ନେଟଓ୍ୱର୍କ ପାଇଁ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ ତାଲା ପକାଇଲେ ଗ୍ରାମବାସୀ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ମୂଷାନାଳ ଠାରେ ବିଏସଏନଏଲ ନେଟୱର୍କ ଅସୁବିଧା । ଏ ନେଇ ସୋମବାର ବିଏସଏନଏଲ କର୍ମଚାରୀଙ୍କୁ ତାଲା ପକାଇ ରଖିଥିଲେ ଗ୍ରାମବାସୀ I ସୂଚନାନୁସାରେ ଡିଜିଟାଲ୍ ଇଣ୍ଡିଆର ଆଧୁନିକ ଯୁଗରେ ଭାରତ ସରକାର ଦେଶର ସମସ୍ତ ଅପହଞ୍ଚ ଅଞ୍ଚଳ ଗ୍ରାମକୁ ସଂଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ତଥାପି ତଥାପି ଏହି ଅଞ୍ଚଳରେ ନିର୍ଭରଯୋଗ୍ୟ ମୋବାଇଲ୍‌ ନେଟୱାର୍କ ମିଳିପାରୁ ନାହିଁ ।

ଲାଞ୍ଜି ପଞ୍ଚାୟତ ମୂଷାନାଳ ଅଞ୍ଚଳରେ କେବଳ ବିଏସଏନଏଲ ଟୁଜି ସେବା ଉପଲବ୍ଧ , ମାତ୍ର ଏହା ନିର୍ଭରଯୋଗ୍ୟ ନୁହେଁ | ଗତ ସପ୍ତାହ ହେଲା ମୂଷାନାଳ ଠାରେ ନେଟୱର୍କ ନ ଥିଲା, ଦୁଇଦିନ ହେବ ଆସିଥିଲା କିନ୍ତୁ ଠିକ ଭାବରେ କାମ କରୁ ନ ଥିଲା I ସୋମବାରରେ ବିଏସଏନଏଲ କର୍ମଚାରୀ ଠିକ କରିବାକୁ ଆସିଥିବା ବେଳେ ଅଞ୍ଚଳବାସୀ ଉତ୍ତ୍ୟକ୍ତ ହୋଇ କର୍ମଚାରୀଙ୍କୁ ତାଲା ପକାଇ ରଖିଥିଲେ I

ଉଚ୍ଚ ଅଧିକାରୀ ଆସିଲେ ଛାଡିବେ ବୋଲି କହିଥିଲେ । ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ କେହି ଆସି ନଥିଲେ । ବିଏସ୍‌ଏନ୍ଏଲ୍‌ର ଅଧିକାରୀ ଏ ବିଷୟରେ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳ ଲାଞ୍ଜିଗଡ ତହସିଲଦାର ଏବଂ ବିଶ୍ଵନାଥପୁର ଥାନାଧିକାରୀଙ୍କୁ ସେଠାକୁ ପଠାଇଥିଲେଲେ I ଲାଞ୍ଜିଗଡ ତହସିଲଦାର କିରଣ କୁମାର ମହାନ୍ତି ଏବଂ ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବାପରେ କର୍ମଚାରୀଙ୍କୁ ମୁକ୍ତ କରିଛନ୍ତି I ମୋବାଇଲ୍‌ ନେଟଓ୍ୱର୍କ ସେବା ପ୍ରଦାନ ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Comments are closed.