ରାଷ୍ଟ୍ରଗଠନରେ ମତଦାତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
ଭୁବନେଶ୍ବର : ମତଦାନ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ଭୋଟକୁ ଆତ୍ମାର ସ୍ବର ଭାବେର ଗ୍ରହଣ କରାଯାଏ। ମତଦାନ ସମୟରେ ବ୍ୟକ୍ତିଗତ ପରିଧିର ଊର୍ଦ୍ଧ୍ବକୁ ଯାଇ ଜାତୀୟ ତଥା ସାମୁହିକ ସ୍ବାର୍ଥକୁ ଅଗ୍ରାଧିକାର ଦେବା ଉଚିତ। ରାଷ୍ଟ୍ରଗଠନରେ ମତଦାତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ ସବୁ ଭୋଟର କାହାଦ୍ବାରା ପ୍ରଭାବିତ ନ ହୋଇ ଭୋଟଦାନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆହ୍ବାନ ଦେଇଛନ୍ତି।
କଳିଙ୍ଗ ଷ୍ଟାଡ଼ିୟମ୍ରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଭୋଟର ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ ମତଦାତା ହିଁ ଭାରତୀୟ ଗଣତନ୍ତ୍ରର ପ୍ରକୃତ ଭାଗ୍ୟବିଧାତା। ସେମାନେ ହିଁ ଦେଶର ଦିଶା ନିର୍ଦ୍ଧାରଣ କରିଥାନ୍ତି। ସାଧାରଣ ଲୋକର ଭୋଟର ମୂଲ୍ୟ ଯାହା, ଭାରତର ପ୍ରଧାନ ମନ୍ତ୍ରୀଙ୍କ ଭୋଟର ମୂଲ୍ୟ ମଧ୍ୟ ସେତିକି। ଏହାକୁ ହୃଦୟଙ୍ଗମ କରି ଭୋଟ ଦାନ ମାଧ୍ୟମରେ ପ୍ରତ୍ୟେକ ଭୋଟର ରାଷ୍ଟ୍ର ନିର୍ମାଣରେ ନିଜକୁ ସମ୍ପୃକ୍ତ କରିବାକୁ ରାଜ୍ୟପାଳ କହିଛନ୍ତି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ୍ ରାମଚାନ୍ଦ ଯାଦବ ଓ ଡ.ଅଭୟ କୁମାର ନାୟକ ପ୍ରମୁଖ ଭାରତର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଜାତୀୟ ଭୋଟର ଦିବସ ଉପଲକ୍ଷେ ଆୟୋଜିତ ପୋଷ୍ଟର ଓ ପ୍ରଦର୍ଶନୀକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍ଘାଟନ କରିବା ସହିତ ଆଦର୍ଶ ମତଦାନ କେନ୍ଦ୍ର ବୁଲି ଦେଖିଥିଲେ। ଏହି ଅବସରରେ ରାଜ୍ୟପାଳ କିଛି ନୂଆ ଭୋଟରଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରାଦେଶାତ୍ମବୋଧ କଳା ପ୍ରଦର୍ଶିତ ହୋଇଥିଲା। ଗଣତନ୍ତ୍ର ପ୍ରକ୍ରିୟାରେ ମତଦାତାଙ୍କୁ ଅଧିକ ସଂଶ୍ଲିଷ୍ଟ କରିବା ନିମନ୍ତେ ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ନବମ ଜାତୀୟ ଭୋଟର ଦିବସ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ‘କୌଣସି ମତଦାତା ବାଦ ପଡ଼ିବେ ନାହିଁ’ କୁ ଆଭିମୁଖ୍ୟ ଏବଂ ‘ଭୋଟର ହୋଇ ମୁଁ ଗର୍ବିତ, ଭୋଟ ଦେବା ପାଇଁ ସଦା ପ୍ରସ୍ତୁତ’କୁ ସ୍ଲୋଗାନ ରୂପେ ଗ୍ରହଣ କରି ଜାତୀୟ ମତଦାତା ଦିବସ ସାରା ଦେଶରେ ପାଳନ କରାଯାଉଛି।
ନବମ ଜାତୀୟ ଭୋଟର ଦିବସ ଉପଲକ୍ଷେ ‘ଭୋଟର କାର୍ଣ୍ଣିଭାଲ୍ ୧୯’ ଅନୁଷ୍ଠିତ ହୋଇଥିଲା। ରାଜଧାନୀରେ ତିନୋଟି ସୁସଜ୍ଜିତ ଗାଡ଼ି ସହିତ ଏକ ଶୋଭାଯାତ୍ରା କଳିଙ୍ଗ ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ଯାଇଥିଲା। ଏହା ବାଣୀବିହାର, ରାମନ୍ଦିର ଛକ, ମାଷ୍ଟରକ୍ୟାଣ୍ଟିନ୍, ଶିଶୁଭବନ, ରାଜହଲ, ରୂପାଲି, ବିବେକାନନ୍ଦ ମାର୍ଗ, ଶିରିପୁର, ଟଙ୍କପାଣି ରୋଡ୍, ଭୀମଟାଙ୍ଗୀ, ଓୟୁଏଟି, ଫାୟାର ଷ୍ଟେସନ, ଡେଲ୍ଟା ଛକ, ଷ୍ଟିୱାର୍ଟ ସ୍କୁଲ, ଡିଏଭି ସ୍କୁଲ, ପାୱାର ହାଉସ୍ ଛକ, ସାଇ ମନ୍ଦିର, ହାଉସିଂ ବୋଡ. ଫୋରମ୍ ମାର୍ଟ, ସତ୍ୟନଗର ବ୍ରିଜ, ସିଆର୍ପି ଛକ, ଖଣ୍ଡଗିରି, ଜାଗମରା, ପୋଖରୀପୁଟ ଆଦି ସ୍ଥାନ ଅତିକ୍ରମ କରି କଳିଙ୍ଗ ଷ୍ଟାଡ଼ିଅମ୍ରେ ପହଞ୍ଚିଥିଲା। ସେହିପରି ଏହି ଅବସରରେ ଆୟୋଜିତ ସାଇକଲ ଶୋଭାଯାତ୍ରା ଫରେଷ୍ଟ ପାର୍କରୁ ଶିଶୁଭବନ ଛକ, ରୂପାଲି ଛକ, ନିକୋ ପାର୍କ ଛକ, ଦିୱାଲ୍ଡ ଦେଇ କଳିଙ୍ଗ ଷ୍ଟାଡ଼ିୟମ୍ରେ ପହଞ୍ଚିଥିଲା।