ଆତଙ୍କର ଅନ୍ୟ ନାମ ଲରେନ୍ସ ବିଷ୍ଣୋଇ

ମୁମ୍ବଇ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଜେଲ୍‌ରେ ଥାଇ ସୁଦ୍ଧା ତାର ଆପରାଧିକ ନେଟ୍‌ୱର୍କକୁ ସକ୍ରିୟ ରଖିଛି। ଲରେନ୍ସ ଗ୍ୟାଙ୍ଗ କାନାଡ଼ା ସହ ଭାରତରେ ତାର ଆପରାଧିକ ଜାଲ ବିଛାଇଛି। ପଞ୍ଜାବୀ ଗାୟକ ସିଧୁ ମୁସ୍‌ୱାଲାଙ୍କୁ ହତ୍ୟା ପରଠାରୁ ଚର୍ଚ୍ଚାରେ ଥିବା ଲରେନ୍ସ ବଲିଉଡ୍‌ ତାରକା ସଲମାନ ଖାଁଙ୍କୁ ନିଶାଣ କରିଛି। ମହାରାଷ୍ଟ୍ର ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ତାଙ୍କ ବନ୍ଧୁ ସଲମାନଙ୍କ ଜୀବନ ପ୍ରତି ବିପଦ ବଢ଼ିଯାଇଛି। ରାଜସ୍ଥାନରେ କୃଷ୍ଣସାର ମୃଗ ଶିକାରକୁ ନେଇ ଲରେନ୍ସ ସଲମାନଙ୍କ ଉପରେ ରାଗ ରଖିଥିବା କୁହାଯାଇଛିଟ୍ଟ କାରଣ ବି​ଷ୍ଣୋଇ ସମ୍ପ୍ରଦାୟ ପାଇଁ କୃଷ୍ଣସାର ମୃଗ ପୂଜ୍ୟ ବୋଲି କୁହାଯାଏ। ବାସ୍ତବ ପକ୍ଷେ ସଲମାନଙ୍କୁ ନିଶାଣ କରିବା ପଛରେ ଅନ୍ୟ ରହସ୍ୟ ରହିଥିବା ପୁଲିସ ଚିନ୍ତା କରୁଛି। ତେବେ କେବଳ ସଲମାନ ନୁହନ୍ତି, ଲରେନ୍ସ ନିଶାଣରେ ଆଉ କିଛି ବିଶିଷ୍ଟ ବ୍ୟକ୍ତି ରହିଥିବା ଜଣାପଡ଼ିଛି।

ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ସୂତ୍ରରୁ ଉପଲବ୍ଧ ସୂଚନାନୁଯାୟୀ, ଲରେନ୍ସ ତା’ ନିଶାଣରେ ଥିବା ବ୍ୟକ୍ତିଙ୍କୁ ସହଜରେ ଖଲାସ କରିପାରୁଛି। ଏବେ ସଲମାନଙ୍କ ସହ ଆଉ ୫ଜଣ ତା’ ନିଶାଣରେ ଅଛନ୍ତି। ସେମାନେ ହେଉଛନ୍ତି ଗାୟକ ସିଧୁ ମୁସ୍‌ୱାଲାଙ୍କ ମ୍ୟାନେଜର ସଗନପ୍ରୀତ୍‌ ସିଂହ, ଗ୍ୟାଙ୍ଗଷ୍ଟର ଗୌରବ (ଲକି) ପଡ଼ିୱାଲର ସହଯୋଗୀ ମନଦୀପ ଧରିୱାଲ, ସମ୍ପ୍ରତି ଗୁରୁଗ୍ରାମ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର କୌଶଲ ଚୌଧୁରୀ ଓ ଗ୍ୟାଙ୍ଗଷ୍ଟର ଅମିତ ଦାଗର। ଲରେନ୍ସ ଗ୍ୟାଙ୍ଗ ଗତ ସପ୍ତାହରେ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛି ସତଟ୍ଟ ହେଲେ ସଲମାନ ଏକ ନମ୍ବର ନିଶାଣରେ ରହିଛନ୍ତି। ପାକିସ୍ତାନରୁ ସଲମାନଙ୍କୁ ହତ୍ୟା ପାଇଁ ସେ ଏକେ-୪୭ ବନ୍ଧୁକ ଆଣିବା ସହ ଭଡ଼ାଟିଆ ହତ୍ୟାକାରୀ ନିୟୋଜିତ କରିଥିବା ସୂଚନା ମିଳିଛି। ଘନିଷ୍ଠ ସହଯୋଗୀ ସମ୍ପତ ନେହରାକୁ ସଲମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଦାୟିତ୍ବ ଦେଇଥିବା ମଧ୍ୟ ସୂଚନା ମିଳିଛି।

ଏନ୍‌ଆଇଏ ଅଭିଯୋଗ ଫର୍ଦରୁ ହସ୍ତଗତ ସୂଚନାନୁଯାୟୀ, ଲରେନ୍ସ ବାସ୍ତବରେ ଦାଉଦ ଇବ୍ରାହିମ୍‌ ରାସ୍ତା ଧରିଛି। ଅପରାଧ ସାମ୍ରାଜ୍ୟର ବିସ୍ତାର ପାଇଁ ସେ ୧୧ଟି ରାଜ୍ୟରେ ୭୦୦ରୁ ଅଧିକ ସୁଟର୍‌ (ବନ୍ଧୁକଚାଳକ)ଙ୍କୁ ପାଳିପୋଷି ରଖିଛି। ସେମାନଙ୍କ ମଧ୍ୟରୁ କେବଳ ପଞ୍ଜାବରେ ଅଛନ୍ତି ୩୦୦। ସେମାନେ ପ୍ରଭାବ ବିସ୍ତାର ସହ ଧମକ ଚମକ ଦେବା ପାଇଁ ସାମାଜିକ ଗଣମାଧ୍ୟମର ଉପଯୋଗ କରୁଛନ୍ତି। ଏହା ମାଧ୍ୟମରେ ବିଶେଷ ଭାବେ ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରୁଛନ୍ତି। ଲରେନ୍ସ ଗ୍ୟାଙ୍ଗର ପ୍ରମୁଖ ପରିଚାଳକ ହେଉଛି ସତ୍‌ବିନ୍ଦର ସିଂହ ଓରଫ ଗୋଲ୍‌ଡି ବ୍ରାର। ପଞ୍ଜାବ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡରେ ଗ୍ୟାଙ୍ଗର ଜାଲ ସର୍ବାଧିକ ସକ୍ରିୟ।

ତେବେ ଏନ୍‌ଆଇଏ ପାଇଁ ସବୁଠୁ ବଡ଼ ଚିନ୍ତା ହେଉଛି, କଡ଼ା ସୁରକ୍ଷା ବଳରେ ଥିବା ୩୧ ବର୍ଷୀୟ ଲରେନ୍ସ ଜେଲ୍‌ ଭିତରୁ କେମିତି ତାର କାରବାର ଅବ୍ୟାହତ ରଖିଛି। ଜେଲ୍‌ରେ ରହି ସେ ପଞ୍ଜାବଠାରୁ ମହାରାଷ୍ଟ୍ର ଓ ଦିଲ୍ଲୀ ପର୍ଯ୍ୟନ୍ତ ଏବଂ କାନାଡ଼ାରେ ମଧ୍ୟ ଗ୍ୟାଙ୍ଗ ୱାର୍‌ କରାଇପାରୁଛି ଓ ବଡ଼ ବଡ଼ ବ୍ୟକ୍ତିଙ୍କୁ ସଫଳ ନିଶାଣ କରୁଛି। ପୁଲିସ କିମ୍ବା ଗୁଇନ୍ଦା କେହି ହେଲେ ଏ ସମ୍ପର୍କରେ ଟେର୍‌ ପାଉନାହାନ୍ତି। ପଞ୍ଜାବର ଫିରୋଜପୁର ଜିଲାରେ ଏକ କୃଷକ ପରିବାରରେ ଜନ୍ମିତ ଲରେନ୍ସ ଦ୍ବାଦଶ ଶ୍ରେଣୀ ପଢ଼ିବା ପରେ ୨୦୧୦ରେ ଚଣ୍ଡିଗଡ଼ ଆସିଥିଲା। ୨୦୧୧-୧୨ରେ ଛାତ୍ର ରାଜନୀତିରେ ସକ୍ରିୟ ହେଲା। ୨୦୧୨ରେ ଏକ ଅପରାଧ ମାମଲାରେ ଗିରଫ ହୋଇ ପ୍ରଥମେ ଜେଲ୍‌ରେ ଭର୍ତ୍ତି ହୋଇଥିଲା। ଏହା ପରପଠାରୁ ଅପରାଧ ଦୁନିଆରେ ନିଜର ସ୍ଥିତି ଜାହିର କରିବାରେ ଲାଗିଲା ସେ। ଗତ ୧୦ ବର୍ଷ ମଧ୍ୟରେ ସେ ଭାରତ ଓ କାନାଡ଼ାରେ ସବୁଠୁ ବଡ଼ ଗ୍ୟାଙ୍ଗଷ୍ଟର ଭାବେ ଆତଙ୍କ ଖେଳାଇ ପାରିଛି।

Comments are closed.