ପିଏମ୍ ଶ୍ରୀ ସ୍କୁଲ ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ହେବ : ଧର୍ମେନ୍ଦ୍ର ପ୍ରଧାନ
ଶିକ୍ଷା ମନ୍ତ୍ରୀ ମାନଙ୍କ ଜାତୀୟ ସମ୍ମିଳନୀ
-ପିଏମ ଶ୍ରୀ ସ୍କୁଲ ଦେଶର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ
-ବିଦ୍ୟାଳୟ ଶିକ୍ଷା ହେଉଛି ଜ୍ଞାନ ଆଧାରିତ ସମାଜ ପ୍ରତିଷ୍ଠାର ମୂଳଦୁଆ
-ଆମର ଦାୟିତ୍ୱ କେବଳ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ; ଏହି କଥାକୁ ଆମେ ହୃଦୟଙ୍ଗମ କରିବା ଆବଶ୍ୟକ
-ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି
-ଜାତୀୟ ଶିକ୍ଷା ସମ୍ମିଳନୀ ଦେଶର ଶିକ୍ଷା ପରିସଂସ୍ଥାନକୁ ମଜଭୂତ କରିବ
ଗାନ୍ଧୀନଗର : ଦେଶର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବ। ଏହି ଉଚ୍ଚମାନର ସ୍କୁଲ ଜାତୀୟ ଶିକ୍ଷା ନୀତି- ୨୦୨୦ (ଏନଇପି)ର ପ୍ରୟୋଗଶାଳା ହେବ ବୋଲି ଗୁରୁବାର ଗୁଜୁରାଟର ଗାନ୍ଧୀନଗରରେ ଆୟୋଜିତ ଦୁଇଦିନିଆ ରାଜ୍ୟ ଶିକ୍ଷା ମନ୍ତ୍ରୀ ମାନଙ୍କର ଜାତୀୟ ଶିକ୍ଷା ସମ୍ମିଳନୀରେ ଯୋଗ ଦେବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଦ୍ୟାଳୟ ଶିକ୍ଷା ହେଉଛି ଜ୍ଞାନ ଆଧାରିତ ସମାଜ ପ୍ରତିଷ୍ଠାର ମୂଳଦୁଆ ଏବଂ ଜାତୀୟ ଶିକ୍ଷା ନୀତି ହେଉଛି ଜ୍ଞାନର ଦସ୍ତାବିଜ୍। ଯେଉଁ ଦସ୍ତାବିଜ୍ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ସହ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଲକ୍ଷ୍ୟ ରଖିଛି। ଆମେ ଅମୃତ କାଳରେ ଉପନୀତ ହୋଇଛେ । ବିଶ୍ୱର କଲ୍ୟାଣ ପାଇଁ ପ୍ରତିବଦ୍ଧ ଥିବା ଭାରତକୁ ଜ୍ଞାନ ଅର୍ଥନୀତି ଭାବରେ ପ୍ରତିଷ୍ଠିତ କରିବା ଲାଗି ଆମ ପାଇଁ ଆଗାମୀ ୨୫ ବର୍ଷ ଗୁରୁତ୍ୱପୂର୍ଣ୍ଣ । ଆମେ ବସୁଧୈବ କୁଟୁମ୍ବକମରେ
ବିଶ୍ୱାସ ରଖୁଥିବା ସଭ୍ୟତା। ଆମର ଦାୟିତ୍ୱ କେବଳ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ; ଏହି କଥାକୁ ଆମେ ହୃଦୟଙ୍ଗମ କରିବା ଆବଶ୍ୟକ। ଏକବିଂଶ ଶତାବ୍ଦୀରେ ସୁଯୋଗ ଓ ଆହ୍ୱାନ ପାଇଁ ଆମେ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନକୁ ସୁଦୃଢ଼ କରିବା ପାଇଁ ଟେକ୍ନୋଲୋଜିର ଲାଭ
ନେବା ଉଚିତ୍।
ରାଷ୍ଟ୍ରୀୟ ଶିକ୍ଷା ନୀତିରେ ୫+୩+୩+୪ ଢାଂଚାରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସହିତ ମାଧ୍ୟମିକ ସ୍କୁଲ ଶିକ୍ଷା, ନିରାପଦ ଓ ଉଚ୍ଚମାନର ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଗୁରୁତ୍ୱ, ଶିକ୍ଷକ ପ୍ରଶିକ୍ଷଣ ଏବଂ ପୌଢ଼ ଶିକ୍ଷା, ଦକ୍ଷତା ବିକାଶ ସହ ସ୍କୁଲ ଶିକ୍ଷାର ଏକୀକରଣ, ମାତୃଭାଷାକୁ ଗୁରୁତ୍ୱ ଦେବା ଭଳି ବିଭିନ୍ନ ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ବୈଶ୍ୱିକ ନାଗରିକ ଭାବେ ପ୍ରସ୍ତୁତ କରିବା ପାଇଁ ସହାୟକ ହେବ। ଶିକ୍ଷା କ୍ଷେତ୍ରରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବେଷ୍ଟ ପ୍ରାଟିସସେସ ଭାରତର ଯୁବ ବର୍ଗଙ୍କୁ ବିଶ୍ୱ ମାନବ ସମ୍ବଳରେ ପରିଣତ କରିବାରେ ସହଯୋଗୀ ହେବ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ଜୁଲାଇ ୨୯ ତାରିଖରେ ଭାରତ ସରକାରଙ୍କ ଦ୍ୱାରା ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ପ୍ରଣୟନର ଦୁଇ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି। ବିଗତ ୨ ବର୍ଷରେ ଜାତୀୟ ଶିକ୍ଷା ନୀତି ଆଧାରରେ ହୋଇଥିବା କାମର କ୍ରିୟାନ୍ୱୟନ, ସର୍ବୋତ୍ତମ ବ୍ୟବହାର, ଶିକ୍ଷା କ୍ଷେତ୍ରରେ ଦେଶର ପ୍ରାଥମିକତା ଉପରେ ଚର୍ଚ୍ଚା ଆଲୋଚନା କରିବା ପାଇଁ ବିଭିନ୍ନ ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ଅଧିକାରୀ ମାନେ ଜାତୀୟ ଶିକ୍ଷା ସମ୍ମିଳନୀରେ ଏକାଠୀ ହୋଇଛନ୍ତି । ଏହି ସମ୍ମିଳନୀରେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଯଥା ଆଞ୍ଚଳିକ ଭାଷାକୁ ଗୁରୁତ୍ୱ, ଶିକ୍ଷାରେ ଟେକ୍ନୋଲୋଜିକୁ ବ୍ୟବହାର କରିବା ଏବଂ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ
ପଦକ୍ଷେପ ନେବା ଉପରେ ଆଲୋଚନା କରାଯାଇଛି।
ବିଭିନ୍ନ ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ଅଧିକାରୀମାନେ ବିଦ୍ୟା ସମୀକ୍ଷା କେନ୍ଦ୍ର, ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେସ୍ ଆପ୍ଲିକେସନ୍ ଏବଂ ଜିଓ- ନଫର୍ମେଟିକ୍ସ, ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟି ଏବଂ ଦକ୍ଷତା ବିକାଶ ଆଧାରିତ ଅନୁଷ୍ଠାନକୁ ବୁଲି ଦେଖିଛନ୍ତି। ଟେକ୍ନୋଲୋଜି ମାଧ୍ୟମରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଏକବିଂଶ ଶତାବ୍ଦୀରେ ଜ୍ଞାନର ପରିଭାଷା, ଦକ୍ଷତା ବିକାଶ କେନ୍ଦ୍ରର ଆଧୁନିକ କ୍ଷେତ୍ରକୁ ଶିକ୍ଷାମନ୍ତ୍ରୀ ମାନେ ଅନୁଭବ କରିଛନ୍ତି। ଏପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଶିକ୍ଷା ମନ୍ତ୍ରୀଙ୍କୁ ନେଇ ଆୟୋଜିତ ଜାତୀୟ ଶିକ୍ଷା ସମ୍ମିଳନୀ ଜାତୀୟ ଶିକ୍ଷା ପରିସଂସ୍ଥାନକୁ ମଜଭୂତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଉଲ୍ଲେଖନୀୟ ଯେ, ଏହି ସମ୍ମିଳନୀରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଦକ୍ଷତା ବିକାଶ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଶିକ୍ଷା ମନ୍ତ୍ରୀ ଏବଂ ଶିକ୍ଷା ବିଭାଗ ସହ ସଂଶ୍ଲିଷ୍ଟ ପ୍ରତିନିଧି ଓ ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ
ପଦ୍ମବିଭୂଷଣ ଡ଼ା. କେ କସ୍ତୁରୀରଙ୍ଗନ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.