ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ: ଏଡ୍ସ ଓ ଶୂନ୍ୟ ସଂକ୍ରମଣ
ଏଡ୍ସ ମେହାମାରୀ ରୋଗଟି ହୃଦ୍ରୋଗ ଏବଂ କର୍କଟ ରୋଗଠାରୁ ମଧ୍ୟ ଭୟଙ୍କର। ବିଂଶ ଶତାବ୍ଦୀର ଶେଷ ଭାଗରେ ଚିହ୍ନିତ ହୋଇଥିବା ଏହି ରୋଗଟି ସାରା ପୃଥିବୀରେ ଭୟ ଓ ଆଶଙ୍କାର ଲହରି ଖେଳାଇ ଦେଇଛି। ସାରା ବିଶ୍ୱକୁ ଏଡ୍ସମୁକ୍ତ କରିବା ତଥା ସଂକ୍ରମଣ ହାର କମାଇ ଶୂନ୍ୟ କରିବା ପାଇଁ ମିଳିତ ଜାତିସଂଘ ତଥା ବିଶ୍ୱ ସ୍ୱାସ୍ଥ୍ୟସଂସ୍ଥା ପକ୍ଷରୁ ମିଳିତ ପଦକ୍ଷେପ ନିଆଯାଉଛି ଏବଂ ଏଥିଲାଗି ଡିସେମ୍ବର ୧ରେ ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଉଛି। ୧୯୮୮ରୁ ପ୍ରତି ବର୍ଷ ପାଳନ କରାଯାଉଛି ବିଶ୍ୱ ଏଡ୍ସ ଦିବସ। ୨୦୧୩ ସୁଦ୍ଧା ସାରା ବିଶ୍ୱରେ ୩.୬ କୋଟି ମଣିିଷ ଏଡ୍ସ ଯୋଗୁଁ ପ୍ରାଣ ହରାଇଛନ୍ତି। ପ୍ରତି ବର୍ଷ ୨୦ ଲକ୍ଷ ମଣିଷ ଏଡ୍ସ କରାଉଥିବା ଏଚ୍ଆଇଭି ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି। ତନ୍ମଧ୍ୟରୁ ଶିଶୁଙ୍କ ସଂଖ୍ୟା ୨.୭ ଲକ୍ଷ। ସାଂପ୍ରତିକ ବିଶ୍ୱରେ ଏହି ରୋଗ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା, ଯାହାକୁ ଅଦ୍ୟାବଧି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରିତ କରାଯାଇ ପାରିବନାହିଁ। ସଚେତନତା ହିଁ ଏଥିରୁ ବର୍ତ୍ତିବାର ଏକ ମାତ୍ର ଉପାୟ। ତେଣୁ ଏ ବାବଦରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଲକ୍ଷ୍ୟ। ଡିସେମ୍ବର ମଧ୍ୟ ଏଡ୍ସ ସଚେତନତା ମାସ। ଉଲ୍ଲେଖଯୋଗ୍ୟ ଯେ ୨୦୦୨ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ୦.୪୨ ପ୍ରତିଶତ ଏଚ୍ଆଇଭି ଆକ୍ରାନ୍ତ ଥିଲେ।
ଏଡ୍ସ ଏଚ୍ଆଇଭି ଭାଇରସ୍ ବା ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ ଦ୍ୱାରା ହୋଇଥାଏ। ଏଥିରେ ଆକ୍ରାନ୍ତ ବ୍ୟକ୍ତି ଧୀରେଧୀରେ ଦୁର୍ବଳ ହୋଇଯାଏ ଓ ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଫଳରେ ଶରୀର ଅନେକ ଅପର୍ଚୁନିଷ୍ଟିକ୍ ଇନ୍ଫେକ୍ସନ ବା ସୁବିଧାଖୋର ସଂକ୍ରମଣର ଶିକାର ହୋଇଥାଏ। ଏହି ରୋଗ ବିକାଶଶୀଳ ଓ ବିକଶିତ, ଉଭୟ ଦେଶରେ ସମାନ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଭାରତ ତଥା ଓଡ଼ିଶାରେ ମଧ୍ୟ ବର୍ଷକୁ ବର୍ଷ ଏଡ୍ସ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୦୦୯-୧୦ରେ ଏଚ୍ଆଇଭି ପଜିଟିଭ୍ ବ୍ୟକ୍ତିଙ୍କ ସଂଖ୍ୟା ଥିଲା ୧୯,୬୭୪। ୨୦୧୦-୧୧ ବର୍ଷରେ ସଂଖ୍ୟା ବଢ଼ିଲା ୨୩,୫୩୮କୁ। ୨୦୧୧-୧୨ରେ ୨୬,୪୮୮ ଜଣ ଏଚ୍ଆଇଭି ପଜିଟିଭ୍ ଆକ୍ରାନ୍ତ ଯେଉଁମାନଙ୍କ ଭିତରେ ୧୦,୧୧୩ ଜଣ ମହିଳା ଓ ୧୫୭୨ ଜଣ ପୁରୁଷ। ତେବେ ଏଯାବତ୍ ୧୩୫୦ ଜଣ ଏଡ୍ସ ରୋଗୀଙ୍କର ମୃତ୍ୟୁ ମଧ୍ୟ ଘଟିଲାଣି। ଆକ୍ରାନ୍ତଙ୍କ ଭିତରେ ୨୫ରୁ ୪୯ ବର୍ଷ ବୟସ୍କଙ୍କ ସଂଖ୍ୟା ୭୫ ପ୍ରତିଶତ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଯଦିଓ ଏଡ୍ସ ହାର କମ୍, ତଥାପି ସ୍ପର୍ଶକାତର ରାଜ୍ୟଭାବେ ଏହା ଗଣା ହୋଇଛି। ରୋଗୀ ସଂଖ୍ୟା ହିସାବରେ ପ୍ରତ୍ୟେକ ଜିଲାକୁ ଏ, ବି, ସି, ଡ,ି ଚାରି ଭାଗରେ ବିଭକ୍ତ କରାଯାଇଛି। ଓଡ଼ିଶାର ଗଞ୍ଜାମ ଜିଲାରେ ସର୍ବାଧିକ ଏଡ୍ସ ରୋଗୀ, ଅର୍ଥାତ୍ ୩୯ ପ୍ରତିଶତ ଏବଂ ଏହା ପଛକୁ ରହିଛି ବଲାଙ୍ଗୀର। ସରକାରଙ୍କ ସ୍ୱାସ୍ଥ୍ୟବିଭାଗ, ଏଡ୍ସ ସେଲ୍ଫ ଓ ଅନେକ ସ୍ୱେଚ୍ଛାସେବୀ ସଂଗଠନର ସହାୟତାରେ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ତେବେ ଏକ୍ଷେତ୍ରରେ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନ୍ତତଃ ଗୋଟିଏ ଉଜୁଡ଼ିଯାଉଥିବା ସଂସାର ତ’ ବଞ୍ଚିପାରିବ। ଏହି ମହନୀୟ କାର୍ଯ୍ୟରେ ସମସ୍ତେ ସାମିଲ ହେବା ଶ୍ରେଷ୍ଠ ଧର୍ମ ଓ କର୍ମ।
‘ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଭେଷଜ ବିଭାଗ, ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ, କୋରାପୁଟ’