ଆଇପିଏଲ୍‌ ବନ୍ଦ କରିବାକୁ ଜନସ୍ୱାର୍ଥ ମାମଲା

0

ଚେନ୍ନଇ:- ଚଳିତମାସ ୭ରୁ ଆରମ୍ଭ ହେଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୧ଶ ସଂସ୍କରଣ ବନ୍ଦକରିବା ଲାଗି ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ମ୍ୟାଚ୍‌ ଫିକ୍ସିଂ ଓ ବେଟିଂ ପରି ଦୁର୍ନୀତି ରୋକିବା ପାଇଁ ଆଇପିଏଲ୍‌ରେ ଯଥେଷ୍ଟ ବ୍ୟବସ୍ଥା କରା ଯାଇନାହିଁ। ତେଣୁ ତୁରନ୍ତ ବିସିସିଆଇ ଆସନ୍ତା ଆଇପିଏଲକୁ ବନ୍ଦକରନ୍ତୁ ବୋଲି ଆଇପିଏସ୍‌ ଅଧିକାରୀ ଜି. ସମ୍ପତକୁମାର ତାଙ୍କ ଜନସ୍ୱାର୍ଥ ମାମଲା ଜରିଆରେ ଦାବି କରିଛନ୍ତି। ଏହି ମାମଲାର ଶୁଣାଣିକରି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍‌ ଏ. ସେଲ୍‌ଭମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ବିସିସିଆଇକୁ ନୋଟିସ ଜାରି କରିଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ କରାଯିବ। ତେବେ ଆଇପିଏଲ୍‌ ୭ରୁ ଆରମ୍ଭ ହେଉଛି। ମାମଲାର ଶୁଣାଣି ବେଳେ ଖଣ୍ଡପୀଠ କହିଥିଲେ ଯେ ଆବେଦନକାରୀ ଯେଉଁ ଆଶଙ୍କା କରିଛନ୍ତି; ତାହା ଯଥାର୍ଥ। ତେବେ କେବଳ ମ୍ୟାଚ୍‌ ଫିକ୍ସିଂ ଓ ଅନ୍ୟ ଦୁର୍ନୀତି ଘଟିବ ବୋଲି ଆଶଙ୍କାକରି ଆଇପିଏଲ୍‌କୁ କିପରି ବନ୍ଦ କରା ଯାଇପାରିବ? ଏହାର ଜବାବରେ ଆବେଦନକାରୀ ଆଇପିଏସ୍‌ ଅଧିକାରୀ କହିଥିଲେ, ଆଇପିଏଲ୍‌ ବନ୍ଦ କରିବାକୁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ତେବେ ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରାଯାଉ। ସେ ଯୁକ୍ତି ବାଢ଼ିଥିଲେ, ସମାଜରେ ଦୁର୍ନୀତି ରୋକିବା ପାଇଁ ଆମର ବହୁତ ନିୟମ ରହିଛି। ତେବେ ଆମେ କ’ଣ କହିପାରିବା ଯେ ସମାଜରୁ ଦୁର୍ନୀତି ସମ୍ପୂର୍ଣ୍ଣ ଲୋପ ପାଇଯାଇଛି। ଆବେଦନକାରୀ ଆଇପିଏସ୍‌ ଅଫିସର ଜି. ସମ୍ପତକୁମାର ଦାବି କରିଥିଲେ ଯେ ୨୦୧୩ରେ ଆଇପିଏଲ୍‌ରେ ହୋଇଥିବା ସ୍ପଟ୍‌ ଫିକ୍ସିଂ ମାମଲାରେ ସେ ଜଣେ ତଦନ୍ତକାରୀ ଅଧିକାରୀ ଥିଲେ ଏବଂ ଚେନ୍ନଇରେ ସେ ଏହି ମାମଲାକୁ ଲୋକଲୋଚନକୁ ଆଣି ପାରିଥିଲେ। ସମ୍ପତକୁମାର କହିଥିଲେ, ଲୋଧା କମିଟିର ରିପୋର୍ଟ ସତ୍ତ୍ୱେ ଏବେ ମଧ୍ୟ ସ୍ୱାର୍ଥପର ବ୍ୟକ୍ତିଙ୍କୁ ଆଇପିଏଲ୍‌ ଘଣ୍ଟ ଘୋଡ଼ାଇ ରଖିଛି ଏବଂ ଏବେ ମଧ୍ୟ ସ୍ୱାର୍ଥଗତ ସମସ୍ୟା ରହିଛି। ପୁଣି କ୍ରିକେଟ ବୋର୍ଡର ଯେଉଁ ଦୁର୍ନୀତି ନିରୋଧ ସଂସ୍ଥା ରହିଛି; ଏହା ପାଖରେ ଖେଳାଳି କେଉଁ ସୂତ୍ରରୁ କେତେ ଆୟ କରୁଛନ୍ତି; ତା’ର ହିସାବ ନାହିଁ। ପୁଣି ଏହା ପାଖରେ ବୁକି, ମ୍ୟାଚ୍‌ ଫିକ୍ସର, ଅନୈତିକ ବେଟିଂ ଏବଂ ଏହାର ମୁଖିଆଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ସୂଚନାଯୋ୍ୟ; ଅନୈତିକ ବେଟିଂ ଓ ସ୍ପଟ୍‌ ଫିକ୍ସିଂରେ ସମ୍ପୃକ୍ତି ଯୋଗୁଁ ଚେନ୍ନଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍‌ସ ୨ ବର୍ଷ ଲାଗି ଆଇପିଏଲ୍‌ରୁ ବାସନ୍ଦ ହୋଇଥିଲେ।

Leave A Reply