କେବଳ ଆସନ କାହିଁକି? ବିଜେପିର ଭୋଟ ପ୍ରତିଶତ ମଧ୍ୟ କମିଛି

0

ନୂଆଦିଲ୍ଲୀ: ୧୦ଟି ରାଜ୍ୟ ମଧ୍ୟରୁ ୪ଟିରେ ଲୋକସଭା ଓ ୧୦ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ପରିଣାମ ବିଜେପିକୁ ଚିନ୍ତାରେ ପକାଇଛି। ଗୋଟିଏ ପଟେ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ବିଜେପି ବିପକ୍ଷରେ ଏକଜୁଟ ହୋଇଥିବା ପରିଲକ୍ଷିତ ହେଉଥିବାବେଳେ ବିଜେପିର ଭୋଟ ପ୍ରତିଶତ ମଧ୍ୟ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ କମିଥିବା ଜଣାପଡ଼ିଛି। ବିପକ୍ଷ ଦଳ ୧୪ଟି ଆସନରୁ ୧୧ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପିର ୨ଟି ଲୋକସଭା ଆସନ ଓ ଗୋଟିଏ ବିଧାନସଭା ଆସନ ହାତରୁ ଖସି ଯାଇଛି। ୨୦୧୪ ସାଧାରଣ ନିର୍ବାଚନ ପରେ ବିଜେପି ଅଧ୍ୟାବଧି ୨୭ଟି ଉପନିର୍ବାଚନର ସାମ୍ନା କରିଛି। ସେଗୁଡ଼ିକ ମଧ୍ୟରେ କେବଳ ୫ଟି ଉପ ନିର୍ବାଚନରେ ବିଜେପି ବିଜୟୀ ହୋଇ ପାରିଛି। ଏପରିକି ଇତିମଧ୍ୟରେ ବିଜେପିର ଭୋଟ ଅନୁପାତ ମଧ୍ୟ ଦ୍ରୁତ ହ୍ରାସ ପାଇବାରେ ଲାଗିଛି।
ଉତ୍ତରପ୍ରଦେଶର କୈରାନା ଲୋକସଭା ଆସନକୁ ଉଦାହରଣ ସ୍ୱରୂପ ନିଆଯାଇ ପାରେ। ୨୦୧୪ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ହୁକୁମ ସିଂହଙ୍କୁ ଏଠାରେ ୫୦.୬ ପ୍ରତିଶତ ଭୋଟ ମିଳିଥିଲା। ହେଲେ ତାଙ୍କ ମୃତ୍ୟୁ ପରେ ହୋଇଥିବା ଉପ-ନିର୍ବାଚନରେ ବିଜେପିର ମୃଙ୍ଗାକ ସିଂହଙ୍କୁ ଆରଏନଡି ପ୍ରାର୍ଥୀ ତବସୁମ୍‍ ପରାଜିତ କରିଛନ୍ତି। ବିଜେପି ବିପକ୍ଷରେ ଅନ୍ୟାନ୍ୟ ରାଜନୈତିକ ଦଳ ଏକଜୁଟ ହେବା ଦ୍ୱାରା ବିଜେପିକୁ କେବଳ ୪୬.୫ ପ୍ରତିଶତ ଭୋଟ ମିଳିଥିଲା। ଅର୍ଥାତ ବିଜେପିର ଭୋଟ ଅନୁପାତ ୪ପ୍ରତିଶତ କମ୍‍ ହୋଇଯାଇଛି।
ସେହିପରି ମହାରାଷ୍ଟ୍ରର ପାଲଘର ଓ ଭଣ୍ଡାରା-ଗୋନ୍ଦିଆ ଲୋକସଭା ଆସନରେ ପରିଣାମ ଆହୁରି ଶୋଚନୀୟ। ପାଲଘରରେ ବିଜେପିକୁ ୯ ପ୍ରତିଶତ ଓ ଗୋନ୍ଦିଆରେ ୨୩ ପ୍ରତିଶତ ଭୋଟ କମ୍‍ ମିଳିଛି। ଗୋନ୍ଦିଆରେ କଂଗ୍ରେସ-ଏନସିପି ମେଣ୍ଟ ପ୍ରାର୍ଥୀଙ୍କୁ ୮ ପ୍ରତିଶତ ଅଧିକ ଭୋଟ ମିଳିଛି।
ଅପରପକ୍ଷରେ ବିଧାନସଭା ଆସନ ନୂରପୁରରେ ଗତ ନିର୍ବାଚନରେ ବିଜେପିକୁ କେବଳ ୩୯ ପ୍ରତିଶତ ଭୋଟ ମିଳିଥିବାବେଳେ ବୁଧବାର ଭୋଟ ଗଣତିରେ ବିଜେପିକୁ ୪୭.୨ ପ୍ରତିଶତ ଭୋଟ ମିଳିଥିବା ଜଣାପଡ଼ିଛି।
ଲେପ୍ଟର ଗଡ଼ କେରଳରେ ବିଜେପିକୁ ବଡ଼ ଧରଣର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୨୦୧୪ ସାଧାରଣ ନିର୍ବାଚନ ଅନୁପାତରେ ଏଥର ବିଜେପିକୁ ୭ ପ୍ରତିଶତ କମ୍‍ ଭୋଟ ମିଳିଛି।
ଏହାକୁ ଅନୁଧ୍ୟାନ କଲେ ଏଥର ଅନୁଷ୍ଠିତ ଉପ-ନିର୍ବାଚନରେ ବିଜେପିରେ ମୋଦି ପ୍ରବାହ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଛି କହିଲେ ଭୁଲ ହେବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ବିଶାଳ ସମାବେଶ ବିଜେପିର ଭୋଟ ଅନୁପାତକୁ ବୃଦ୍ଧି କରିବାକୁ ବିଫଳ ହୋଇଛି। ଏଭଳି ପରିସ୍ଥିତିରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପାଇଁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ ଏଥିରେ ସନ୍ଦେହ ନାହିଁ। ବିଜେପି ବନାମ୍‍ ଅନ୍ୟାନ୍ୟ ରାଜନୈତିକ ଦଳ ଏକଜୁଟ ହେବେ ଏଥିରେ ସନ୍ଦେହ ନାହିଁ। ଏଭଳି କ୍ଷେତ୍ରରେ ବିଜେପି କେବଳ ବିକାଶର ରାଜନୀତି ନେଇ ମଇଦାନକୁ ଓହ୍ଲାଇବ ନା’ କାଉ କିଛି ନୂଆ ରଣନୀତି ଆପଣେଇବ ଏହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave A Reply