ଶପଥ ନେଲେ ୟେଦୁରପ୍ପା – ସୋମବାର ଶକ୍ତି ପରୀକ୍ଷା

- ୧୪ମାସ ପରେ କର୍ଣ୍ଣାଟକରେ କ୍ଷମତାକୁ ଫେରିଲା ବିଜେପି

ବେଙ୍ଗାଲୁରୁ: ଏଚ୍‌.ଡି କୁମାରସ୍ବାମୀ ଆସ୍ଥା ଭୋଟରେ ପରାଜିତ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କର୍ଣ୍ଣାଟକରେ ତିନିଦିନ ଧରି ସରକାର ଗଠନ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ବି.ଏସ୍‌ ୟେଦୁରପ୍ପା ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ସନ୍ଧ୍ୟା ୬ଟା ୧୫ରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବାଜୁଭାଇ ବାଲା ରାଜଭବନ ପରିସରରେ ଆୟୋଜିତ ଉତ୍ସବରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ଶପଥଗ୍ରହଣ ସହିତ ୧୪ମାସ ପରେ ବିଜେପି ରାଜ୍ୟରେ କ୍ଷମତାକୁ ଫେରିଛି। ୭୬ବର୍ଷୀୟ ୟେଦୁରପ୍ପା ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ସମୟରେ ପାରମ୍ପରିକ ଧଳା ସାର୍ଟ ପିନ୍ଧିବା ସହ କାନ୍ଧରେ ସବୁଜ ଗାମୁଛା ପକାଇଥିଲେ।

ଦଳର କେନ୍ଦ୍ରୀୟ ନେତାଙ୍କ ସଂକେତକୁ ଅପେକ୍ଷା ରଖିଥିବା ୟେଦୁରପ୍ପା ଗୁରୁବାର ରାତିରେ ବିଜେପି ସଭାପତି ଅମିତ ଶାହାଙ୍କୁ ଭେଟିବା ପରେ ଶୁକ୍ରବାର ସକାଳେ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ବିକଳ୍ପ ସରକାର ଗଠନ ପାଇଁ ଦାବି ଜଣାଇଥିଲେ ଏବଂ ସନ୍ଧ୍ୟା ୬ରୁ ୬ଟା ୧୫ମଧ୍ୟରେ ଶପଥ ଗ୍ରହଣ ସମାରୋହ ଆୟୋଜନ ପାଇଁ ନିବେଦନ କରିଥିଲେ।ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ଶତପ୍ରତିଶତ ସକ୍ଷମ ଥିବା ସମ୍ପର୍କରେ ସେ ରାଜ୍ୟପାଳଙ୍କୁ ଭରସା ଦେଇଥିଲେ। ଏହି ଅନୁସାରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ସହ ଚଳିତ ମାସ ୩୧ ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦେଶ ଦେଇଛନ୍ତି। ସୂଚନାନୁଯାୟୀ, ୟେଦୁରପ୍ପା ଆସନ୍ତା ସୋମବାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ୟେଦୁରପ୍ପା ୨୦୧୮ ମଇରେ ମାତ୍ର ୪୮ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାର ଅବ୍ୟବହିତ ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ୟେଦୁରପ୍ପା ପ୍ରଥମ ପାଳିରେ ମାତ୍ର ସାତ ଦିନ, ଦ୍ବିତୀୟ ପାଳିରେ ଅଢ଼େଇ ବର୍ଷ ଓ ତୃତୀୟ ପାଳିରେ ଦୁଇ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Comments are closed.