ଗୋକୁଳମ୍‍କୁ ହରାଇ କ୍ୱାର୍ଟରରେ ବେଙ୍ଗାଲୁରୁ

0

ଭୁବନେଶ୍ୱର: ଭେନେଜୁଏଲାର ଷ୍ଟ୍ରାଇକର ମିକୁ ଓ ଫରୱାର୍ଡ ଉଦାନ୍ତ ସିଂହଙ୍କ ଦର୍ଶନୀୟ ଗୋଲ ବଳରେ ବେଙ୍ଗାଲୁରୁ ଏଫ୍‍ସି ଚଳିତ ସୁପର କପ୍‍ ଫୁଟବଲ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ୨ୟ ଦଳ ଭାବେ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅପରାହ୍ନରେ ଖେଳା ଯାଇଥିବା ୨ୟ ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ବେଙ୍ଗାଲୁରୁ ଏଫ୍‍ସି ୨-୧ ଗୋଲରେ ଗୋକୁଳମ୍‍ ଏଫସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ୧-୦ ଗୋଲରେ ପଛରେ ରହିଥିବା ବେଙ୍ଗାଲୁରୁ ଏଫ୍‍ସି ଦ୍ୱିତୀୟାର୍ଦ୍ଧରେ ଚମତ୍କାର ପ୍ରଦର୍ଶନ କରି ୨ଟି ଗୋଲ୍‍ ସ୍କୋର୍‍କରି ବିଜୟୀ ହୋଇଛି। ଏହି ପରାଜୟ ସହ ଗୋକୁଳମ୍‍ କେରଳ ଏଫ୍‍ସି ପ୍ରତିଯୋଗିତାରୁ ବିଦାୟ ନେଇଛି।
ପ୍ରାରମ୍ଭରୁ ତାରକା ଖଚିତ ବେଙ୍ଗାଲୁରୁ ଉପରେ କେରଳୀ ଦଳ ଗୋକୁଳମ୍‍ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ୮ ମିିନଟ୍‍ରେ ବେଙ୍ଗାଲୁରୁ ଏଫସି ଗୋଲ୍‍ ଦେବାର ପ୍ରଥମ ସୁଯୋଗ ପାଇଥିଲେ ମଧ୍ୟ ଦଳ ବିଫଳ ହୋଇଥିଲା। ୧୦ ଓ ୧୧ ମିନିଟ୍‍ରେ ବେଙ୍ଗାଲୁରୁ ଗୋଲ ଦେବାର ୨ଟି ସୁଯୋଗ ପାଇଥିଲେ ମଧ୍ୟ ମିକୁ ଓ ଶୁଭାଶିଷ ଘୋଷଙ୍କ ସଟ୍‍କୁ ଗୋକୁଳମ୍‍ ଗୋଲକିପର ନିଖିଲ ବର୍ଣ୍ଣାଡ୍‍ ଅଟକାଇ ଦେଇଥିଲେ। ୧୬ ମିନିଟରେ ଗୋକୁଳମ ପ୍ରଥମଥର ବିପକ୍ଷ ଦଳ ଗୋଲପୋଷ୍ଟକୁ ଆକ୍ରମଣ କରିଥିଲେ ମଧ୍ୟ ଗୋଲ୍‍ଦେବାରେ ବିଫଳ ହୋଇଥିଲେ। ୧୭ ମିନିଟ୍‍ରେ ବେଙ୍ଗାଲୁରୁ ଅଧିନାୟକ ସୁନୀଲ ଛେତ୍ରୀ ମଧ୍ୟ ଏକ ସୁଯୋଗ ଛାଡ଼ିଥିଲେ। ୩୩ ମିନିଟ୍‍ରେ ଗୋକୁଳମ୍‍ର ଉଗାଣ୍ଡାର ମଧ୍ୟପନ୍ଥୀ ଖେଳାଳି ମୁସାଙ୍କ ଏକ ପାସ୍‍କୁ ବିଦେଶୀ ଖେଳାଳି ହେନେରୀ କିସାକା ଗୋଲରେ ପରିଣତ କରି ଦଳକୁ ଆଗୁଆ କରିଥିଲେ। ୧-୦ ଗୋଲରେ ଗୋକୁଳମ ଆଗୁଆ ହେବା ପରେ ଅଧିକ ଉତ୍ସାହିତ ହୋଇ ଖେଳିଥିଲା। ୪୩ ମିନିଟରେ ଛେତ୍ରୀ ଆଉ ଏକ ସୁଯୋଗ ଛାଡ଼ିଥିଲେ। ପ୍ରଥମାର୍ଦ୍ଧରେ ଗୋକୁଳମ୍‍ ୧-୦ ଗୋଲରେ ଆଗୁଆ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ବେଙ୍ଗାଲୁରୁ ଏଫ୍‍ସି ଅଧିନ ସଂଗଠିତ ହୋଇ ଖେଳିଥିଲା। ୫୦ ମିନିଟରେ ଶୁଭାଶିଷଙ୍କ ଏକ ତୀବ୍ର ସଟ୍‍ ଗୋକୁଳମ୍‍ ଗୋଲପୋଷ୍ଟରେ ବାଜି ଫେରି ଆସିଥିଲା। ୫୭ତମ ମିନିଟ୍‍ରେ ଛେତ୍ରୀ ଆଉ ଏକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲେ। ଗୋକୁଳମ୍‍ ଗୋଲ୍‍ରକ୍ଷକଙ୍କୁ ବଲ୍‍ ଅତିକ୍ରମ କରି ଯାଇଥିବା ବେଳେ ଛେତ୍ରୀ ବଲ୍‍କୁ ବାହାରକୁ ମାରି ଦେଇଥିଲେ। ବେଙ୍ଗାଲୁରୁ ଶେଷରେ ସଫଳ ହୋଇଥିଲା ୭୦ତମ ମିନିଟ୍‍ରେ। ଭେନେଜୁଏଲା ଷ୍ଟ୍ରାଇକର ମିକୁ ଗୋଲ୍‍ଦେଇ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲେ। ଏହାପରେ ବେଙ୍ଗାଲୁରୁ ଅଧିକ ଆକ୍ରମଣାତ୍ମକ ମୁଦ୍ରାରେ ଖେଳିଥିଲା। ୯୫ ମିନିଟ୍‍ରେ ବେଙ୍ଗାଲୁରୁ ଏଫ୍‍ସି ପାଇଁ ସ୍ପେନ୍‍ର ଖେଳାଳି ଆଣ୍ଟୋନିଓ ଡୋଭେଲେଙ୍କ ପାସ୍‍କୁ ଉଦାନ୍ତ ସିଂହ ଗୋଲ୍‍ରେ ପରିଣତ କରି ଦଳକୁ ବିଜୟୀ କରିଥିଲେ। ଉଦାନ୍ତ ସିଂହଙ୍କୁ ଆମେଚର ବେସ୍‍ବଲ ଫେଡେରେସନ ଅଫ ଇଣ୍ଡିଆର ସଭାପତି ପଙ୍କଜ ଲୋଚନ ମହାନ୍ତି ମ୍ୟାନ ଅଫ ଦି ମ୍ୟାଚ୍‍ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply