କୂଳ ଲଙ୍ଘୁଛି ସମୁଦ୍ର, ୨ ଗାଁ  ଲୀନ ହେବା ଆଶଙ୍କା

ଛତ୍ରପୁର : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ତଥା ସମୁଦ୍ରକୂଳିଆ ପରିବାର  ଭୟଭୀତ ହୋଇପଡିବା ସହ  ନାନା  ଆଶଙ୍କାରେ ରହିଛନ୍ତି। ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ସମୁଦ୍ର ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଥିବା ଲକ୍ଷ୍ୟ କରାଯାଉଛି। ଆର୍ଯ୍ୟପଲ୍ଲୀ ଗାଁ ନିକଟରେ ସମୁଦ୍ର କୂଳ ଲଙ୍ଘୁଥିବାରୁ ପଞ୍ଚାୟତବାସୀ ଭୟଭୀତ ହୋଇପଡିଛନ୍ତି। ଗୁରୁବାର ସକାଳୁ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମାଡ଼ି ଆସିବାରୁ କେ. ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ମତ୍ସ୍ୟଜୀବୀଙ୍କ ପାଇଁ ନିର୍ମିତ ଏକ ଆଶ୍ରୟସ୍ଥଳୀ (ସେଡ୍‌) ଭାଙ୍ଗି ସମୁଦ୍ରରେ ଲୀନ ହୋଇଯାଇଛି। ଏପରି କି ପୂର୍ବରୁ ସମୁଦ୍ର ନିକଟରେ ଥିବା ରାସ୍ତା ଧୋଇ ହୋଇଯିବା ସହ ସେଠାରେ ଥିବା ଛୋଟ ଛୋଟ ମନ୍ଦିର ମଧ୍ୟ ସମୁଦ୍ର ଜୁଆର ମାଡରେ ଭାଙ୍ଗି ନଷ୍ଟ ହୋଇଯାଇଛି। ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଜୁଆର ମାଡ଼ରେ କ୍ଷତିଗସ୍ତ ହୋଇଥିବା ଆଶ୍ରୟସ୍ଥଳୀ ନିକଟରେ କିଛି ଘର ଥିବାରୁ ସଂପୃକ୍ତ ପରିବାର ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପଚାଂୟତବାସୀ କହିବା ମୁତାବକ ପୂର୍ବରୁ ସମୁଦ୍ର ଗ୍ରାମ ଠାରୁ ୨ କି.ମି ଦୂରରେ ଥିବା ବେଳେ ଏବେ ସମୁଦ୍ର କ୍ରମେ ଗ୍ରାମର ନିକଟବର୍ତ୍ତୀ ହେବାରେ ଲାଗିଛି। ଗ୍ରାମ ଠାରୁ ଏବେ ସମୁଦ୍ର ଆଉ ମାତ୍ର ୨୦୦ ମିଟର ଦୂରରେ ରହିଛି।

ସେହିପରି ଅଗସ୍ତିନୂଆଗାଁ ପଞ୍ଚାୟତ ନୋଳିଆ ନୂଆଗାଁ ନିକଟକୁ ମଧ୍ୟ ସମୁଦ୍ର ମାଡ଼ି ଆସୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଜଳବାୟୁ ପରିବର୍ତ୍ତନ ସମେତ ବାରମ୍ବାର ଲଘୁଚାପଜନିତ ସାମୁଦ୍ରିକ ବାତ୍ୟା ଯୋଗୁଁ ସମୁଦ୍ର ଜଳରାଶି ଦିନକୁ ଦିନ ଉପକୂଳମୁହାଁ ହେଉଛି। ଫଳରେ ଆଗାମୀ ଦିନରେ ବହୁ ଗ୍ରାମ ସମୁଦ୍ରରେ ଲୀନ ହୋଇଯିବା ସମ୍ଭାବନା ଦେଖାଦେଇଛି। ଏଭଳି ପରିସ୍ଥିତି ଲାଗି ରହିଲେ ସମୁଦ୍ରକୂଳରେ ରହିଥିବା ଘରଗୁଡ଼ିକ ଆଗାମୀ ଦିନରେ ବିଶେଷ ଭାବେ ପ୍ରଭାବିତ ହେବା ସହ ଆର୍ଯ୍ୟପଲ୍ଲୀ ପଚାଂୟତ ଗଞ୍ଜାମ ମାନଚିତ୍ରରୁ ଲିଭିଯିବା ଆଶଙ୍କା ପ୍ରକାଶ ପାଇଛି। ଏଥିରେ ପ୍ରଶାସନ ହସ୍ତକ୍ଷେପ ନ କଲେ ଧୀରେ ଧୀରେ ଗ୍ରାମଟି ସମୁଦ୍ର ଆଁ ରେ ପଶିଯିବା ସମ୍ଭାବନା ରହିଛି। କେବଳ ଆର୍ଯ୍ୟପଲ୍ଲୀ ନୁହେଁ, ସମୁଦ୍ର କୂଳରେ ଥିବା ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଭୟଭୀତ ହୋଇପଡିଲେଣି। ଛତ୍ରପୁର ନିର୍ବାଚନୀମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ, ଗଞ୍ଜାମ ବ୍ଲକର ପୋଡମପେଟା, ଚିକିଟି ବ୍ଲକର ରାମେୟାପାଟଣା ଅଞ୍ଚଳରେ ସମୁଦ୍ର ଧୀରେ ଧୀରେ କୂଳ ଖାଇବାରେ ଲାଗିଛି। ଏପରି କି ବହୁ ଘର ସମୁଦ୍ରରେ ଲୀନ ହୋଇଯାଇଛି। ଉପକୂଳ ଗ୍ରାମରେ ବହୁ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାରୁ ସମୁଦ୍ର କୂଳ ଲଙ୍ଘୁଥିବା ଯୋଗୁଁ ନାନା ଆଶଙ୍କା ମଧ୍ୟରେ ରହୁଛନ୍ତି। ସମୁଦ୍ର କୂଳ ଲଙ୍ଘୁଥିବାରୁ  ଏହାର ପ୍ରତିକାର ନେଇ ବହୁବାର ବିଧାନସଭାରେ ଦାବି ଉଠିଛି। ଏହାର ସ୍ଥାୟୀ ପ୍ରତିକାର ଲାଗି ୨୦୨୨ ଅଗଷ୍ଟ ୧୦ ତାରିଖରେ ଚେନ୍ନାଇସ୍ଥିତ ନ୍ୟାସନାଲ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଓସିଅନ ଟେକ୍ନୋଲୋଜି (ଏନଆଇଓଟି) ସହ ସ୍ୱାକ୍ଷାରିତ ହୋଇଥିବା ଏମଓୟୁ ପ୍ରକାରେ ବୈଷୟିକ ସହାୟତା ପ୍ରତିକାର ଏବଂ ପ୍ରତିରୋଧ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଟିମ ଉପକୂଳ ସୁରକ୍ଷା କ୍ଷେତ୍ରରେ ଆବଶ୍ୟକୀୟ ବୈଷୟିକ ଜ୍ଞାନକୌଶଳ, ଡିଜାଇନ ପ୍ରଦାନ କରିବେ।

Comments are closed.