ତିନି ରାଜ୍ୟ ମନା କରିବା ପରେ ତାମିଲ୍‍ନାଡ଼ୁ ଦେଇଥିଲା ଅନୁମତି

0

ଚେନ୍ନାଇ: ୧୩ଜଣଙ୍କ ଜୀବନ ଯିବା ପରେ ଆପାତତଃ ବନ୍ଦ ହେବାକୁ ଯାଉଛି ଟୁଟିକୋରିନ୍‍ ସ୍ଥିତ ବେଦାନ୍ତର ଷ୍ଟେରଲାଇଟ୍‍ କାରଖାନା। ଏଥିସହିତ ଆଉ ଏକ ବିବାଦୀୟ ଘଟଣା ଏବେ ସାମ୍ନାକୁ ଆସିଛି। ପୂର୍ବରୁ ଏହି କାରଖାନା ପାଇଁ ତିନିଟି ରାଜ୍ୟ ମନା କରିଦେବା ପରେ ତାମିଲ୍‍ନାଡ଼ୁ ସରକାର ବେଦାନ୍ତକୁ ଅନୁମତି ଦେଇଥିଲେ। କେବଳ ସେତିକି ନୁହେଁ ଏକଦା ଏନ୍‍୍‍ଜିଟି ଏହି କାରଖାନାକୁ ସବୁଜ ସଂକେତ ଦେଇଥିଲେ ବୋଲି ଜଣାପଡ଼ିଛି।
ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍‍ଭାୟର୍‍ନମେଣ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କାରଖାନା ସ୍ଥାପନା ପାଇଁ ବେଦାନ୍ତ ପ୍ରଥମେ ଗୁଜରାଟ ଯାଇଥିଲା। କିନ୍ତୁ ଉକ୍ତ କାରଖାନାରୁ ନିର୍ଗତ ବାଷ୍ପ ଓ ରସାୟନିକ ପଦାର୍ଥ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ଥିବାରୁ ଗୁଜରାଟ ସରକାର ବେଦାନ୍ତର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏହାପରେ ବେଦାନ୍ତ ଗୋଆ ସରକାରଙ୍କୁ କାରଖାନା ସ୍ଥାପନା ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଅନୁରୂପ କାରଣରୁ ସେଠାରୁ ମଧ୍ୟ ନିରାଶ ହେବା ପରେ ବେଦାନ୍ତ ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରିଥିଲା। ମହାରାଷ୍ଟ୍ର ସରକାରଙ୍କ ଠାରୁ ନାସ୍ତିବାଣୀ ଶୁଣିବା ପରେ ଶେଷରେ ବେଦାନ୍ତ ତାମିଲ୍‍ନାଡ଼ୁର ସରକାରଙ୍କ ଦ୍ୱାରସ୍ଥ ହୋଇଥିଲା। ସେଠାରେ ପରିବେଶ ସଂକ୍ରାନ୍ତୀୟ ମଞ୍ଜୁରୀ ଆଣିବା ପାଇଁ ବେଦାନ୍ତ ଭୁଲ୍‍ ତଥ୍ୟ ଦେଇଥିଲା। ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଭାବେ ପରିଗଣିତ ଅଞ୍ଚଳର ୨୫ କିମି ପରିଧି ମଧ୍ୟରେ କାରଖାନା ପ୍ରତିଷ୍ଠା ହେବ ନାହିଁ ବୋଲି ବେଦାନ୍ତ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ହେଁ ମୁନାର ମେରାଇନ୍‍ ନ୍ୟାଶ୍‍ନାଲ୍‍ ପାର୍କ ନିକଟରେ କାରଖାନା ପ୍ରତିଷ୍ଠା କରିଥିଲା।
ଭୁଲ୍‍ ତଥ୍ୟ ଦେଇ କାରଖାନା ସ୍ଥାପନା କରିଥିବାରୁ ମାଡ୍ରାସ୍‍ ହାଇକୋର୍ଟ ୨୦୧୦ରେ ପ୍ଲାଣ୍ଟକୁ ବନ୍ଦ କରିଦେଇଥିବା ବେଳେ ୨୦୧୩ରେ ସୁପ୍ରିମକୋର୍ଟ ୧୦୦ କୋଟି ଟଙ୍କା ଜୋରିମାନା ଧାର୍ଯ୍ୟ କରିଥିଲେ। ୨୦୧୩ ମାର୍ଚ୍ଚ ମାସରେ କାରଖାନାରୁ ବିଷାକ୍ତ ଗ୍ୟାସ୍‍ ଲିକ୍‍ ଯୋଗୁଁ ସଂଖ୍ୟାଧିକ ଲୋକ ଆକ୍ରାନ୍ତ ହେବା ପରେ ତାମିଲନାଡ଼ୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାର ସ୍ମେଲ୍‍ଟିଂ ପ୍ଲାଣ୍ଟକୁ ବନ୍ଦ କରିଦେଇଥିଲା। କିନ୍ତୁ ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ୍‍ର ପ୍ରିନ୍ସିପାଲ୍‍ ବେଞ୍ଚ ବେଦାନ୍ତକୁ କାରଖାନା ଚଳାଇବା ପାଇଁ ସବୁଜ ସଂକେତ ଦେଇଥିଲେ ବୋଲି ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍‍ଭାୟର୍‍ନମେଣ୍ଟ କହିଛି।

Leave A Reply