ପଞ୍ଚାୟତ ସ୍ତରୀୟ କୃଷକ ବଜାର ନିର୍ମାଣ ହେଲେ ଅଭାବୀ ବିକ୍ରିର ସମସ୍ୟା ହଟିବ

ବାଙ୍କୀ : ବାଙ୍କୀ ଉପଖଣ୍ଡ ଏକ କୃଷି ପ୍ରଧାନ ଅଂଚଳ ଭାବରେ ଓଡିଶାର ହାଟ ବଜାରେ ବେଶ୍ ପରିଚିତ। ଡମପଡା ବ୍ଲକର କୁଶପଙ୍ଗି, ପାଥପୁର, ଭଗିପୁର, ଦୋଲଣାପୁର, କୁସୁନ୍ଦା, ଶିମିଳିପୁର, ହରିରାଜପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ୟାପକ ପନିପରିବା ଚାଷ ହେଲା ପରି ବାଙ୍କୀ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ପନିପରିବା ଚାଷର ପ୍ରଧାନ୍ୟ ଅଧିନ। ଜଳସେଚନର ବ୍ୟାପକ ସମସ୍ୟା ଥିଲେ ମଧ୍ୟ ଅଂଚଳର ଚାଷୀ ମାନେ ବହୁ ପରିଶ୍ରମ କରି ଚୁଆ, ପୋଖରୀ, ନାଳରୁ ମୁଣ୍ଡରେ ବୋହି ଓ ମିନି ପମ୍ପ ସହାୟତାରେ ଚାଷ ଜମିକୁ ଜଳ ସେଚିତ କରି ପ୍ରଚୁର ସବୁଜ ପନିପରିବା ଉତ୍ପାଦିତ କରିବାର ଇତିହାସ ରହିଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମ ବାଙ୍କୀର ପୁଇଁଚା, ନୂଆଗାଁ, କିଆପଲ୍ଲା, ବ୍ରହ୍ମପୁରା, ଗୋଳାଗଣ୍ଡ, ଅନୁଆରୀ ଏବଂ କେନ୍ଦ୍ର ବାଙ୍କୀର ଦୁର୍ଗାପୁର, ତୁଳସୀପୁର ଓ ନରଗାଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମର ଚାଷୀ ମାନେ ପ୍ରତି ଦିନ ଭୋରୁ କ୍ଷେତରୁ ପରିବା ସଂଗ୍ରହ କରି ସ୍ଥାନୀୟ କିଆପଲ୍ଲା ଓ ବ୍ରହ୍ମପୁରା ପଞ୍ଚାୟତର କେନ୍ଦ୍ର ସ୍ଥଳ ତାରେଣୀ ଛକ ଠାରେ ଏକାଠି ହୋଇ ଉତ୍ପାଦିତ ପରିବାକୁ ବାହାରୁ ଆସୁଥିବା ବ୍ୟବସାୟୀ ମାନଙ୍କୁ ଅସ୍ଥାୟୀ ସ୍ଥାନରେ ବିକ୍ରି ବଟା କରିଥାନ୍ତି। ଦୈନିକ ପୋଟଳ, କଲରା, କାକୁଡି ,ଜହ୍ନି, ଭେଣ୍ଡି, ଝୁଡଙ୍ଗ, ସାରୁ, କଖାରୁ, ଟମାଟୋ ଆଦି ସବିଜ ପରିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ପନିପରିବା ବ୍ୟବସାୟୀ ମାନେ କିଣିବା ପରମ୍ପରା ଦୀର୍ଘବର୍ଷ ଧରି ଚାଲୁ ରହିଛି।

prayash

କଟକ, ଭୂବନେଶ୍ୱର, ଖୋର୍ଦ୍ଧା, ବ୍ରହ୍ମପୁର, ନୟାଗଡ, ବେଗୁନିଆ, ବୋଲଗଡ ଆଦି ପଡୋଶୀ ବଜାରର ପରିବା ଗଦିକୁ ବ୍ୟବସାୟୀ ମାନେ ପରିବା ପଠାଇ ଲାଭବାନ୍ ହେଉଥିଲା ବେଳେ ଏଠିକାର ଚାଷୀ ଅଭାବୀ ବିକ୍ରିର ସାମ୍ନା କରୁଛନ୍ତି । ଭୋର ୪ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଚାଷୀ ଓ ବ୍ୟବସାୟୀଙ୍କର ବ୍ୟବସାୟଗତ ଗହଳି ପାଇଁ ଏବଂ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉଚିତ୍ ପରିବା ଦର୍ ପାଇବା ନିମନ୍ତେ କୈାଣସି ସରକାରୀ ବ୍ୟବସ୍ଥା ନଥିବାରୁ ଚାଷୀ ମାନେ ଚାଷରେ ବାରମ୍ବାର କ୍ଷତି ସହୁଥିବା ଅଭିଯୋଗ ହେଉଛି। ସରକାରଙ୍କ ପକ୍ଷରୁ ପଞ୍ଚାୟତ ସ୍ତରରେ ତାରେଣୀ ଛକ ନିକଟରେ ସରକାରୀ ଜାଗାରେ ସ୍ଥାୟୀ କୃଷକ ବଜାର ନିର୍ମାଣ କରାଗଲେ ବର୍ଷର ସବୁଦିନିଆ ଚାଷୀ ମାନେ ନିଜର ପରିବା ବିକ୍ରିବଟାରେ ସୁବିଧା ପାଇବେ ଏବଂ ଉଦ୍ୟନ ଓ କୃଷି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ଅଂଚଳରେ ମିନି ଶୀତଳ ଭଣ୍ଡାର ଟିଏ ନିର୍ମାଣ କରି କାର୍ଯ୍ୟକ୍ଷମ କରିପାରିଲେ ଚାଷୀ ମାନେ ଅଭାବୀ ବିକ୍ରିର ସାମ୍ନା କରିବେ ନାହିଁ ବୋଲି ଚାଷୀଙ୍କ ମତାମତ ପ୍ରକାଶ ପାଇଛି।
ଦୀର୍ଘ ବର୍ଷ ଧରି ବାଙ୍କୀ ବ୍ଲକର ୬ଗୋଟି ଏବଂ କେନ୍ଦ୍ର ବାଙ୍କୀ(ଡମପଡା ବ୍ଲକ)ର ୩ଟି ପଞ୍ଚାୟତର ଚାଷୀ ମାନେ ନିଜର କୃଷିଜାତ ଦ୍ରବ୍ୟ ସକାଳୁ ବାହାରର ବ୍ୟବସାୟୀ ମାନଙ୍କୁ ତାରେଣୀ ଛକ ଠାରେ ବିକ୍ରି କରିବାର ସୁଯୋଗ ପାଆନ୍ତି। ଖୋଲାମେଲା ସ୍ଥାନରେ ବ୍ରହ୍ମପୁରା ଓ କଳାପଥର ରାସ୍ତାର ତାରେଣୀ ଛକ ନିକଟରେ ଚାଷୀଙ୍କ ଠାରୁ ବ୍ୟବସାୟୀ ଶାଗ ମାଛ ଦରରେ ପରିବା କିଣି ଲାଭବାନ ହୁଅନ୍ତି। ଏହି ସ୍ଥାନରେ କୃଷକ ବଜାର ଟିଏ ନିର୍ମାଣ ହୋଇପାରିଲେ ଚାଷୀ ମାନେ ସୁବିଧା ପାଇବେ। (ଚକ୍ରଧର ସାହୁ,ପୂର୍ବତନ ସରପଞ୍ଚ)
ଆମ ଅଂଚଳର ୨ହଜାରରୁ ଅଧିକ ଚାଷୀ ପନିପରିବା ଚାଷରେ ମନଦେଇ ସବିଜ ପରିବା ଉତ୍ପାଦନ କରୁଛନ୍ତି। ଘର ପାଖରେ ସବୁଦିନିଆ ସ୍ଥାୟୀ ବଜାର ଟିଏ ନଥିବାରୁ ବହୁ ସମୟରେ ପନିପରିବାର ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ପଞ୍ଚାୟତ ସ୍ତରୀୟ କୃଷକ ବଜାର ନାହିଁ, ପରିବା ସଂଗ୍ରହଣ ପାଇଁ ଶୀତଳ ଭଣ୍ଡାର ସମସ୍ୟା। ଚାଷୀର ମେରୁଦଣ୍ଡ ସଳଖେଇବା ପାଇଁ ବିଜାର ଦର ପାଇବା ଆବଶ୍ୟକ। ପଞ୍ଚାୟତ ସ୍ତରୀୟ କୃଷକ ବଜାର ଟିଏ ହେଲେ ସ୍ଥାୟୀ ଭାବରେ କୃଷକ ଅଧିକାର ପାଇବେ। ଚାଷୀ ଉପକୃତ ହେବେ। (କାହ୍ନୁଚରଣ ପରିଡା,ଚାଷୀ)
ସ୍ଥାୟୀ କୃଷକ ବଜାର ନଥିବାରୁ ବ୍ୟବସାୟୀଙ୍କୁ ଶାଗମାଛ ଦରରେ ପରିବା ବିକୁଛୁ। କୃଷକ ବଜାର ଟିଏ ହେଲେ ଏବଂ ବିଭାଗୀୟ ଅଧିକାରୀ କୃଷକ ବଜାର ଓ ପରିବାର ଦୈନିକ ଦରଦାମ ସ୍ଥିତି ସମ୍ପର୍କରେ ଜଣାଇଲେ ଚାଷୀ ଉପକୃତ ହେବେ। (ଅଜୟ ଜେଠୀ,ଚାଷୀ)
ପରିବା ଅଧିକ ଉତ୍ପାଦନ ସମୟରେ ଚାଷୀ ପରିବା ତୋଳା ମଜୁରୀ ପାଉନାହିଁ। ଚାଷରେ ହତାଶ ହେବାକୁ ପଡୁଛି। ୧୦୦ବର୍ଷରୁ ଅଧିକ କାଳ ଧରି ସ୍ଥାନୀୟ ତାରେଣୀ ଛକ ଠାରେ ଆମ ଅଂଚଳର ଚାଷୀ ମାନେ ଭୋରୁ ବାହାର ବ୍ୟବସାୟୀଙ୍କୁ ପରିବା ବିକୁଛୁ। ଖରା,ବର୍ଷା,ଶୀତରେ ବହୁ ହଇରାଣ ହେଉଛୁ। ବାହାର ବଜାର ଦର ସମ୍ପର୍କରେ ଜାଣି ହେଉନାହିଁ। ଏଣୁ ସରକାରୀ ସ୍ତରରେ ଏଠାରେ କୃଷକ ବଜାର ନିର୍ମାଣ ହୋଇ ସ୍ଥାୟୀ ବ୍ୟବସ୍ଥା କରାଗଲେ ଚାଷୀ ମାନେ ଅଭାବୀ ବିକ୍ରିର ସାମ୍ନା କରିବେ ନାହିଁ। ମିନି ଶୀତଳ ଭଣ୍ଡାର ଟିଏ ଉଦ୍ୟାନ ଓ କୃଷି ବିଭାଗ ପ୍ରୋତ୍ସାହନରେ ସ୍ଥାପନ କରାଗଲେ ଅଧିକ ଉତ୍ପାଦନ ସମୟର ପରିବ ସଂରକ୍ଷିତ ହୋଇପାରନ୍ତା। (କାଶୀନାଥ ସାହୁ,ଚାଷୀ)

kalyan agarbati

Comments are closed.