ଜିନ୍ନାଙ୍କ ମହିମାମଣ୍ଡନ ସହ୍ୟ କରାଯିବନି : ଯୋଗୀ

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯାଗୀ ଆଦିତ୍ୟନାଥ ଆଲିଗଡ ମୁସଲିମ୍‌ ୟୁନିଭର୍ସିଟି (ଏଏମ୍‌ୟୁ)ରେ ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ ଫଟୋ ନେଇ ଚାଲିଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି । ଯୋଗୀ କହିଛନ୍ତି ଯେ ଜିନ୍ନା ଆମ ଦେଶର ବିଭାଜନ କରିଛନ୍ତି । ତେଣୁ ଭାରତରେ ଜିନ୍ନାଙ୍କ କୌଣସି ପ୍ରକାର ମହିମାମଣ୍ଡନ ବା ଜୟଗାନ ସହ୍ୟ କରାଯିବନି । କର୍ଣ୍ଣାଟକ ଗସ୍ତ ପୂର୍ବରୁ ଏକ ଟିଭି ଚ୍ୟାନେଲରେ ନିଜ ପ୍ରତିକ୍ରିୟା ରଖି ଯୋଗୀ ଏହା କହିଛନ୍ତି ଓ ଏଏମ୍‌ୟୁରେ ଚାଲିଥିବା ବିବାଦ ଉପରେ ତଦନ୍ତ ନିର୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗୀ କହିଛନ୍ତି । ଏହାପୂର୍ବରୁ ବୁଧବାର ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଜିନ୍ନାଙ୍କ ପାଇଁ ଭାରତ ବିଭାଜିତ ହୋଇଛି ଦେଶ ଏହି କଷ୍ଟ ସହିଚାଲିଛି ବୋଲି କହିଥିଲେ । ସେହିପରି ଆଲିଗଡ଼ ସାଂସଦ ସତୀଶ ଗୌତମ ଏଏମ୍‌ୟୁ କୁଳପତି ତାରିକ ମନସୁରଙ୍କ ନିକଟକୁ ପତ୍ର ଲେଖି ଛାତ୍ର ସଂସଦ କାର୍ଯ୍ୟାଳୟରୁ ଜିନ୍ନାଙ୍କ ଫଟୋ ହଟାଇବା ଲାଗି ଦାବି କରିଛନ୍ତି। ଏହାସହ ଏଏମ୍‌ୟୁର ଛାତ୍ର ସଂସଦ କାର୍ଯ୍ୟାଳୟରେ ଜିନ୍ନାଙ୍କ ଫଟୋ କାହିଁକି ଲଗାଯାଇଛି ତାର ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି । ସେହିପରି ବିଜେପି ରାଜ୍ୟସଭା ସାଂସଦ ହରନାଥ ସିଂହ ଜିନ୍ନାଙ୍କ ଫଟୋ ହଟାଇବାକୁ ଦାବି କରିଛନ୍ତି । ଉଲ୍ଲେଖ ଯେ ବୁଧବାର ଜିନ୍ନାଙ୍କ ଫଟୋ ହଟାଇବା ଦାବିରେ ଦକ୍ଷିଣ ପନ୍ଥୀ ଛାତ୍ର ଗୋଷ୍ଠୀ ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ହଟାଇବା ଲାଗି ପୁଲିସ ଲାଠିମାଡ ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏଏମୟୁ ଛାତ୍ର ସଂସଦ କାର୍ଯ୍ୟାଳୟରେ ଜିନ୍ନାଙ୍କ ଫଟୋ ୧୯୩୮ରୁ ରହିଛି ବୋଲି କୁହାଯାଇଛି । ୧୯୩୮ରେ ଜିନ୍ନାଙ୍କୁ ଏଏମୟୁ ଛାତ୍ର ସଂସଦର ଆଜୀବନ ସଦସ୍ୟତା ମିଳିଥିଲା ଓ ସେବେଠାରୁ ତାଙ୍କ ଫଟୋ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇଆସୁଛି ବୋଲି କୁହାଯାଇଛି ।

Leave A Reply