mission shakti banner

ପଶ୍ଚିମବଙ୍ଗରେ ଟିଏମ୍‌ସି-ବିଜେପି କର୍ମୀ ମୁହାଁମୁହିଁ

BSKY banner  750×100
0

କଲକାତା : ପଶ୍ଚିମବଙ୍ଗରେ ପବିତ୍ର ରାମନବମୀ ଦିବସରେ ଶୋଭାଯାତ୍ରାକୁ ନେଇ ବିଜେପି ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) କର୍ମୀ ମୁହାଁମୁହିଁ ହୋଇଛନ୍ତି । ସୂଚନା ଅନୁସାରେ ପୁରୁଲିଆରେ ରବିବାର ବଜରଙ୍ଗ ଦଳ ସଦସ୍ୟମାନେ ହାତରେ ଖଣ୍ଡା ଧରି ଏକ ଶୋଭଯାତ୍ରା ବାହାର କରିଥିଲେ । ଶୋଭାଯାତ୍ରାରେ ବରଜଙ୍ଗ ଦଳ ସଦସ୍ୟମାନେ ଖଣ୍ଡା ବୁଲାଇ ଜୟ ଶ୍ରୀ ରାମର ନାରା ଦେଇଥିଲେ । ସେହିପରି ସିଲିଗୁଡ଼ିରେ ରାମ ମନ୍ଦିର ମହୋତ୍ସବ କମିଟି ପକ୍ଷରୁ ଖଣ୍ଡା ନେଇ ଶୋଭଯାତ୍ରା ବାହାର କରାଯାଇଛି । ବର୍ଦ୍ଧମାନ ଜିଲାରେ ବିଜେପି କର୍ମୀମାନଙ୍କ ଦ୍ୱାରା ପ୍ରସ୍ତୁତ ରାମନବମୀ ପେଣ୍ଡାଲକୁ ଶନିବାର ରାତିରେ କେତେକ ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି । ଫେଣ୍ଡାଲ ଭଙ୍ଗା ପଛରେ ଟିଏମ୍‌ସି କର୍ମୀଙ୍କ ହାତ ରହିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ପେଣ୍ଡାଲ ଭଙ୍ଗା ସମୟରେ ଦୁର୍ବୃତ୍ତ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷରେ ୪ ବିଜେପି କର୍ମୀ ଆହତ ହୋଇଛନ୍ତି । ଦୁଇ ଦିନ ପୂର୍ବରୁ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ ଦିଲ୍ଲୀପ ଘୋଷ କହିଥିଲେ ଯେ ରାମନବମୀ ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଶୋଭାଯାତ୍ରା ଅନୁଷ୍ଠିତ ହେବ । ପ୍ରଶାସନ ଏହି ଶୋଭାଯାତ୍ରାକୁ ଅଟକାଇବାକୁ ଚେଷ୍ଟା କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସେ ଚେତବାନୀ ଦେଇଥିଲେ । ଅପରପକ୍ଷରେ ଟିଏମ୍‌ସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋଭଯାତ୍ରାରେ ଅସ୍ତ୍ରଶସ୍ତ୍ର ନେବାକୁ ବାରଣ କରିଥିଲେ । ଦିନ ୪ଟା ପରେ ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ । ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ହେବା ଦରକାର, ନଚେତ ଶୋଭାତ୍ରା ବାହାର କରିବାକୁ ଅନୁମତି ମିଳିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । ରାମନବୀମୀ ଉପଲକ୍ଷେ ରବିବାର ସକାଳେ ଶାସକ ଟିଏମ୍‌ସି ଏବଂ ବିରୋଧୀ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଶୋଭଯାତ୍ରା କରାଯାଇଛି । କେତେକ ସ୍ଥାନରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ପୁଲିସ୍‌ କାହାରିକୁ ଗିରଫ କରିନାହିଁ ବୋଲି ଜାଣିବାକୁ ମିଳିଛି ।

Leave A Reply