bjd gruha runa banner

ଏସୀୟ କ୍ରୀଡ଼ାରୁ ଶିକ୍ଷା

bjd  ek lkhya koti banner
0

ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଆମ ଖେଳାଳିମାନେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିବା ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଆନନ୍ଦିତ କରିବା ସହ ନୂତନ ଆଶା ସଞ୍ଚାର କରିଛି। ଏଥର ଭାରତ ୧୫ଟି ସ୍ବର୍ଣ୍ଣ ଓ ୨୪ଟି ରୌପ୍ୟପଦକ ସମେତ ୬୯ଟି ପଦକ ଜିତିପାରିଛି। ୨୦୧୦ରେ ଚୀନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ୬୫ଟି ପଦକ ହାସଲ କରିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଥର ଆମ କ୍ରୀଡ଼ାବିତ୍‌ମାନେ ଏଭଳି ଖେଳରେ ମଧ୍ୟ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ଆମେ ବେଶ୍ ପଛୁଆ ବୋଲି ଧରାଯାଏ। ଆଥଲେଟିକ୍ସ ଭଳି କ୍ରୀଡ଼ାରେ ତ ଭାରତୀୟମାନେ ମନୋଶାରୀରିକ ସଂରଚନା ଦୃଷ୍ଟିରୁ ଅନୁପଯୁକ୍ତ ବୋଲି ଧରାଯାଉଥିବାବେଳେ ଏଥର ସେଥିରେ ମଧ୍ୟ ଆମ ଖେଳାଳି ବେଶ୍ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଏକଦା ହେପ୍ଟାଥଲନ, ଟ୍ରିପଲ୍ ଜମ୍ପ୍, ଟେବୁଲଟେନିସ୍, ବ୍ୟାଡ଼ମିଣ୍ଟନ, ନୌଚାଳନା, ମହିଳା କୁସ୍ତି ଆଦି କ୍ଷେତ୍ରରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଆସିଥିବାବେଳେ ବର୍ତ୍ତମାନ ସେ ଅବସ୍ଥାରେ ଆଶ୍ଚର୍ଯ୍ୟଜନକ ସୁଧାର ଆସିଛି। ବ୍ରିଜ୍ ଭଳି କମ୍ ଲୋକପ୍ରିୟ ଖେଳରେ ମଧ୍ୟ ଭାରତୀୟ ଖେଳାଳିମାନେ ସ୍ବର୍ଣ୍ଣପଦକ ଜିଣି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ଅନ୍ୟପକ୍ଷରେ ଭାରତର ଦୁର୍ବଳତା ମଧ୍ୟ ଏହି କ୍ରୀଡ଼ାରେ କମ୍ ନାହିଁ, ଯେଉଁଥିରୁ ଆମେ ଶିଖିବା କଥା। ପ୍ରଥମ ଥର ପାଇଁ ଉଭୟ ପୁରୁଷ ଓ ମହିଳା କବାଡ଼ି ଦଳ ସ୍ବର୍ଣ୍ଣ ଜିତି ନପାରି ଫେରିବା ନିରାଶ କରିଛି। ସେହିପରି ଚମ୍ପିଆନ ପୁରୁଷ ହକି ଦଳ କେବଳ କାଂସ୍ୟପଦକରେ ନିଜକୁ ସନ୍ତୁଷ୍ଟ କରିଛି। ଏହି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଟୋକିଓ ଅଲିମ୍ପିକ୍‌ ପାଇଁ ସ୍ବତଃପ୍ରବୃତ୍ତ ମନୋନୀତ ହେବାରୁ ମଧ୍ୟ ଭାରତକୁ ବଞ୍ଚିତ କରିଛି। ନିରପେକ୍ଷ ଦୃଷ୍ଟିରୁ ବିଚାର କଲେ ୧୩୦ କୋଟି ଲୋକଙ୍କ ଦେଶ ଭାରତ ପାଇଁ ୬୯ଟି ପଦକ ସନ୍ତୋଷଜନକ ନୁହେଁ। ପଦକ ତାଲିକାର ଅଷ୍ଟମ ସ୍ଥାନରେ ରହିବା ହିଁ ଆମ ଦୁର୍ବଳତାକୁ ସୂଚିତ କରେ। ୨୮୯ଟି ପଦକ ଗୋଟାଇଥିବା ଚୀନ ନିଶ୍ଚୟ ଆମ ପାଇଁ ଈର୍ଷଣୀୟ ଓ ଶିକ୍ଷଣୀୟ। ଅଲିମ୍ପିକ୍ କଥା ଭାବିଲେ ଏବେ ବି ଆମର ସାହସ କୁଳାଉନାହିଁ। ଏସୀୟ କ୍ରୀଡ଼ାରେ ସଫଳ ହୋଇଥିବା ଆମ କ୍ରୀଡ଼ାବିତ୍‌ମାନେ ମଧ୍ୟ ଆଗାମୀ ୨୦୨୦ ଅଲିମ୍ପିକ୍‌ରେ ଠିକ୍ ସେହିଭଳି ପ୍ରଦର୍ଶନକୁ ଦୋହରାଇବେ, ତାହା ନିଶ୍ଚିତ କରି କହିହେଉନାହିଁ। ଏପରି ଭାବିବାର କାରଣ କାହାକୁ ଅଗୋଚର ନୁହେଁ। ଅଲିମ୍ପିକ୍‌ର ଆଥ୍‌ଲେଟିକ୍ସରେ ସ୍ବାଧୀନ ଭାରତର କୌଣସି ଖେଳାଳି ଗୋଟିଏ ମଧ୍ୟ ପଦକ ଜିତିନପାରିବା ଏହାର ଏକ ପ୍ରମାଣ। ଚୀନ ୩୨ ଓ ଜାପାନ ୨୫ଟି ପଦକ ଜିତିସାରିଛନ୍ତି। ବିଶ୍ବର ଦ୍ବିତୀୟ ଜନବହୁଳ ଦେଶ ଭାରତ ୨୦୧୬ ଅଲିମ୍ପିକ୍‌ରୁ ମାତ୍ର ଦୁଇଟି ପଦକ ନେଇ ଫେରିବା ଲଜ୍ଜାଜନକ ନୁହେଁ କି? ଏହା ହିଁ ବାସ୍ତବତା। ସରକାର କ୍ରୀଡ଼ା ସଫଳତା ନେଇ ବିଜ୍ଞାପନ ଦେଲାବେଳେ ଏଇ କଥାକୁ ଟିକେ ସ୍ମରଣରେ ରଖନ୍ତୁ।

Leave A Reply