍ରାସ କରିଥିଲା। କ୍ରମାଗତଭାବେ ଦୁଇଥରରେ ଶୂନଦଶମିକ ୫୦ ଶତାଂଶ ସୁଧହାର ହ୍ରାସ ପାଇବା ଏକ ନୂଆ ଘଟଣା। ଏହା ଫଳରେ ବ୍ୟାଙ୍କ ସମୂହ କମ୍‌ ସୁଧରେ ଅର୍ଥ ପାଇବେ ଏବଂ ଋଣ ପ୍ରଦାନରେ ପୂର୍ବାପେକ୍ଷା କମ୍‌ହାରରେ ଋଣ ଦେବେ ଏହା ଆଶା କରାଯିବା ସ୍ବାଭାବିକ। ରିଜର୍ଭବ୍ୟାଙ୍କର ଏହି ନିଷ୍ପତ୍ତି ଛ’ଜଣିଆ ବୋର୍ଡରେ ୪/୨ ମତରେ ଗୃହୀତ ହୋଇଛି। ଦ୍ବିତୀୟ କଥା ହେଉଛି ମୁଦ୍ରାନୀତି ନିର୍ଦ୍ଧାରଣ କ୍ଷେତ୍ରରେ ରିଜର୍ଭବ୍ୟାଙ୍କ ନିରପେକ୍ଷତା ଅବଲମ୍ବନ କରିଛି ଏବଂ ଏ କ୍ଷେତ୍ରରେ ଯେଉଁ ବାସ୍ତବତା ଉପୁଜିଛି ସେଥିପ୍ରତି ନଜର ରଖିଛି।
ଭାରତୀୟ ଅର୍ଥନୀତି ଏ​‌େ​‌ବ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ। ଅର୍ଥନୀତି ତାହାର ଦକ୍ଷତା ଅନୁସାରେ ଉତ୍ପାଦନ ବା ଫଳ ଦେଉନାହିଁ। ଆନ୍ତର୍ଜାତିକ ଆର୍ଥିକ ପରିବେଶ ଅନୁକୂଳ ନଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର କମି ୭.୨ ଶତାଂଶ ହେବ। ସେହିଭଳି ୨୦୧୯ ବର୍ଷର ଚତୁର୍ଥ ​‌େ‌ତ୍ରୖମାସିକ ବେଳକୁ ଖୁଚୁରା ମୁଦ୍ରାସ୍ଫୀତି ୨.୪ ଶତାଂଶକୁ ହ୍ରାସ ପାଇବ ବୋଲି ସଂଶୋଧିତ ହିସାବ ରିଜର୍ଭବ୍ୟାଙ୍କ ପକ୍ଷରୁ କରାଯାଇଛି। ମୋଟାମୋଟି ଦେଖିଲେ ଏହି ସୁଧହାର ହ୍ରାସ ମାଧ୍ୟମରେ ରିଜର୍ଭବ୍ୟାଙ୍କ ଅର୍ଥନୀତିର ଅଭିବୃଦ୍ଧିରେ ମନ୍ଥରତାକୁ ସ୍ବୀକାର କରିଛି। କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବରେ ଗଠିତ ବିତ୍ତୀୟ ନୀତି ନିର୍ଦ୍ଧାରଣକାରୀ କମିଟି (ଏମ୍‌ପିସି) ଏଥର କେବଳ ମୁଦ୍ରାସ୍ଫୀତି ଉପରେ ଦୃଷ୍ଟି କେନ୍ଦ୍ରିତ ନ’କରି ଅଭିବୃଦ୍ଧି ଶୈଳୀ ଉପରେ ନଜର ରଖିଛି। ତେଣୁ ବିତ୍ତୀୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ନିରପେକ୍ଷତା ରକ୍ଷା ଏକ ବୁଦ୍ଧିମାନ କାର୍ଯ୍ୟବୋଲି କହିଲେ ଭୁଲ ହେବନାହିଁ।
ଜୁନ୍‌ରେ ପରବର୍ତ୍ତୀ ମୁଦ୍ରା ନୀତି ବୈଠକ ପୂର୍ବରୁ ଆଉ ଯେଉଁ କେତେକ କାରଣ ଅର୍ଥନୀତିକୁ ସିଧା ପ୍ରଭାବିତ କରିବ ତାହା ହେଲା ଆସନ୍ତା ମୌସୁମୀ ବର୍ଷା ଓ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳମୂଲ୍ୟ। ଏହି ଦୁଇଟି ଯଦି ଅନୁକୂଳ ହୁଏ ଅର୍ଥନୀତିରେ ସମୃଦ୍ଧି ଆସିବ ଏବଂ ସେଥିପାଇଁ ବୋଧହୁଏ ରିଜର୍ଭବ୍ୟାଙ୍କ ବୁଝିବିଚାରି ମୁଦ୍ରାନୀତିରେ ହାତ ମାରିନାହାନ୍ତି। ସେଇଭଳି ବ୍ୟାଙ୍କ ସମୂହଙ୍କ ଅଚଳ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରିପ୍ରେକ୍ଷୀରେ ରିଜର୍ଭବ୍ୟାଙ୍କ ବାର୍ତ୍ତା ଦେଇଛନ୍ତି ଯେ ଏହାର ନୀତିସହ ସାଲିସ ହୋଇନାହିଁ ଏବଂ ଏ ସମ୍ପର୍କରେ ଏହା ଯଥାଯଥ ପଦକ୍ଷେପ ଗ୍ରହଣ କରିବ। ଏହା କେନ୍ଦ୍ରୀୟ ବ୍ୟାଙ୍କର ସ୍ବାଧୀନତାର ସନ୍ଦେଶ ଦେଇଛି।
ରେଟକଟ୍ ବା ସୁଧହାର ହ୍ରାସପାଇଁ ବିନା ଦ୍ବିଧାରେ ଏଥର ରିଜର୍ଭବ୍ୟାଙ୍କ ଯେଉଁ ନିଷ୍ପତ୍ତି ନେଇଛି ତା’ପଛରେ ରହିଛି ମୁଦ୍ରାସ୍ଫୀତିର ମୃଦୁ ଓ ସୁବିଧାଜନକ ସ୍ଥିତି; କାରଣ ଏବେ ଏହା ୨.୫୭%ରେ ରହିଛି। ଏହା ଚାରି ଶତାଂଶ ବା ମଧ୍ୟମ ବର୍ଗ ପର୍ଯ୍ୟନ୍ତ ଉଠିବାଯାଏ ରିଜର୍ଭବ୍ୟାଙ୍କର ଅସୁବିଧା ନାହିଁ। ତେବେ ଏହି ସୁଧହାର ହ୍ରାସ ଦ୍ବାରା ଗ୍ରାହକ ବା ଋଣକାରୀଙ୍କୁ ଯେ ବିଶେଷ ସୁବିଧା ମିଳିବ ସେ ସମ୍ଭାବନାଟି ଅଧିକ ଦିଶୁନାହିଁ। ଗତଥର ଯେଉଁ ସୁଧହାର କମିଥିଲା ତାହାର ଲାଭ ବ୍ୟାଙ୍କ ସମୂହ ଲୋକଙ୍କୁ ଦେଇନଥିଲେ। ଏ କ୍ଷେତ୍ରରେ ବ୍ୟାଙ୍କ ସମୂହଙ୍କର ଦୁଇଟି ଯୁକ୍ତି ରହିଛି ଯାହା ଅଯୌକ୍ତିକ ନୁହେଁ। ପ୍ରଥମତଃ ରେପୋରେଟ ହ୍ରାସ ସତ୍ତ୍ବେ ସେମାନଙ୍କର ଋଣବୋଝ କମୁନାହିଁ କିମ୍ବା ଜମା ବଢ଼ୁନି। ଅର୍ଥାତ କାରବାର ମାନ୍ଦା ରହୁଛି। ଦ୍ବିତୀୟତଃ ସେମାନଙ୍କର ଆର୍ଥିକ ପ୍ରସାର ବା ସଂଚରଣ ମନ୍ଥର ହେଉଛି। ଏ ଦୁଇଟି ପୁରୁଣା ସମସ୍ୟା ଏବଂ ଏହାର ଅନେକ କାରଣ ରହିଛି। ୨୦୧୦ରୁ ଏହାର ସମାଧାନ ପାଇଁ ଉଦ୍ୟମ ଚାଲିଛି। ଏବେକାର ଗଭର୍ଣ୍ଣର ତାହାର ସମାଧାନ କରିବାରେ କେତେ ସଫଳ ହେବେ ତା’ ଉପରେ ସବୁ ନିର୍ଭର କରୁଛି। ଯେ ପର୍ଯ୍ୟନ୍ତ ବ୍ୟାଙ୍କ ସମୂହଙ୍କର ସହଯୋଗ ନମିଳିବ ରିଜର୍ଭ ବ୍ୟାଙ୍କର ସୁଧ ହ୍ରାସ ନୀତିରୁ ସାଧାରଣ ଜନତା ବା ଋଣ ଗ୍ରହୀତା କୌଣସି ଲାଭ ପାଇବେ ନାହିଁ।

kalyan agarbati

Comments are closed.