ବଲାଙ୍ଗିର : ପାହାଡ଼ର ନାଁ ଆଡେନ ଡୁଙ୍ଗରୀ। ଗତ ୪୦ ବର୍ଷ ଧରି ପାହାଡ଼କୁ ମୁନାଫାଖୋର ଖିନଭିନ୍ କରିଚାଲିଛନ୍ତି। ମନଇଚ୍ଛା ବିସ୍ଫୋରକ ଲଗାଇ ପଥର ଫଟା ଯାଉଛି। କ୍ରସର୍ ଗଢି ଉଠିଛି। ପଥରକୁ ହାଇୱା, ଟ୍ରାକ୍ଟର ଜରିଆରେ ପରିବହନ କରାଯାଉଛି। ସରକାରୀ ଅନୁମତି ନାହିଁ କି ମଞ୍ଜୁରି ମିଳିନି। କାଗଜ ଖଣ୍ଡିଏ ବି ନାହିଁ। କେବଳ କଥିତ ଭାବେ ଅଧିକାରୀଙ୍କ ‘ସ୍ବୀକୃତି’ ହିଁ ସବୁକିଛି। ତା’ପରେ ଗାଁ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ମୁନାଫାଖୋର ଲଗାତାର ପାହାଡ଼କୁ ଲଙ୍ଗଳା କରାଚାଲିଛି। ପାହାଡ଼ ଓ ସବୁଜିମା ସବୁ ହରାଇ ସାରିଛି। କର୍ପୁର ଉଡିଯାଇଛି, କନା ପଡ଼ି ରହିଛି ଭଳି ଆଡେନ ଡୁଙ୍ଗରୀ ଆଣ୍ଠେଇ ପଡ଼ିଛି। ଗାଁ ଲୋକଙ୍କ ଅଭିଯୋଗ, ଆନ୍ଦୋଳନ ବି ଫରକ୍ ପକାଉନି। ପଥର ମାଫିଆଙ୍କ ମର୍ଜିରେ ଅଧିକାରୀଙ୍କ ମିଛ ଲୁହା ପୋଛା ଅଭିଯାନରେ ଆଜି ବଲାଙ୍ଗିର ଜିଲା ଲୋଇସିଂହା ତହସିଲ ଉଚ୍ଛବପାଲି ଗାଁ ନିକଟ ଆଡେନ ଡୁଙ୍ଗରୀ ମାଟିରେ ମିଶିବାକୁ ବସିଛି। ଏହା ସତ୍ତ୍ବେ ଲଘୁ ଖଣିଜ ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା ପ୍ରଶାସନିକ ଅଧିକାରୀମାନେ ତୁଣ୍ଡି ଦେଇ ବସିଛନ୍ତି।
ଆଡେନ ଡୁଙ୍ଗରୀ ପାଖ ଗାଁ ଉଚ୍ଛବପାଲି। ଗାଁର ପୀତାମ୍ବର ପାତ୍ର କହନ୍ତି ଯେ, ପଥର ବିସ୍ଫୋରଣ ସମୟରେ ଏକପ୍ରକାର ଭୂମିକମ୍ପର ଭ୍ରମ ସୃଷ୍ଟି ହୁଏ। ପ୍ରତିଦିନ ଛାତି ଧଡଧଡରେ ଗୋଟିଏ ଗାଁରେ ଲୋକେ ବଞ୍ଚୁଛନ୍ତି। ଘରକାନ୍ଥ ଫାଟି ଆଁ କଲାଣି। ପ୍ରତିଦିନ ଶହ ଶହ ବିସ୍ଫୋରଣ। ସ୍କୁଲ ଘର ବି ବିପଦମୁକ୍ତ ନୁହେଁ ବୋଲି କହନ୍ତି ଶ୍ରୀ ପାତ୍ର। ସେହିପରି ଉଚ୍ଛବପାଲି ଗାଁରେ ନିକଟସ୍ଥ ଆଡେନ ଡୁଙ୍ଗରୀରେ ଚାଲିଥିବା ବିସ୍ଫୋରଣ ପାଇଁ ବେଆଇନ ଭାବେ ଶହ ଶହ ଡ୍ରିଲ କରାଯାଉଛି। ଦିନ ତମାମ ଡ୍ରିଲ ପରେ ରାତିରେ ବିସ୍ଫୋରଣ କରାଯାଏ। ଆଉ ପ୍ରତି ରାତି ଉଚ୍ଛବପାଲି ଗାଁ ଲୋକେ ‘ଉଚ୍ଛବ’ରେ ନୁହେଁ ବିପଦର ରାତି ବିତାଇଥାନ୍ତି। ସାଧାରଣ ଲୋକଙ୍କ ନିଦ ଭାଙ୍ଗେ ପଥର କ୍ବାରୀର ବିସ୍ଫୋରଣ। ମାସେ କି ଦି ମାସର ନୁହେଁ, ଦୀର୍ଘ ୪ଦଶନ୍ଧିରୁ ଅଧିକ ସମୟ ଧରି ମୁନାଫାଖୋର ପାହାଡ଼କୁ ଖୋଳ କରିସାରିଛି। ଗାଁର ବୃନ୍ଦାବତୀ ପାତ୍ରଙ୍କ କହିବା ଅନୁସାରେ, ଗାଁ ଲୋକେ ତହସିଲଦାର ଓ ଉପ ଜିଲାପାଳଙ୍କୁ ଜନଶୁଣାଣି ସମୟରେ ଘେରାଉ କରି ବିରୋଧ କରିଥିଲେ। କେହି ଶୁଣିନଥିଲେ। ଏଥିପାଇଁ ଆଇନଗତ ଭାବେ ଅନୁମତି ମିଳିନାହିଁ। ହେଲେ ବେଆଇନ ବିସ୍ଫୋରଣ କରି ପଥର ଖନନ ହେଉଥିଲେ ବି କେହି ବାରଣ କରୁନାହାନ୍ତି। ଗାଁ ଘର, ପ୍ରଧାନମନ୍ତ୍ରୀ ରାସ୍ତା ଅବସ୍ଥା ଶୋଚନୀୟ ବୋଲି ପାତ୍ର ମତ ଦିଅନ୍ତି।
ବିକାଶ ପାଇଁ କ୍ରସର ଜରୁରୀ। ହେଲେ ବେଆଇନ କ୍ରସର ପାଇଁ ପ୍ରଶାସନର ଅହେତୁକ ଅନୁକମ୍ପା ବଲାଙ୍ଗିର ଜିଲାରେ ନିଆରା। ରାଜ୍ୟ ସରକାରଙ୍କ ବନ ଓ ପରିବେଶ ବିଭାଗର ନିର୍ଦେଶନାମା କହୁଛି ଯେ, ପରିବେଶ ବିଭାଗର ସମସ୍ତ ନିୟମ ନମାନି କେହି ବି କ୍ରସର ବସାଇ ପାରିବେ ନାହିଁ। କୌଣସି ପଥର କ୍ରସର ଗାଁ ନିକଟରେ ବା ସ୍କୁଲ ପାଖରେ ରହିପାରିବ ନାହିଁ। ଏଭଳି ନିର୍ଦେଶ ରହିଥିଲେ ହେଁ ଏଠାରେ ସବୁ ନିର୍ଦେଶନାମା କୋଣଠେସା। ପଥର କ୍ରସରର ଚାରିଆଡେ ସବୁଜ ବଳୟ ସୃଷ୍ଟି କରିବା ବାଧ୍ୟତାମୂଳକ। ସେହିପରି ପଥରକ୍ବାରୀ ଓ କ୍ରସର ମାଲିକ, ସରକାରଙ୍କ ସବୁ ନିୟମ ଠିକଠାକ ମାନୁଛନ୍ତି ନା ନାହିଁ, ଜିଲାପାଳ ଏହା ନିଶ୍ଚିତ କରିବା ଜରୁରୀ। ଏଠି କୌଣସି କାଗଜପତ୍ର କି ଦଲିଲ ଦସ୍ତାବିଜ ନାହିଁ। ବେଆଇନ ଭାବେ ଓ ଦାଦାଗିରି କରି କ୍ରସର ଚାଲିଛି। ଏସଂପର୍କରେ କ୍ରସର ମାଲିକ ମୁକେଶ ପଟେଲଙ୍କୁ ଯୋଗାଯୋଗ କରାଯାଇଥିଲା। ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଉପଜିଲାପାଳ ଆଲୋକ ପଟେଲଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁ ନାହିଁ। ଲଘୁ ଖଣିଜ ଓ ପରିବେଶ ବିଭାଗର ଅଧିକାରୀ ଉପର ଅଧିକାରୀ ଆମକୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଆଉ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ବବିତା ସିଂଙ୍କ ପ୍ରତିକ୍ରିୟା ହେଉଛି ଯେ, ଆମର ଟାସ୍କ ଫୋର୍ସ କାର୍ଯ୍ୟ କରୁଛି। ସେହି ଟାସ୍କ ଫୋର୍ସ ଯାଞ୍ଚ କରିବା କଥା। ଯଦି ସେମିତି ହୋଇନି ତା’ ହେଲେ ଆମେ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।



