ନାବାଳିକାର ବିବାହ ସ୍ଥିର ହୋଇଥିବା ଜାଣି ଘରେ ପହଞ୍ଚି ତଦନ୍ତ କଲେ ସିଡିପିଓ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗ୍ରାମର ଜଣେ ୧୫ ବର୍ଷିଆ ନାବାଳିକାର ଗାରାମାପେଟାର ୩୨ ବର୍ଷିଆ ଯୁବକ ସହ ଆସନ୍ତା ଡ଼ିସେମ୍ବର ୧ ତାରିଖରେ ବିବାହ ସମ୍ପନ୍ନ ହେଉଥିବା ଅଭିଯୋଗକୁ ଭିତ୍ତି କରି ଆଜି ସିଡିପିଓଙ୍କ ସମେତ ଏକ ଟିମ ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲେ ମଧ୍ୟ ନାବାଳିକା ଜଣଙ୍କ ଘରେ ନଥିବା ଜଣାପଡିଛି। ଅଭିଯୋଗକୁ ଭିତ୍ତି କରି ଆଜି ରଙ୍ଗେଇଲୁଣ୍ଡା ବ୍ଲକରେ ଇନଚାର୍ଜ ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀଙ୍କ ସମେତ ଏକ ଟିମ ପ୍ରଥମେ ନୂଆ ଗୋଳାବନ୍ଧ ସ୍ଥିତ ନାବାଳିକାକୁ ଘରକୁ ଯାଇ ତଦନ୍ତ କରିବା ସହ ପରିବାର ସହ ଏହା ନେଇ ଆଲୋଚନା କରିଥିଲେ।

କିନ୍ତୁ ନାବାଳିକାର ପରିବାର ପକ୍ଷରୁ ବିବାହ ଅନୁଷ୍ଠିତ ନେଇ କୈାଣସି ସନ୍ତୋଷ ଜନକ ଉତ୍ତର ଦେଇନଥିବା ବେଳେ ନାବାଳିକା ଜଣଙ୍କୁ ଘରୁ କେଉଁ ଆଡେ ପଠାଇ ଦେଇଥିବା ଜଣାପଡିଥିଲା। ଏହାପରେ ନାବାଳିକା ଜଣଙ୍କ ସାନ ଆର୍ଜିପଲ୍ଲୀଠାରେ ନିଜ ଅଜାଘରେ ରହୁଥିବା ଜାଣିପାରି ଆର୍ଜିପଲ୍ଲୀ ମେରାଇନ ଥାନା ପୁଲିସ ସହାୟତାରେ ଅଜାଘରେ ପହଞ୍ଚି ତଦନ୍ତ କରିଥିଲେ ସୁଦ୍ଧା ସେଠାରେ ମଧ୍ୟ ନାବାଳିକାକୁ ନପାଇ ପରିବାର ବର୍ଗଙ୍କୁ ବୁଝାସୁଝା କରି, ଝିଅର ବୟସ ୧୮ ବର୍ଷ ନହେବା ଯାଏଁ ବିବାହ ନକରାଇବାକୁ କହିଥିବା ଶ୍ରୀମତି ପାଣାଗ୍ରାହୀ ସୂଚନା ଦେଇଛନ୍ତି। ଘଟଣା ନେଇ ଗାରାମାପେଟା ସ୍ଥିତ ପୁଅ ଘରକୁ ମଧ୍ୟ ବୁଝାସୁଝା କରାଯାଇଥିବା ଜଣାପଡିଛି। ଉଭୟଙ୍କ ବିବାହ ବନ୍ଦ ନ କରାଗଲେ ଆଇନ ଅନୁସାରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତି ପାଣାଗ୍ରାହୀ ପ୍ରକାଶ କରିଛନ୍ତି ।

Comments are closed.