Patra electronics

ରୋଷେଇ ରାଣୀ ଜେଜେମା’ଙ୍କୁ ଝୁରୁଛି ବିଶ୍ୱ

0

ସାରା ବିଶ୍ବରେ ସବୁଠାରୁ ବୟସ୍କା ୟୁଟ୍ୟୁବର ମସ୍ତାନାମ୍ମା ରୋଷେଇ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କୁକିଂ କୁଇନ୍‌ ଗ୍ରାନି ନାମରେ ବି ପରିଚିତ ଥିଲେ ସେ। ପ୍ରତିଦିନ ତାଙ୍କର ରନ୍ଧନ ପ୍ରଣାଳୀକୁ ଲକ୍ଷାଧିକ ଲୋକ ଅନୁସରଣ କରୁଥିଲେ। ୧୦୭ ବର୍ଷ ବୟସରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରଠାରେ ମସ୍ତାନାମ୍ମାଙ୍କ ପରଲୋକ ହୋଇଯିବା ଖବର ସମସ୍ତଙ୍କୁ ଦୁଃଖିତ କରିଥିଲା। ୟୁଟ୍ୟୁବରେ ଥିବା ତାଙ୍କ କୁକିଂ ଚ୍ୟାନେଲରେ ୧୨ଲକ୍ଷରୁ ଅଧିକ ସବ୍‌ସ୍କ୍ରାଇବର ଅଛନ୍ତି। ଏହି ଚ୍ୟାନେଲ ୨୦୧୬ରେ ଆରମ୍ଭ ହୋଇଥିଲା। ମସ୍ତାନାମ୍ମାଙ୍କର ଜଣେ ସମ୍ପର୍କୀୟ ଲକ୍ଷ୍ମଣ ଏବଂ ତାଙ୍କ ବନ୍ଧୁ ଦିନେ ତାଙ୍କ ନିକଟରେ ପହଞ୍ଚିଲେ। ତାଙ୍କ ପାଇଁ ବାଇଗଣ ତରକାରି ରୋଷେଇ କରିଥିଲେ ମସ୍ତାନାମ୍ମା। ଏହି ଭିଡିଓକୁ ସେମାନେ ୟୁଟ୍ୟୁବ୍‌ରେ ଅପ୍‍ଲୋଡ କରିଥିଲେ ଯାହାକୁ ୭୫ ହଜାରରୁ ଅଧିକ ଲାଇକ ମିଳିଥିଲା। ଏହାପରେ ସମସ୍ତ ରୋଷେଇର ଭିଡିଓ ୟୁଟ୍ୟୁବ୍‌ରେ ଅପଲୋଡ କରାଗଲା। ଖୁବ୍‍ କମ୍‍ ବୟସରେ ମସ୍ତାନାମ୍ମାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ୧୧ ବର୍ଷ ବୟସରେ ମସ୍ତାନାମ୍ମା ବିବାହ କରିଥିଲେ। ତାଙ୍କର ୫ଟି ସନ୍ତାନ ମଧ୍ୟରୁ ଜଣେ ଜୀବିତ ଅଛନ୍ତି। ସେମାନଙ୍କର ଲାଳନ ପାଳନ ପାଇଁ ତାଙ୍କୁ ଅତ୍ୟନ୍ତ ପରିଶ୍ରମ କରିବାକୁ ପଡୁଥିଲା। ତେବେ ତାଙ୍କ ମୃତ୍ୟୁ ହୋଇଯାଇଛି ବୋଲି ପ୍ରଶଂସକମାନେ ଜାଣି ନଥିଲେ। କାହିଁକି ଆଉ ନୂଆ ରୋଷେଇ ଅପଲୋଡ୍‌ କରାଯାଉ ନାହିଁ ବୋଲି ୟୁଟ୍ୟୁବ୍‍ରେ ପ୍ରଶ୍ନ ଲେଖିଲେ ସେମାନେ। ଏହାପରେ କିଛିଦିନ ତଳେ ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ କରାଗଲା ଯେଉଁଥିରେ ତାଙ୍କ ଜୀବନ କାହାଣୀ ଓ ମୃତ୍ୟୁ ବିଷୟରେ ଦର୍ଶାଯାଇଥିଲା। ମସ୍ତାନାମ୍ମାଙ୍କ ମୃତ୍ୟୁ ଖବର ପାଇ ପ୍ରଶଂସକମାନେ ଶୋକ ପାଳିଥିଲେ।

Leave A Reply