ନିମ୍ନମାନର ଖାଦ୍ୟ ନେଇ ୟୁପି କନଷ୍ଟେବଳଙ୍କ ଭିଡିଓ ପ୍ରଘଟ

ଫିରୋଜାବାଦ: ଉତ୍ତରପ୍ରଦେଶର ଫିରୋଜାବାଦ୍‌ରେ ଥିବା ପୁଲିସ ଛାଉଣୀରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି କନଷ୍ଟେବଳ ମନୋଜ କୁମାରଙ୍କ ଏକ ଭିଡିଓ ପ୍ରଘଟ ହେବା ପରେ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।

ବୁଧବାର କନଷ୍ଟେବଳ ମନୋଜ କୁମାର ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଛାଡ଼ିଥିଲେ। ଏହି ଭିଡିଓରେ ସେ ପୁଲିସ ଛାଉଣୀରେ ରହୁଥିବା କନଷ୍ଟେବଳମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଥିଲେ। ଏଥିସହ ଖାଦ୍ୟ ଥିବା ଏକ ପ୍ଲେଟ ଧରି ସେ କାନ୍ଦୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। କୁମାର ଭିଡିଓରେ ଦର୍ଶାଇଥିଲେ ପୁଲିସ ଛାଉଣୀରେ ଯେଉଁ ଖାଦ୍ୟ ଦିଆଯାଉଛି ତାହାକୁ ପଶୁମାନେ ଖାଇବେ ନାହିଁ। କେତେକ ବରିଷ୍ଠ ପୁଲିସ ଅଧିକାରୀ କନଷ୍ଟେବଳଙ୍କୁ ଭଲ ଖାଦ୍ୟ ଯୋଗାଇ ଦେବାକୁ ଆସୁଥିବା ଟଙ୍କା ବାଟମାରଣା କରୁଥିବାରୁ ସେମାନଙ୍କୁ ନିମ୍ନମାନର ଖାଦ୍ୟ ମିଳୁଥିବା ମନୋଜ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କନଷ୍ଟେବଳମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ଏହାକୁ ପାଳନ କରାଯାଉନଥିବା ସେ ଦର୍ଶାଇଛନ୍ତି।

ଭିଡିଓ ପ୍ରଘଟ ହେବା ପରେ ପୁଲିସ ଛାଉଣୀର ପରିଚାଳକ କହିଥିଲେ ଖାଦ୍ୟର ମାନକୁ ନେଇ ମନୋଜ ମିଛ କଥା କହୁଛନ୍ତି। ଏହି ଘଟଣାକୁ ଗୁରୁତ୍ବର ସହ ନେଇ ବରିଷ୍ଠ ପୁଲିସ ଅଧିକାରୀ ଆଶିଷ ତିୱାରୀ ତଦନ୍ତ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କନଷ୍ଟେବଳ ମନୋଜଙ୍କ ବିରୋଧରେ ପୂର୍ବରୁ ବିଶୃଙ୍ଖଳିତ ଆଚରଣ ନେଇ ଅନେକ ମାମଲାର ତଦନ୍ତ ଚାଲିଥିବା ଜଣାପଡ଼ିଛି।

Comments are closed.