ଧୋନି ଓ ପଙ୍କଜ ପାଇଲେ ପଦ୍ମଭୂଷଣ

0

ନୂଆଦିଲ୍ଲୀ- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ସ୍ନୁକର ବିଶ୍ୱ ଚମ୍ପିଆନ୍‌ ପଙ୍କଜ ଆଡୱାଣୀ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧୋନି ଓ ଆଡୱାଣୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ସୂଚନାଥାଉକି ୭ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ଭାବେ ଧୋନି ଭାରତକୁ ଆଇସିସି ଦିନିକିଆ ବିଶ୍ୱକପ୍‌ ଚମ୍ପିଆନ୍‌ କରାଇଥିଲେ। ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିବାକୁ ଧୋନି ଲେଫଟନାଣ୍ଟ କର୍ଣ୍ଣଲ ପୋଷାକ ପିନ୍ଧି ଆସିଥିଲେ। ୨୦୧୧ରେ ଧୋନିଙ୍କୁ ଭାରତୀୟ ଆଞ୍ଚଳିକ ସେନା ତରଫରୁ ଧୋନିଙ୍କୁ ସମ୍ମାନଜନକ ଲେଫଟନାଣ୍ଟ କର୍ଣ୍ଣଲ ପଦ ପ୍ରଦାନ କରାଯାଇଥିଲା। ପୂର୍ବତନ ଅଧିନାୟକ କପିଳ ଦେବଙ୍କ ପରେ ଧୋନି ପଦ୍ମଭୂଷଣ ପୁରସ୍କାର ପାଇବାରେ ଦ୍ୱିତୀୟ ଭାରତୀୟ କ୍ରିକେଟର୍‌। ପୂର୍ବରୁ ଧୋନି ୨୦୦୮ ଓ ୨୦୦୯ରେ ଆଇସିସି ଶ୍ରେଷ୍ଠ ଦିନିକିଆ କ୍ରିକେଟ୍‌ର ପୁରସ୍କାର, ୨୦୦୭ରେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଥିଲେ। ସେହିପରି ୨୦୦୯ରେ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।
ଧୋନିଙ୍କ ପରି ଆଡୱାଣୀଙ୍କ କ୍ୟାରିୟର ମଧ୍ୟ ସଫଳତାରେ ପରିପୂର୍ଣ୍ଣ। ୨୦୦୬ ଓ ୨୦୧୦ ଏସିଆ ଗେମ୍‌ସରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାବାଦ୍‌ ସେ ବହୁଥର ବିଶ୍ୱ ଚମ୍ପିଆନ୍‌ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଏହି ଦୁଇଜଣଙ୍କ ବ୍ୟତୀତ ପୁରୁଷ ସିଙ୍ଗଲ୍‌ସ ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ, ଟେନିସ ଖେଳାଳି ସୋମଦେବ ଦେବବର୍ମନ, ୪୮ କେଜି ବିଭାଗରେ ବିଶ୍ୱ ଚମ୍ପିଆନ୍‌ ମହିଳା ଭାରୋତ୍ତୋଳନକାରୀ ସାଇଖୋମ୍‌ ମୀରାବାଇ ଚାନୁ ଓ ପାରା ଆଥଲେଟ୍‌ ମୁରଲୀକାନ୍ତ ପେଟ୍‌କରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଗତ ମାର୍ଚ୍ଚ ୨୧ରେ ମୀରାବାଇଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ସାରିଛନ୍ତି। ମୀରାବାଇ ବର୍ତ୍ତମାନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ଅଷ୍ଟ୍ରେଲିଆର ଗୋଲଡ୍‌ କୋଷ୍ଟରେ ଅଛନ୍ତି।

Leave A Reply