ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ, ଧୈର୍ଯ୍ୟ ରଖ: ଯୋଗୀ
ଅଯୋଧ୍ୟା : ଭଗବାନ ରାମଙ୍କ କୃପା ଥିଲେ ଅଯୋଧ୍ୟାରେ ନିଶ୍ଚୟ ରାମ ମନ୍ଦିର ନିର୍ମାଣ ହେବ ଓ ଏଥିପାଇଁ ଆଉ କିଛି ଦିନ ଧୈର୍ଯ୍ୟ ରଖିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଥ ସାମଜକୁ କହିଛନ୍ତି। ମହନ୍ତ ନୃତ୍ୟଗୋପାଳ ଦାସଙ୍କ ଜନ୍ମଦିନ ଉପଲକ୍ଷେ ଅଯୋଧ୍ୟାଠାରେ ଆୟୋଜିତ ସନ୍ଥ ସମ୍ମିଳନୀରେ ଯୋଗଦେଇ ଯୋଗୀ ଆଦିତ୍ୟନାଥ ଏହା କହିଛନ୍ତି। ସେ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ଓ ସମ୍ବିଧାନର ସୀମାରେ ରହି ଆମକୁ କାର୍ଯ୍ୟ କରିବାର ଅଛି। ତେଣୁ ଏଥିପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ। ରାମ ମନ୍ଦିର ନିର୍ମାଣର ବାଟ ନିଶ୍ଚୟ ବାହାରିବ। ଯେଉଁମାନେ ରାମ ଜନ୍ମଭୂମି ଆନ୍ଦୋଳନକୁ ବିରୋଧ କରୁଥିଲେ ଏବେ ସେମାନେ ମନ୍ଦିର କଥା କହୁଛନ୍ତି। ଏହା ଏକ ଷଡ଼ଯନ୍ତ୍ର ବି ହୋଇପାରେ। ତେଣୁ ଏଥିପାଇଁ ସଜାଗ ରହିବା ଆବଶ୍ୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କ ଉପରେ ବର୍ଷିଥିଲେ। ଯେଉଁମାନେ ରାମ ଭକ୍ତଙ୍କ ଉପରେ ଗୁଳିମାଡ଼ କରିଥିଲେ ସେମାନେ ଏବେ ରାମ ମନ୍ଦିର କଥା କହୁଛନ୍ତି। ପୂର୍ବତନ ସରକାର ଅଯୋଧ୍ୟାରେ ରାମ ଲୀଳା ବନ୍ଦ କରିଦେଇଥିଲେ। ବିଜେପି ଶାସନକୁ ଆସିବା ପରେ ଏହି ପ୍ରଥାକୁ ପୁନଃ ଆରମ୍ଭ କରିଛି। ଅଯୋଧ୍ୟାର ବିକାଶ ପାଇଁ ଏକ ଚିଠା ପ୍ରସ୍ତୁତ କରାଯାଇଛି। ଅଯୋଧ୍ୟାରେ ଖୋଲାରେ ଟଣାଯାଇଥିବା ବିଦ୍ୟୁତ୍ ତାରକୁ ପ୍ରଥମେ ହଟାଯିବ ଓ ରାମ ମନ୍ଦିର ଉପରେ ଆଲୋଚନା ହେବ। ସୁପ୍ରିମକୋର୍ଟ ରାମ ମନ୍ଦିର ପ୍ରସଙ୍ଗରେ ଖୁବଶୀଘ୍ର ଶୁଣାଣି କରୁ ବୋଲି ତାଙ୍କ ସରକାର ଚାହୁଁଥିବାବେଳେ କଂଗ୍ରେସ ଶୁଣାଣିକୁ ବିଳମ୍ବିତ କରିବାକୁ ଚାହୁଁଛି ବୋଲି ସେ କହିଥିଲେ।