www.samajalive.in
Tuesday, December 9, 2025
26.1 C
Bhubaneswar

ଗାନ୍ଧୀଙ୍କ ଦୃଷ୍ଟିରେ ମହିଳା ସଶକ୍ତୀକରଣ

ଆଜି ଯେତେବେଳେ ସମଗ୍ର ବିଶ୍ୱ ମହିଳା ସଶକ୍ତୀକରଣକୁ ଅଗ୍ରାଧିକାର ଦେଉଛି ସେହି ପରିପ୍ରେକ୍ଷୀରେ ମହିଳାମାନେ ମଧ୍ୟ ସଶକ୍ତୀକରଣର ବାସ୍ତବ ଅର୍ଥକୁ ବୁଝି ନିଜର ସର୍ବାଙ୍ଗୀଣ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହେବାର ଆବଶ୍ୟକତା ରହିଛି। ସଶକ୍ତୀକରଣର ମାନେ ନୁହେଁ ସ୍ୱାଧୀନତା ବା ସ୍ୱାଧୀନତାର ଅର୍ଥ ନୁହେଁ ଉଚ୍ଛୃଙ୍ଖଳତା। ନିଜର ଶିକ୍ଷା, ଜ୍ଞାନ ଓ ଦକ୍ଷତାର ବିକାଶ କରି ପୁରୁଷର ସମକକ୍ଷ ହୋଇ ନିଜର ସ୍ୱାଭିମାନ, ଆତ୍ମସମ୍ମାନକୁ ସୁରକ୍ଷିତ ରଖିବା ତଥା ସମାଜର ସର୍ବାଙ୍ଗୀଣ ଉନ୍ନତି ନିମନ୍ତେ ନିଷ୍ପତ୍ତି ନେବାର କ୍ଷମତା ବା ଅଧିକାରକୁ ବାସ୍ତବରେ ସଶକ୍ତୀକରଣ କୁହାଯାଏ। ନିଜର ମାତୃଭାଷା, ସଂସ୍କାର ଓ କଳା ପରମ୍ପରାକୁ ସମ୍ମାନ ଦେବା ସହିତ ନିଜ ପରିବାର, ସମାଜ, ଜାତି, ରାଜ୍ୟ ଓ ଦେଶର ସମ୍ମାନକୁ ଅକ୍ଷତ ରଖିବାକୁ ମଧ୍ୟ ସଶକ୍ତୀକରଣ କୁହାଯାଏ। ଏହି ପ୍ରସଙ୍ଗରେ ମହିଳାଙ୍କୁ ସମ୍ମାନର ସର୍ବୋଚ୍ଚ ଶିଖରରେ ରଖି ଗାନ୍ଧୀ ମତବ୍ୟକ୍ତ କରିଥିଲେ ଯେ ‘ନାରୀଟିଏ ଅଭୂତପୂର୍ବ ସହନଶୀଳତା, ତ୍ୟାଗ, ନମ୍ରତା, ବିଶ୍ୱାସ ଓ ବୃହତ୍ତର ଜ୍ଞାନର ମୂର୍ତ୍ତିମନ୍ତ ପ୍ରତୀକ ଏବଂ ନୈତିକ ବଳକୁ ଯଦି ମନୁଷ୍ୟର ଶକ୍ତି ଭାବେ ଗ୍ରହଣ କରାଯାଏ ତେବେ ଜଣେ ମହିଳା ପୁରୁଷଠାରୁ ବହୁଗୁଣରେ ଊର୍ଦ୍ଧ୍ବରେ ଥାଏ। କାରଣ ଜଣେ ମହିଳା ତା’ର ଚରିତ୍ରକୁ ହିଁ ତା’ର ଅଳଙ୍କାର ବୋଲି ବିବେଚନା କରିଥାଏ।’ ବାସ୍ତବରେ ମହିଳା ସଶକ୍ତୀକରଣ କଥା ମହାତ୍ମାଗାନ୍ଧୀ ହିଁ ପ୍ରଥମେ କହିଥିଲେ। କେବଳ କହି ନ ଥିଲେ ସେ ନିଜ ଘରୁ ନିଜ ପରିବାରରୁ ହିଁ ଆରମ୍ଭ କରିଥିଲେ। ସେତେବେଳର ରକ୍ଷଣଶୀଳ ସମାଜରେ ସେ ପ୍ରଥମେ କସ୍ତୁରବା ଗାନ୍ଧୀଙ୍କୁ ସ୍ୱାଧୀନତା ସଂଗ୍ରାମରେ ସାମିଲ କରାଇଥିଲେ। ଗାନ୍ଧିଜୀ ବିଶ୍ୱାସ କରୁଥିଲେ ‘ନାରୀତ୍ୱ କେବଳ ଗୃହର ଅଗଣା ମଧ୍ୟରେ ଆବଦ୍ଧ ନୁହେଁ। ରୋଷେଇଶାଳର ଚାରିକାନ୍ଥ ମଧ୍ୟରୁ ନିଜକୁ ମୁକ୍ତ କରି ସମାଜ ଓ ଦେଶର ବୃହତ୍ତର ସ୍ୱାର୍ଥରେ ନିଜର ଅନ୍ତର୍ନିହିତ ଶକ୍ତିକୁ ବିନିଯୋଗ କରିପାରିଲେ ନାରୀତ୍ବର ପୂର୍ଣ୍ଣ ବିକାଶ ସମ୍ଭବ।’ ତାଙ୍କର ଦୃଢ଼ ଆହ୍ୱାନ ବଳରେ ହଜାରହଜାର ମହିଳା ଘରୁ ବାହାରି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ।
ପାଶ୍ଚାତ୍ୟ ଦେଶକୁ ଅନୁସରଣ କରି ଆଜି ଆମ ଦେଶରେ ପୁରୁଷଙ୍କୁ ପିତୃତ୍ୱ ଅବକାଶ(ପାଟର୍ନିଟି ଲିଭ୍‌) ସୁବିଧା ଦିଆ ଯାଉଛି, କିନ୍ତୁ ୯୦ ବର୍ଷ ତଳେ ମହାତ୍ମା ଗାନ୍ଧୀ କସ୍ତୁରବାଙ୍କୁ ଘରୋଇ କାମରେ ସାହାଯ୍ୟ କରୁଥିଲେ ଏବଂ ତାଙ୍କର ସହକର୍ମୀର ମାନ୍ୟତା ଦେଉଥିଲେ। ଅହିଂସାର ମୂଳମନ୍ତ୍ର ସେ ପ୍ରଥମେ କସ୍ତୁରବାଙ୍କ ପାଖରୁ ଶିଖିଥିଲେ ବୋଲି ଗାନ୍ଧିଜୀ ତାଙ୍କ ଜୀବନୀରେ ଉଲ୍ଲେଖ ମଧ୍ୟ କରିଛନ୍ତି। ଗାନ୍ଧୀ ଏକଦା ମହିଳାମାନଙ୍କ ଉପରେ ଆଶାପୋଷଣ କରି କହିଥିଲେ ଅହିଂସାକୁ ଯଦି ସୃଷ୍ଟିର ମୂଳତତ୍ତ୍ୱ ଭାବରେ ଗ୍ରହଣ କରାଯାଏ ତେବେ ମାନବ ଜାତିର ଭବିଷ୍ୟତ ମହିଳାଙ୍କ ହାତରେ ହିଁ ରହିବ।
୧୯୧୯ ମସିହାରେ ବମ୍ବେର ଏକ ମହିଳା ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ଗାନ୍ଧିଜୀ କହିଥିଲେ ଯେ ପର୍ଯ୍ୟନ୍ତ ପୁରୁଷଙ୍କ ପରି ମହିଳାମାନେ ଦେଶର ସାମୂହିକ ବିକାଶରେ ସହଭାଗୀ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଏ ଦେଶର ବିକାଶ ଅସମ୍ଭବ। ମହିଳାମାନଙ୍କୁ ଦୁର୍ବଳ ଶ୍ରେଣୀରେ ଗଣିବା ଓ ପୁରୁଷସୁଲଭ ଅହଂରେ ସେମାନଙ୍କୁ ଉପେକ୍ଷା କରିବା ଏକ ଅପରାଧ ଅଟେ। ଏହାର ନିରାକରଣ ପାଇଁ ପ୍ରତିଟି ମହିଳା ମଧ୍ୟ ତା’ର ଅଧିକାର, ସ୍ୱାଭିମାନ ଓ ସମ୍ମାନ ପାଇଁ ନିଜେ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି।
ରଚନାତ୍ମକ କାର୍ଯ୍ୟରେ ମଧ୍ୟ ଗାନ୍ଧୀ ମହିଳାମାନଙ୍କୁ ଗୁରୁତ୍ୱ ଦେଉଥିଲେ। କେବଳ କଥାରେ ନୁହେଁ, କାର୍ଯ୍ୟରେ ଓ ରଚନାରେ ସେ ଏହାକୁ ପରିସ୍ଫୁଟ କରିଛନ୍ତି। କନ୍ୟାଭ୍ରୂଣ ହତ୍ୟା, ବାଲ୍ୟବିବାହ, ବିଧବା ବିବାହ, କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା, ଲିଙ୍ଗଗତ ଭେଦଭାବ, ବାଧ୍ୟତାମୂଳକ ଶିକ୍ଷା, ଯୌତୁକବିରୋଧ ଇତ୍ୟାଦି ପ୍ରତିଟି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ପଦକ୍ଷେପ ଆଜି ସର୍ବଜନବିଦିତ। ଶିକ୍ଷା ଦାନରେ ପୁଅ ଝିଅର ପ୍ରଭେଦ ରହିବା ଉଚିତ ନୁହେଁ ବୋଲି ସେ ପରାମର୍ଶ ଦେଇଥିଲେ। ସର୍ବୋଦୟ ତାଙ୍କର ଏଭଳି ଏକ ରଚନାତ୍ମକ କାର୍ଯ୍ୟ, ଯାହାର ଅର୍ଥ ଥିଲା ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ସମସ୍ତଙ୍କର ସର୍ବାଙ୍ଗୀଣ ଉନ୍ନତି। ଗ୍ରାମ ସ୍ୱରାଜରେ ମଧ୍ୟ ସେହିକଥା ଥିଲା – ମହିଳାଙ୍କ ବିକାଶରେ ପରିବାରର ବିକାଶ ଏବଂ ପରିବାର ବିକାଶ ଦ୍ୱାରା ଗ୍ରାମର ବିକାଶ ଏବଂ ଜାତିର ବିକାଶ। ଅର୍ଥନୈତିକ ସ୍ତରରେ ସ୍ୱାଧୀନ ରହିବା ପାଇଁ ମହିଳାମାନଙ୍କୁ ଆହ୍ୱାନ ପରିପ୍ରେକ୍ଷୀରେ ସେ କହିଥିଲେ ‘ନିଜର ଧୀଶକ୍ତି ଓ ମାନସିକ ଦୃଢ଼ତା ଯୋଗୁ ନାରୀ ଯୁଗେଯୁଗେ ପୁରୁଷର ସହଯୋଗୀ ଓ ସହଭାଗୀ ହୋଇ ରହିଆସିଛି। ପୁରୁଷର ସମସ୍ତ କାର୍ଯ୍ୟ​‌େ​‌ର ନାରୀର ସହଭାଗିତା ଉକ୍ତ ପ୍ରକ୍ରିୟାକୁ ଅଧିକ ରୁଦ୍ଧିମନ୍ତ କରିଥାଏ। ଏହା ନାରୀ ପ୍ରତି ପୁରୁଷର ସହାନୁଭୂତି ନୁହେଁ, ବରଂ ଏହା ନାରୀର ଜନ୍ମସିଦ୍ଧ ସାମାଜିକ ଅଧିକାର ଓ ସମାଜ ଗଠନ ଦିଗରେ ତାହାର ଅବଦାନ।’
ଗାନ୍ଧୀ ସଦାସର୍ବଦା ନାରୀକୁ ଆତ୍ମତ୍ୟାଗର ସର୍ବୋଚ୍ଚ ପ୍ରତୀକ ଭାବରେ ସମ୍ମାନ ଦେଉଥିଲେ, କିନ୍ତୁ ତାଙ୍କର ଅବସୋସ ଥିଲା ଯେ ନାରୀ ତା’ର ଅନ୍ତର୍ନିହିତ ଶକ୍ତିକୁ ଏ ପର୍ଯ୍ୟନ୍ତ ସଠିକ ଭାବରେ ହୃଦୟଙ୍ଗମ କରିପାରି ନାହିଁ, ଯଦିଓ ଦେଶର ଇତିହାସ, କଳା, ସଂସ୍କୃତି ଓ ରାଜନୀତି ଇତ୍ୟାଦି ସମସ୍ତ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖଯୋଗ୍ୟ ଅବଦାନ ରହି ଆସିଛି। ତେଣୁ ଆଜି ସମୟ ଆସିଛି ଅନ୍ଧବିଶ୍ୱାସ, କୁସଂସ୍କାର ଓ ଅପରିପକ୍ୱ ମାନସିକତାରୁ ନିଜକୁ ମୁକ୍ତ କରି ସ୍ୱାଧୀନତାର ପ୍ରକୃତ ଅର୍ଥକୁ ହୃଦୟଙ୍ଗମ କରିବା, ଅଧିକାରକୁ ସ୍ୱାଭିମାନର ସହିତ ହାସଲ କରିବା, ଜ୍ଞାନ ଓ ଦକ୍ଷତା ବଳରେ ପରିବାର ଓ ଦେଶର ଗଠନମୂଳକ କାର୍ଯ୍ୟରେ ପୁରୁଷର ସହଭାଗୀ ହୋଇ ଗାନ୍ଧୀଙ୍କ ସେହି ସ୍ୱାଧୀନ ଭାରତର ସ୍ବପ୍ନକୁ ସାକାର କରିବା। ତାଙ୍କର ସେଇ ବିଶ୍ୱାସ, ସେଇ ଶକ୍ତି ଓ ତାଙ୍କରି ଆଶୀର୍ବାଦ ଏବଂ ଆମ ଦକ୍ଷତା ବଳରେ ଆଣିବା ଆମ ସ୍ୱାଧୀନତା। ଆମେ ହେବା ସଶକ୍ତ, ଆମ ଦେଶକୁ କରିବା ଶକ୍ତ।

ରୀନା ରାଉତରାୟ ,

- Advertisement -

ସମାଜ ବିଜ୍ଞାନୀ ଓ ପରିବେଶବିତ୍‌

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories