ବାୟୋମାସରୁ ନିର୍ମିତ ସ୍ୱଦେଶୀ ବ୍ୟାଟେରିର ବିକାଶ ଦିଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ଅଭିଷେକ ମହାପାତ୍ରଙ୍କ ସଫଳତା, ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର କୃଷି ପରିଚାଳନା କେନ୍ଦ୍ରର ଦ୍ବିତୀୟ ବର୍ଷ ଛାତ୍ର ଅଭିଷେକ ମହାପାତ୍ର ନିଜର ସର୍ବୋତ୍ତମ ଉଦ୍ଭାବନ ପାଇଁ ସମ୍ମାନୀତ ହୋଇଛନ୍ତି। ବାୟୋମାସରୁ ନିର୍ମିତ ସ୍ୱଦେଶୀ ବ୍ୟାଟେରିର ବିକାଶ ଦିଗରେ ସଫଳତା ପାଇଁ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମ୍ବର୍ଦ୍ଧିତ କରିଛନ୍ତି। ଅଭିଷେକ ପୂର୍ବରୁ ମଧ୍ୟ ଇଡିଆଇ, ଅହମଦାବାଦରେ ଅନୁଷ୍ଠିତ ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିକାଶ ଉଦ୍ୟୋଗ ପକ୍ଷରୁ ନ୍ୟାସନାଲ୍ ସଷ୍ଟେନେବିଲିଟି ଚ୍ୟାଲେଞ୍ଜ ଫର୍ ପ୍ଲାନେଟରି କାର୍ଯ୍ୟକ୍ରମରେ ସମ୍ମାନୀତ ହୋଇସାରିଛନ୍ତି।
ଅଭିଷେକ ପୂର୍ବରୁ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ପ୍ଲାଣ୍ଟରିର ନବସୃଜନ ପାଇଁ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ ଏବଂ ୟଙ୍ଗ ଇଣ୍ଡିଆ ଫାଉଣ୍ଡେସନ୍, ବାୟୋ ଆଧାରିତ ଟେକ୍ନୋଲୋଜି ପ୍ଲାଣ୍ଟରୀର ପ୍ରୋଟୋଟାଇପ୍ ପାଇଁ ବାୟୋଟେକ୍ନୋଲୋଜି ବିଭାଗ, ଆଇଏଲ୍ଏସ୍ ଭୁବନେଶ୍ୱର ପକ୍ଷରୁ ପ୍ରଥମ ସ୍ଥାନ, ଆଇଆଇଟି କାନପୁର ପକ୍ଷରୁ ଜାତୀୟ ଜଳବାୟୁ ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେ ମଧ୍ୟ ଏକ୍ସଆଇଏମବି ଏବଂ ଆଇସିଆଇସିଆଇ ଫାଉଣ୍ଡେସନ୍ ତରଫରୁ ଭାରତର ଶୀର୍ଷ ଇନୋଭେସନ୍ ଷ୍ଟାର୍ଟଅପରେ ମନୋନୀତ ହୋଇଛନ୍ତି। ଆଇଆଇଟି ଖଡଗପୁରରେ ଷ୍ଟାର୍ଟଅପ୍ ପାଇଁ ନିକଟରେ ସର୍ବୋତ୍ତମ ବାୟୋ ଆଧାରିତ ଷ୍ଟାର୍ଟଅପ୍ ମଧ୍ୟରେ ଅଭିଷେକଙ୍କୁ ଚୟନ କରାଯାଇଛି। ଏଥିପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ତାଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ।
ଅଭିଷେକ ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସେଣ୍ଟର୍ ଫର୍ ଇନୋଭେସନ୍ ଆଣ୍ଡ୍ ଇକ୍ୟୁବେସନ୍ ରେ ୨୦୨୨ ରୁ ଛାତ୍ର ଉଦ୍ୟମଶୀଳତା କାର୍ଯ୍ୟକ୍ରମରେ ପଞ୍ଜିକରଣ କରି ବିଭିନ୍ନ ବାୟୋ ପ୍ରୋଟୋଟାଇପ୍ ଉଦ୍ଭାବନ ଦିଗରେ କାର୍ଯ୍ୟକରିଛନ୍ତି। ଅଭିଷେକ ଙ୍କ ଏହି ସଫଳତା ଓଡ଼ିଶାର ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରେରଣାର ଉତ୍ସ ପାଲଟି ଯାଇଛି।
Comments are closed.