ଖୁଣ୍ଟାପଡା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଖୁଣ୍ଟାପଡା ପଞ୍ଚାୟତରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା। ପଞ୍ଚlୟତ ମୁଖ୍ୟାଳୟ ଖୁଣ୍ଟାପଡା ଗ୍ରାମରେ ଏକ ମାତ୍ର ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ପ୍ରତି ସାହିକୁ ପାଇପ ଯୋଗେ ଜଳ ଯୋଗାଣ ହୋଇଛି। ସେହି ପାଣିକୁ ସମସ୍ତ ଗ୍ରାମବାସୀ ଭାଗ କରି ବ୍ୟବହାର କରୁଛନ୍ତି। ମାତ୍ର ଯେଉଁ ଦିନ ବିଦ୍ୟୁତ ସରବରାହ ବନ୍ଦ ରହୁଛି ସେହି ଦିନ ମାନଙ୍କରେ ଜଳ ଯୋଗାଣ ହେଇପାରୁନାହିଁ । ଫଳରେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ଗ୍ରାମବାସୀ ।

ଆଜି ବିଦ୍ୟୁତ ନଥିବାରୁ ମହିଳାମାନେ ଆଶ୍ରମ ବିଦ୍ୟାଳୟ ପାଚେରୀ ଡେଇଁ ସୋଲାର ପମ୍ପରୁ ପାଣି ଅlଣୁଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଆଶ୍ରମ ବିଦ୍ୟାଳୟରେ ଏକ ନଳକୂପକୁ ସୋଲାର ସଂଯୋଗ କରାଯାଇଛି । ବର୍ତ୍ତମାନ ଗ୍ରୀଷ୍ମ ଛୁଟି ଥିବାରୁ ବିଦ୍ୟାଳୟ ଗେଟ ତାଲା ପଡିଛି । ପାଣି ନେବା ପାଇଁ ମହିଳାମାନେ ଗ୍ରାମର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଗରା ବାଲଟି ଜମା କରି ସକାଳ ପ୍ରହରରୁ ରଖୁଛନ୍ତି । ଉକ୍ତ ପାଣି ମଧ୍ୟ ଗୋଟିଏ ଓଳି ଦିଆଯାଉଛି । ମେଗା ଜଳ ପ୍ରକଳ୍ପ ଚାଲୁ ହେଲେ ପାଣି ସମସ୍ୟା ସମାଧାନ ହୋଇପାରନ୍ତା । ତାହାର କାମ ସାରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନଥିବାରୁ ଲୋକେ ଅସନ୍ତୁଷ୍ଟ ହେଉଛନ୍ତି । ଏହା କାହିଁକି ଚାଲୁ ହେଉନାହିଁ ତାହା ସରପଞ୍ଚ ମଧ୍ୟ କହିପାରୁ ନାହାନ୍ତି ।

Comments are closed.