କୋହଲି – ବ୍ୟାଟ୍ସମ୍ୟାନ୍ ନଂ ୧
ଦୁବାଇ: ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତା ତାଲିକାରେ ୧ନଂ ସ୍ଥାନ ବଜାୟ ରଖିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ମଙ୍ଗଳବାର ଆଇସିସି ପକ୍ଷରୁ ପ୍ରକାଶିତ ଏହି ସଦ୍ୟତମ ତାଲିକାରେ କୋହଲି ସର୍ବାଧିକ ୯୨୨ ପଏଣ୍ଟରେ ରହିଛନ୍ତି। ସୂଚନାଯୋଗ୍ୟ; ୩୦ ବର୍ଷ ବୟସ୍କ ବିରାଟ କୋହଲି ଚଳିତବର୍ଷ ଜାନୁୟାରୀରେ ଶେଷଥର ପାଇଁ ଟେଷ୍ଟମ୍ୟାଚ୍ ଖେଳିଥିଲେ। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସିରିଜ୍କୁ ଭାରତ ୨-୧ରେ ଜିତି ନେଇଥିଲା।
୯୧୩ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍ ୱିଲିୟମ୍ସନ୍ ୨ୟ ସ୍ଥାନରେ ରହିଛନ୍ତି। ଭାରତୀୟ ଟେଷ୍ଟମ୍ୟାଚ୍ ବିଶେଷଜ୍ଞ ଚେତେଶ୍ବର ପୂଜାରା ୮୮୧ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ୮୫୭ ପଏଣ୍ଟରେ ଥିବା ବେଳେ ନ୍ୟୁଜିଲାଣ୍ଡର ବାମହାତି ବ୍ୟାଟ୍ସମ୍ୟାନ୍ ହେନ୍ରି ନିକୋଲ୍ସ ୭୭୮ ପଏଣ୍ଟ ସହ ୫ମ ସ୍ଥାନରେ ଅଛନ୍ତି। ଏମାନଙ୍କ ପଛକୁ ଅଛନ୍ତି ଇଂଲଣ୍ଡର ଜୋ ରୁଟ୍, ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର, ଦକ୍ଷିଣ ଆଫ୍ରିକାର ୩ ଖେଳାଳି ଐଡେନ୍ ମାର୍କରାମ୍, କ୍ବିଣ୍ଟନ ଡି କକ୍ ଓ ଫାଫ୍ ଡୁ ପ୍ଲେସି ରହିଛନ୍ତି। ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ୮୭୮ ପଏଣ୍ଟ ସହ ୧ନଂ ସ୍ଥାନ ହାସଲ କରିଛନ୍ତି। ୮୬୨ ପଏଣ୍ଟ ସହ ଇଂଲଣ୍ଡର ଫାଷ୍ଟବୋଲର ଜେମ୍ସ ଆଣ୍ଡରସନ୍ ୨ୟ ସ୍ଥାନରେ ରହିଛି।
ଆସନ୍ତା ଆସେସ୍ ଟେଷ୍ଟ ସିରିଜ୍ରେ ଉପରୋକ୍ତ ୨ ଫାଷ୍ଟବୋଲରଙ୍କ ମଧ୍ୟରେ ମୁକାବିଲା ହେବ ଏବଂ ଏଥିରେ ପ୍ରଦର୍ଶନ ହିଁ ନିର୍ଦ୍ଧାରଣ କରିବ ଯେ ସିରିଜ୍ ଶେଷରେ କିଏ ୧ନଂ ଟେଷ୍ଟ ବୋଲର ରହିବେ। ଦକ୍ଷିଣ ଆଫ୍ରିକାର ଦୁଇ ନୂଆବଲ୍ ବୋଲର କାଗିସୋ ରାବାଡ଼ା ଓ ଭର୍ନନ୍ ଫିଲାଣ୍ଡର ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର ବାମହାତି ପେସ୍ ବୋଲର ନିଲ୍ ୱାଗ୍ନର ୫ମ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ ଟେଷ୍ଟ ବୋଲରଙ୍କ ମଧ୍ୟରେ ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ୬ଷ୍ଠ ଓ ଅଫ୍ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୧୦ମ ସ୍ଥାନରେ ରହିଛନ୍ତି। ଏଦୁହିଁଙ୍କୁ ଛାଡ଼ି ଭାରତର ଅନ୍ୟ କୌଣସି ବୋଲର ଶୀର୍ଷ-୧୦ରେ ନାହାନ୍ତି। ଦୁଇ ଭାରତୀୟ ନୂଆବଲ୍ ବୋଲର ଯଶପ୍ରୀତ ବୁମ୍ରା ୧୬ ଓ ମହମ୍ମଦ ସାମି ୨୧ତମ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲ୍ରାଉଣ୍ଡର ତାଲିକାରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍ଡର ୪୩୯ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ବାଂଲାଦେଶର ସାକିବ୍ ଅଲ୍ ହାସନ୍ ୨ୟ ସ୍ଥାନରେ ଥିବା ବେଳେ ଭାରତର ରବୀନ୍ଦ୍ର ଜାଡ଼େଜା ୩୮୭ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି।
Comments are closed.