ଚୀନର ଛଦ୍ମ ଆକ୍ରମଣ
ନବ୍ୟ ଆର୍ଥିକ ଭୀମକାୟ ଶକ୍ତି ଚୀନ ଆସନ୍ତା ମାସରୁ ତାହାର ଦ୍ବିତୀୟ ଓ ବହୁଚର୍ଚ୍ଚିତ ଏକ ଇଲାକା ଏକ ରାସ୍ତା (ଓବିଓଆର୍) ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛି। ଅଞ୍ଚଳ ଓ ସଡ଼କ ପ୍ରୟାସ (ବିଆର୍ଏ) ନାମରେ ମଧ୍ୟ ଏହା ଜଣାଶୁଣା। ଚୀନର କହିବା ଅନୁସାରେ ଏହାର ଲକ୍ଷ୍ୟ ହେଲା ଗୋଟିଏ ଭୌଗୋଳିକ ଭୂଖଣ୍ଡରେ ରହୁଥିବା ଦେଶଗୁଡ଼ିକ ମଧ୍ୟରେ ସଡ଼କ ଓ ଅନ୍ୟାନ୍ୟ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଆଣି ସମ୍ପୃକ୍ତ ରାଷ୍ଟ୍ରସମୂହ ମଧ୍ୟରେ ସହଯୋଗ ଓ ସମୃଦ୍ଧି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା। ଏହି ପ୍ରକଳ୍ପରେ ଚୀନ ବିପୁଳ ଅର୍ଥ ବିନିଯୋଗ କରି ଭୌତିକ ଭିତ୍ତିଭୂମି ବିକାଶ ପାଇଁ କାମ କରୁଛି ଏବଂ ଏହା ଏସିଆ, ଆଫ୍ରିକା ଏବଂ ୟୁରୋପୀୟ ରାଷ୍ଟ୍ରଙ୍କ ପାଇଁ ଉଦ୍ଦିଷ୍ଟ। ଚୀନର ଏହି ପରିକଳ୍ପନା ଓ ପ୍ରଯୋଜନାର ବାସ୍ତବ ଲକ୍ଷ୍ୟ ଭିନ୍ନ। ବିଭିନ୍ନ ଦେଶରେ ଭିତ୍ତିଭୂମି ବିକାଶରେ ବିପୁଳ ପୁଞ୍ଜି ବିନିଯୋଗ କରି ଚୀନ ତାହାର ବିଦେଶୀ ନିବେଶ ପ୍ରକ୍ରିୟାକୁ ବଢ଼ାଇବାକୁ ଚାହୁଁଛି ଏବଂ ତା’ପାଖରେ ଥିବା ବିପୁଳ ପୁଞ୍ଜିକୁ ଲାଭଜନକ ବ୍ୟବସାୟରେ ଖଟାଇବାକୁ ଉଦ୍ୟମ କରୁଛି।
ପ୍ରଥମ ପର୍ଯ୍ୟାୟ ବିଆର୍ଏରେ ପାକିସ୍ତାନ ସହ କେତେକ ରାଷ୍ଟ୍ର ସାମିଲ ହୋଇଛନ୍ତି। ତେବେ ଚୀନର ଏହି ଯୋଜନାରେ ସାମିଲ ହେଉଥିବା ରାଷ୍ଟ୍ରମାନଙ୍କର ସାର୍ବଭୌମତ୍ବ ଏବଂ ଜାତୀୟ ନିରାପତ୍ତା ବିପନ୍ନ ହେବାର ଆଶଙ୍କା ରହିଥିବା ଦର୍ଶାଇ ଭାରତ ସେଥିରୁ ଦୂରେଇ ରହିଛି। ଏହି ଯୋଜନାରେ ପାକ୍ ଅଧିକୃତ କାଶ୍ମୀର ଦେଇ ପାକିସ୍ତାନର କରାଚି ବନ୍ଦର ପର୍ଯ୍ୟନ୍ତ ଚୀନ ଯେଉଁ ନୂଆ ରେଶମ ପଥ (ସିଲ୍କ ରୁଟ୍) ନିର୍ମାଣ କରୁଛି ଭାରତ ସେ ନେଇ ମଧ୍ୟ ଆପତ୍ତି ଉଠାଇଛି। ଏବେ ପ୍ରଥମ ୟୁରୋପୀୟ ରାଷ୍ଟ୍ର ଭାବେ ଇଟାଲୀ ଚୀନର ଏହି ଯୋଜନାରେ ସାମିଲ ହେବା ପାଇଁ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଛି। ଇଟାଲୀ ମଧ୍ୟ ‘ଜି-୭’ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ। ଏହି ଦେଶସମୂହ ବିଶ୍ବର ଧନୀରାଷ୍ଟ୍ର ଭାବେ ପରିଗଣିତ। ଇଟାଲୀର ଏହି ନିଷ୍ପତ୍ତି ଦେଶରେ ଜନବିରୋଧର ସମ୍ମୁଖୀନ ହୋଇଥିବାବେଳେ ମିତ୍ରରାଷ୍ଟ୍ର ଆମେରିକାକୁ ମଧ୍ୟ ଅସନ୍ତୁଷ୍ଟ କରିଛି। ବୁଝାମଣାରୁ ଓହରି ଆସିବାକୁ ଇଟାଲୀ ଉପରେ ଆମେରିକାର ଚାପ ବଢ଼ୁଛି।
ପ୍ରଥମରୁ ଭାରତ ଏହି ଯୋଜନା ନେଇ ଯେଉଁ ସନ୍ଦେହ ଓ ଦୂରଭିସନ୍ଧି ଦେଖୁଥିଲା ତାହାକୁ ଆମେରିକା ଏବେ ମୁକ୍ତକଣ୍ଠରେ ସ୍ବୀକାର କରି ଏହାର ବିରୋଧ ଆରମ୍ଭ କରିଛି। ଏହା ବିରୋଧରେ ନିଜର ମିତ୍ରରାଷ୍ଟ୍ରଙ୍କୁ ଏକାଠି କରିବାକୁ ଆମେରିକା ବାହାରିବା ଭାରତୀୟ ବିଚାରରୁ ଏକ ଭଲ ଘଟଣା। ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ସ୍ପଷ୍ଟଭାବେ କହିଛନ୍ତି ଯେ ଚୀନ ଏହି ଯୋଜନା ମାଧ୍ୟମରେ ଅନ୍ୟ ଦେଶଙ୍କୁ ସାମିଲ କରି ସେମାନଙ୍କୁ ଋଣଜାଲରେ ପକାଇବା ସହ ନିଜର ପୁଞ୍ଜି ନିବେଶ ଓ ଆର୍ଥିକ ପ୍ରଭାବ ବଢ଼ାଇବାକୁ ଚେଷ୍ଟିତ। ତାଙ୍କ ଦେଶ ଚୀନର ଏହି ଚତୁର ଆର୍ଥିକ ବିସ୍ତାରବାଦୀ ପଦକ୍ଷେପକୁ କଡ଼ା ପ୍ରତିରୋଧ କରିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।
ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦର ହେଉ ଅଥବା ପାକିସ୍ତାନ-ଚୀନ ସିଲ୍କ ରୁଟ୍ ନିର୍ମାଣ ବେଜିଂ କର୍ତ୍ତୃପକ୍ଷଙ୍କ ତଥାକଥିତ ସଂଯୋଗ ପ୍ରକଳ୍ପ ପଛର ନଗ୍ନ ବାସ୍ତବତାକୁ ବିଶ୍ବର ପ୍ରମୁଖ ରଣନୀତି ବିଶାରଦ ଓ ଅର୍ଥଶାସ୍ତ୍ରୀଗଣ ପଦାକୁ ଆଣି ବିଭିନ୍ନ ରାଷ୍ଟ୍ରଙ୍କୁ ସତର୍କ କରାଇ ଦେଇସାରିଛନ୍ତି। ଚୀନର ଅସଲ ଉଦ୍ଦେଶ୍ୟ ବିଦେଶରେ ନିଜର ପୁଞ୍ଜି ନିବେଶ ବଢ଼ାଇ ସମ୍ପୃକ୍ତ ରାଷ୍ଟ୍ରଙ୍କୁ ଋଣଜାଲରେ ଛନ୍ଦିବା। ଏହା ଏକ ଚତୁର ଆର୍ଥିକ ବିକାଶ ଓ ପୁଞ୍ଜିନିବେଶ ଯୋଜନା ଯାହାଦ୍ବାରା ଚୀନ ଅନ୍ୟରାଷ୍ଟ୍ରର ସଡ଼କ, ରେଳପଥ, ବିମାନବନ୍ଦର, ବନ୍ଦର, ଟେଲିକମ୍ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି କ୍ଷେତ୍ରର ବିକାଶ କରିବାକୁ ବିପୁଳ ପୁଞ୍ଜି ଖଟାଇ ସେମାନଙ୍କୁ ପରୋକ୍ଷରେ ନିୟନ୍ତ୍ରିତ କରିବ। ଚୀନର ଏହି ଜାଲରେ ଥରେ ଫସିଲେ ଗରିବ ଓ ଅନୁନ୍ନତ ରାଷ୍ଟ୍ରମାନେ ଯେ ଖସିବା ମୁସ୍କିଲ୍ ତାହା ଶ୍ରୀଲଙ୍କା ଘଟଣାରୁ ପ୍ରମାଣିତ। ପାକିସ୍ତାନ ମଧ୍ୟ ଏହାଦ୍ବାରା ସର୍ବସ୍ବାନ୍ତ ହେବ ବୋଲି ମଧ୍ୟ ବିଶେଷଜ୍ଞମାନେ ସତର୍କ କରାଇ ଦେଲେଣି। ବିଶେଷକରି ଚୀନ ସହିତ ଏହି ପ୍ରକଳ୍ପରେ ସାମିଲ ଏସିଆ ଓ ଦକ୍ଷିଣ-ପୂର୍ବ ଏସିଆର ଦେଶଙ୍କ ପାଇଁ ଏହା ବଡ଼ ସମସ୍ୟା ଭାବେ ଉଭା ହୋଇଛି।
ୟୁରୋପରେ ଚୀନର ପୁଞ୍ଜିନିବେଶ ଗତବର୍ଷ ୪୦% କମିବା ପରେ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରଙ୍କୁ ପ୍ରଭାବିତ କରି ବେଜିଂ କର୍ତ୍ତୃପକ୍ଷ ଏହି ଯୋଜନାରେ ସାମିଲ ହେବାକୁ ପ୍ରବର୍ତ୍ତାଉଛନ୍ତି। ଇଟାଲୀ ପ୍ରଥମ ରାଷ୍ଟ୍ରଭାବେ ଏଥିରେ ସାମିଲ ହେବାକୁ ରାଜି ହୋଇଥିଲେ ମଧ୍ୟ ୟୁରୋପୀୟ ସଂଘ ଚୀନ ପୁଞ୍ଜିନିବେଶ ନେଇ ଖୁବ୍ଶୀଘ୍ର ଏକ ନୀତି ନିର୍ଦ୍ଧାରଣ କରିବାକୁ ନିଷ୍ପତ୍ତି ନେଇଛି। ବାସ୍ତବରେ ଚୀନ ଏ କ୍ଷେତ୍ରରେ ବଦାନ୍ୟତା ପ୍ରକାଶ କରୁନାହିଁ କିମ୍ବା ଦରିଦ୍ର ରାଷ୍ଟ୍ରଙ୍କ ବିକାଶ ପାଇଁ ତା’ର ହୃଦୟ ତରଳି ଯାଉନି। ନିଜର ଆର୍ଥିକ ସ୍ବାର୍ଥରକ୍ଷା ଓ ସାମରିକ-ରାଜନୈତିକ କର୍ତ୍ତୃତ୍ବ ପ୍ରକାରାନ୍ତରେ ଜାହିର କରିବାକୁ ଚୀନ ଏହା କରୁଛି।
ସୁଖର କଥା ଏ କ୍ଷେତ୍ରରେ ଭାରତକୁ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରଙ୍କ ନୈତିକ ସମର୍ଥନ ମିଳିଛି। ଚୀନର ଏହି ଛଦ୍ମ ଆକ୍ରମଣର ମିଳିତ ମୁକାବିଲା କରିବାର ସମୟ ଆସିଛି। ବିଶ୍ବର ବୃହତ୍ଶକ୍ତି ଆମେରିକାର ନିଦ ଠିକ୍ ସମୟରେ ଭାଙ୍ଗିଛି। ଏବେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିବାର ସମୟ।