ଉଡ଼ନ୍ତା ବିମାନରୁ ବର୍ଜ୍ୟ ନିଷ୍କାସନ କଲେ ୫୦ ହଜାର ଜରିମାନା

0

ନୂଆଦିଲ୍ଲୀ: ଉଡ଼ନ୍ତା ବିମାନରୁ ବର୍ଜ୍ୟ ନିଷ୍କାସନ କଲେ ଏଣିକି ସମ୍ପୃକ୍ତ ବିମାନ ସଂସ୍ଥାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡ଼ିବ। ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ୍‍(ଏନ୍‍ଜିଟି)ଙ୍କ ନିର୍ଦେଶ ଆଧାରରେ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ(ଡିଜିସିଏ) ଗତ ଅଗଷ୍ଟ ୩୦ ତାରିଖରେ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ଚିଠି ଲେଖି ଏ ସଂକ୍ରାନ୍ତରେ ଜଣାଇ ଦେଇଛନ୍ତି। ବିମାନ ଉଡ଼ାଣ କିମ୍ବା ଅବତରଣ ସମୟରେ ବିମାନ ବନ୍ଦର କିମ୍ବା ଏହାର ଆଖପାଖ ଅଞ୍ଚଳରେ ଯାତ୍ରୀଙ୍କ ମଳମୂତ୍ର ଆଦି ବିମାନର ବର୍ଜ୍ୟ ସାମଗ୍ରୀ ନ ପକାଇବା ପାଇଁ ଏଥିରେ ସ୍ପଷ୍ଟ କରାଯାଇଛି। ସମସ୍ତ ରାଷ୍ଟ୍ରାୟତ୍ତ, ଘରୋଇ ଓ ବିଦେଶୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା କ୍ଷେତ୍ରରେ ଏହି ନିର୍ଦେଶନାମା ଲାଗୁ ହେବ।
ସୂଚନାଯୋଗ୍ୟ, ପ୍ରାୟ ଦୁଇ ବର୍ଷ ପୂର୍ବେ ଦିଲ୍ଲୀ ବିମାନ ବନ୍ଦର ରନ୍‍ୱେର ଏକ ଆପ୍ରୋଚ ରୋଡ୍‍ ପାଖାପାଖି ରହୁଥିବା ବସନ୍ତ କୁଞ୍ଜ ନାମକ ଜଣେ ବ୍ୟକ୍ତିଙ୍କ ବାସଗୃହ ଉପରେ ବିମାନର ବର୍ଜ୍ୟବସ୍ତୁ ପଡ଼ିବା ପରେ ସେ ଏନ୍‍ଜିଟିରେ ମାମଲା ଦାୟର କରିଥିଲେ। ୨୦୧୬, ଡିସେମ୍ବର ମାସରେ ଘଟଣା ସମ୍ପର୍କରେ ଅନୁସନ୍ଧାନ ଓ ରିପୋର୍ଟ ଦେବା ପାଇଁ ଡିିଜିସିଏ ଏକ କମିଟି ଗଠନ କରିଥିଲେ। କମିଟି ରିପୋର୍ଟ ଦେବା ପୂର୍ବରୁ ୨୦୧୬, ଡିସେମ୍ବର ୨୦ ତାରିଖରେ ଏନ୍‍ଜିଟି ଏ ସମ୍ପର୍କରେ ଏକ ଅନ୍ତରୀଣ ନିର୍ଦେଶନାମା ଡିଜିସିଏଙ୍କ ଉଦ୍ଦେଶ୍ୟରେ ଜାରି କରିଥିଲେ।
ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ଯାଞ୍ଚ ପରେ ଉଡ଼ନ୍ତା ବିମାନରୁ ବର୍ଜ୍ୟ ଓ ଯାତ୍ରୀଙ୍କ ମଳମୂତ୍ର ନିଷ୍କାସନ ସମ୍ଭବ ନୁହେଁ ବୋଲି ଡିଜିସିଏ ପକ୍ଷରୁ ନିଯୁକ୍ତ କମିଟି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ପରବର୍ତ୍ତୀ ସମୟରେ ଏୟାରବସ୍‍, ବୋଇଂ ଆଦି ବିମାନ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରି କମିଟି ଏ ସମ୍ପର୍କରେ ନିଶ୍ଚିତ ହୋଇଥିଲେ। ଏହାପରେ ଡିଜିସିଏ ପକ୍ଷରୁ ଏକ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା। ଏହି ପିଟିସନ ଉପରେ ଶୁଣାଣି ହୋଇନଥିବା ବେଳେ ଗତ ଅଗଷ୍ଟ ୧ ତାରିଖରେ ଏନ୍‍ଜିଟି ପୁନର୍ବାର ଡିଜିସିଏଙ୍କୁ ଚିଠି ଲେଖି ୨୦୧୬, ଡିସେମ୍ବର ୨୦ ତାରିଖ ନିର୍ଦେଶର ଅନୁପାଳନ କରିବାକୁ କହିଥିଲେ।

Leave A Reply