ଅସହ୍ୟ ଗୁଳୁଗୁଳି; ୫ରୁ ବଢ଼ିବ ବର୍ଷା

0

ଭୁବନେଶ୍ୱର : କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ବାୟୁମଣ୍ଡଳରେ ଆର୍ଦ୍ରତା କାରଣରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଶୁକ୍ରବାର ସୋନପୁରରେ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବାବେଳେ ଅନ୍ୟ ସହରରେ ତାତି କମ୍‍ ରହିଛି। ତେବେ ତାତି ପବନ ଓ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ତେବେ ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କୋରାପୁଟ, ମାଲକାନଗିରିରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
ଆସନ୍ତା ୫ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ବିଶେଷ କରି ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୭ରୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ରାଜ୍ୟରେ ପହଞ୍ଚିବା ପରେ ବର୍ଷା ବଢ଼ିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଜୟପୁରରେ ସର୍ବାଧିକ ୯ ସେମି ବର୍ଷା ରେକର୍ଡ଼ କରାଯାଇଛି। ମାଲକାନଗିରିରେ ୭ ସେମି, ଚଣ୍ଡିଖୋଲରେ ୪, ଭଦ୍ରକରେ ୩, ତିହିଡ଼ି, ଝୋରିଗାମ ଓ ଜୟପାଟଣାରେ ୧ ସେମି ଲେଖାଏଁ ବର୍ଷା ହୋଇଛି।

Leave A Reply