ଦୃଷ୍ଟିହୀନଙ୍କ ପ୍ରିୟ ଆର୍.ଜେ ଅନୀତା

0

ବିଭିନ୍ନ କାମରେ ନିଜ ଆତ୍ମସନ୍ତୋଷ ଖୋଜି ପାଉଥିବା ଲୋକଙ୍କ ସଂଖ୍ୟା ହାତଗଣତି, ହେଲେ ସମସ୍ତେ ନିଜ କାମକୁ ନିଷ୍ଠାର ସହ କରିପାରନ୍ତି ନାହିଁ। ଇନ୍ଦୋରର ଯୁବତୀ ଅନୀତା ଶର୍ମା କଡ଼ା ସଂଘର୍ଷ କରି ଆଜିର ସମୟରେ ‘ଦୃଷ୍ଟିହୀନଙ୍କ ଆର୍.ଜେ’ ଭାବେ ଲୋକପ୍ରିୟତା ହସଲ କରିଛନ୍ତି। ଦୈନିକ ୧୦ହଜାରରୁ ଅଧିକ ଦୃଷ୍ଟିହୀନ ତାଙ୍କ ରେଡିଓ କାର୍ଯ୍ୟକ୍ରମକୁ ଶୁଣିବା ସହ ଯୋଗାଯୋଗ କରିଥାନ୍ତି। ୨୦୧୧ବେଳକୁ ସେ ସ୍ଥାନୀୟ ‘ମହେଶ ଦୃଷ୍ଟିହୀନ କଲ୍ୟାଣ ସମିତି’ ସହାୟତାରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର ସୁଯୋଗ ପାଇଲେ। ସେଠାରେ ସେମାନଙ୍କୁ ହିନ୍ଦୀ, ଇଂରାଜୀ, ଗଣିତ ଇତ୍ୟାଦି ବିଷୟ ପଢ଼ାଇଲାବେଳେ ଅନୀତା ଅନୁଭବ କଲେ ଯେ ଏହି ପିଲାମାନେ ଖୁବ୍ ଧୁରୀଣ ଅଛନ୍ତି। ଏଣୁ ସେମାନଙ୍କୁ ଅଧିକ ଉତ୍ସାହିତ କରିବାକୁ ପଛାଇ ନଥିଲେ ସେ। ଯୁବଗୋଷ୍ଠୀର ଦୃଷ୍ଟିହୀନମାନେ ମଧ୍ୟ ସେଇ ଅନୁଷ୍ଠାନକୁ ନିୟମିତ ଆସୁଥିଲେ ହେଲେ ସେମାନଙ୍କ ମୁଖ୍ୟ ଅସୁବିଧା ଥିଲା ଦେଶବିଦେଶର ଖବର ଜାଣିପାରୁନଥିଲେ କିମ୍ବା ସେମାନଙ୍କୁ କେହି ମଧ୍ୟ ସହଯୋଗର ହାତ ବଢ଼ାଉ ନଥିଲେ। ଅନୀତା ହିଁ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗଭର ହେଲେ। ହ୍ବାଟସ୍ ଆପ୍ ଜରିଆରେ ଦୈନିକ ସକାଳବେଳା ସେ ସଂଖ୍ୟାଧିକ ଦୃଷ୍ଟିହୀନଙ୍କୁ ୩-୪ଟି ଖବରକାଗଜ ପଢ଼ି ଶୁଣାଇଥାନ୍ତି। ପରେ ସେମାନେ ଅନ୍ୟାନ୍ୟ ଗ୍ରୁପ୍‌କୁ ଏସବୁ ତଥ୍ୟ ତୁରନ୍ତ ପଠାଇଥାନ୍ତି। ଏହା ସହ ଚାକିରି ହେଉ କିମ୍ବା ଅନ୍ୟ କୌଣସି ଜରୁରୀ ତଥ୍ୟ, ଏସବୁ ମଧ୍ୟ ଆର.ଜେ ଅନୀତା ନିଜ ଦୃଷ୍ଟିହୀନ ଶ୍ରୋତାଙ୍କୁ ତୁରନ୍ତ ଅବଗତ କରାଇଥାନ୍ତି। ତାଙ୍କର ଏଇ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ପ୍ରଶଂସା କରାଯାଇଛି।

Leave A Reply