www.samajalive.in
Saturday, December 13, 2025
27.1 C
Bhubaneswar

ସମ୍ପାଦକୀୟ: ହ୍ବାଇଟ୍‌ ହାଉସ ନାଟକ

ଯୁଦ୍ଧକାଳୀନ କୂଟନୀତିରେ ବାସ୍ତବତାର ଜ୍ୟାମିତି ଶୀଘ୍ର ବଦଳେ। ମଧ୍ୟସ୍ଥତା କରୁଥିବା ପକ୍ଷ ଶାନ୍ତି ସ୍ଥାପନ ଜରିଆରେ ନିଜର ସ୍ବାର୍ଥକୁ ମଧ୍ୟ ଅଗ୍ରାଧିକାର ଦିଅନ୍ତି। ଲଢ଼େଇରେ ଲିପ୍ତ ପକ୍ଷ ଅଧିକାଂଶ ସମୟରେ ମର୍କଟ ନ୍ୟାୟ ପାଇ ହତାଶ ହୋଇଥାନ୍ତି। ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯେଉଁ ଯୁଦ୍ଧ ଚାଲିଛି ସେଥିରେ ୟୁରୋପୀୟ ସଙ୍ଘ ଓ ଆମେରିକା ପକ୍ଷଭୁକ୍ତ ହୋଇଯାଇଛନ୍ତି। ଫଳରେ ଦୁର୍ବଳ ୟୁକ୍ରେନ ପାଶ୍ଚାତ୍ୟ ସାହାଯ୍ୟ ସହଯୋଗ ପାଇଁ ଯୁଦ୍ଧ ଜାରି ରଖିଛି। ପାରମ୍ପରିକ ଯୁଦ୍ଧରେ ୟୁକ୍ରେନ୍‌ ଉପରେ ବିଜୟ ହାସଲ କରିବା ଏବେ ଶକ୍ତିଶାଳୀ ରୁଷିଆ ପାଇଁ ସହଜ ନୁହେଁ। ତେଣେ ଲମ୍ବା ଲଢ଼େଇରେ ରୁଷିଆର ଅର୍ଥନୀତି ବିଗୁଡ଼ୁଛି। ନିଜର ଆର୍ଥିକ ସ୍ଥିିତିକୁ ସମ୍ଭାଳିବା ପାଇଁ ମସ୍କୋ ବିଶ୍ବ ବଜାରକୁ ଅତି ଶସ୍ତାରେ ପ୍ରଚୁର ତୈଳ ଛାଡ଼ୁଛି। ଏହା ଫଳରେ ଆମେରିକା ଓ ଅନ୍ୟାନ୍ୟ ତୈଳ ସମୃଦ୍ଧ ରାଷ୍ଟ୍ରଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି।

ଆଲାସ୍କାରେ ଟ୍ରମ୍ପ-ପୁଟିନ ଆଲୋଚନାର ଫଳାଫଳ ୟୁକ୍ରେନ ପାଇଁ ନୈରାଶ୍ୟଜନକ ଥିଲା। ରୁଷିଆ ସହିତ ଯୁଦ୍ଧବିରତି ସମ୍ପର୍କରେ ଆଲୋଚନା କରିବାକୁ ଟ୍ରମ୍ପ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବା ସହିତ କଟକଣା ସତ୍ତ୍ବେ ରୁଷର ତୈଳ କାରବାରକୁ ପରୋକ୍ଷରେ ସ୍ବୀକୃତି ଦେଇଦେଲେ। ଏହା ପଛରେ ଥିଲା ଆମେରିକା ଓ ତାହାର ମିତ୍ର ରାଷ୍ଟ୍ରଙ୍କ ପ୍ରଚ୍ଛନ୍ନ ସ୍ବାର୍ଥ। କାରଣ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରମାନେ ରୁଷୀୟ ତୈଳ ଓ ଗ୍ୟାସ୍‌ର ଏବେ ବଡ଼ ଗ୍ରାହକ। ତେଣୁ ରୁଷ ଉପରେ ଚାପ ପ୍ରୟୋଗ ପରିବର୍ତ୍ତେ ଟ୍ରମ୍ପ ନରମିଗଲେ। ଏକଦା ଏହି ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ନିର୍ବୋଧ କହି ଭର୍ତ୍ସନା କରିଥିଲେ। ପୁଟିନଙ୍କ କଠୋର ମନୋବୃତ୍ତି ଆଗରେ ଟ୍ରମ୍ପ ବୋଧହୁଏ ଆଲାସ୍କାରେ ସାଲିସ କରିବାକୁ ବାଧ୍ୟ ହୋଇଥିଲେ।
ଆଲାସ୍କାର ବିଫଳ ଆଲୋଚନା ପରେ ଟ୍ରମ୍ପ ସମାଲୋଚିତ ହେବାରୁ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କିଙ୍କୁ ହ୍ବାଇଟ୍‌ ହାଉସକୁ ଡକାଇ ତାଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରିଛନ୍ତି। ମାତ୍ର ୭୨ ଘଣ୍ଟାର ବ୍ୟବଧାନ ମଧ୍ୟରେ ହ୍ବାଇଟ ହାଉସରେ ଜେଲେନ୍‌ସ୍କିଙ୍କ ସହିତ ଅନେକ ତୁଙ୍ଗ ପାଶ୍ଚାତ୍ୟ ରାଷ୍ଟ୍ରମୁଖ୍ୟ ଏକତ୍ର ହେବା ଉଲ୍ଲେଖନୀୟ ଘଟଣା। ଏହି ଆୟୋଜନ ଉଦ୍ଦେଶ୍ୟମୂଳକ ଥିଲା; କାରଣ ୟୁକ୍ରେନ ରାଷ୍ଟ୍ରପତିଙ୍କ କ୍ଷୁବ୍ଧ ମନୋଭାବକୁ ଶାନ୍ତ କରିବାର ଏହାଥିଲା ଏକ ପ୍ରତୀକାତ୍ମକ ପ୍ରୟାସ। ସତକଥା ହେଲା ଜେଲେନସ୍କିଙ୍କ ଏହି ଗସ୍ତ ତାଙ୍କ ଦେଶ ପାଇଁ ବିଶେଷ ଲାଭଜନକ ହୋଇ ନଥିଲେ ମଧ୍ୟ ଟ୍ରମ୍ପଙ୍କ ଦ୍ବାରା ହୋଇଥିବା କୂଟନୀତିକ କ୍ଷତିକୁ ରୋକିବାର ଏକ ବଡ଼ ଆୟୋଜନ। ନାଟୋ ଓ ପାଶ୍ଚାତ୍ୟ ରାଷ୍ଟ୍ରମୁଖ୍ୟଙ୍କ ଗହଣରେ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ ଟ୍ରମ୍ପ ଶଙ୍ଖୋଳି ତାଙ୍କୁ ଅସ୍ତ୍ରଶସ୍ତ୍ରର ଯୋଗାଣର ପ୍ରତିଶ୍ରୁତି ଦେବା ସହିତ ଯୁଦ୍ଧ ବିରତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଯେଉଁସବୁ ଆଶ୍ବାସନା ଦେଇଛନ୍ତି ତାହାର ସମୟସୀମା ଓ ବାସ୍ତବତା କୂଟନୀତିକ ପଶାପାଲିରେ କ’ଣ ହେବ କହିବା କଷ୍ଟ।

- Advertisement -

ବିଶ୍ବଚକ୍ଷୁରେ ଏହାଦ୍ବାରା ୟୁକ୍ରେନ ରାଷ୍ଟ୍ରପତିଙ୍କ ସମ୍ମାନ ରହିଲା ସତ; ଯୁଦ୍ଧ ସରିନାହିଁ କି ଶାନ୍ତି ସହଜରେ ଫେରିବାର ନାହିଁ। ରୁଷିଆ ତାହାର ତେଲ ବିକିବ ଓ ଆମେରିକା କଟକଣା ଲୋକଦେଖାଣିଆ ହୋଇ ରହିବ। ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଆର୍ଥିକ ସହାୟତା ଯୋଗାଣ ଜାରି ରଖିବେ ଏବଂ ନାଟୋ ସାମରିକ ସହାୟତା ଦେବ। ଏହି ଲଢ଼େଇ ପାଇଁ ଆମେରିକା ୟୁକ୍ରେନକୁ ପ୍ରଚୁର ଅସ୍ତ୍ରଶସ୍ତ୍ର ବିକ୍ରି କରି ଲାଭବାନ ହେବ। ଏହି ଆଲୋଚନାର ନିର୍ଯାସ ହେଲା ୟୁକ୍ରେନ ଲଲିପପ୍‌ ପାଇଲା, ଟ୍ରମ୍ପଙ୍କ ବେପାର ଓ ନେତୃତ୍ବ ବଜାୟ ରହିଲା। ରୁଷିଆ ଲାଭବାନ ହେଲା, ୟୁରୋପୀୟ ରାଷ୍ଟ୍ରମାନେ ଆମେରିକା ସହିତ ରହି ନିଜ ସ୍ବାର୍ଥ ଜଗିଲେ ଆଉ ନାଟୋ ଏକ ମାନନୀୟ ଅତିଥି ଭାବେ ହ୍ବାଇଟ୍‌ ହାଉସରେ ଆସନ ପାଇଲା। ଆଲାସ୍କାରେ ଆରମ୍ଭ ହୋଇଥିବା ଦୁଇ ବୃହତ୍‌ ଶକ୍ତିଙ୍କ ନାଟକର ଦ୍ବିତୀୟ ଅଙ୍କ ହ୍ବାଇଟ୍‌ ହାଉସରେ ଅଭିନୀତି ହୋଇଛି। ଯେଉଁଥିରେ ସବୁଠୁ ପ୍ରତାରିତ ହୋଇଛି ୟୁକ୍ରେନ। ୟୁକ୍ରେନ୍‌ ଟ୍ରମ୍ପଙ୍କଠାରୁ କେବଳ ପ୍ରତିଶ୍ରୁତି ପାଇଛନ୍ତି ସତ; ଗ୍ୟାରେଣ୍ଟି ପାଇନାହାନ୍ତି। ଏହି ନାଟକର ପରିସମାପ୍ତିକୁ ସମସ୍ତେ ଅପେକ୍ଷା କରିବେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories