ଯୁଦ୍ଧ ଯୋଗୁଁ ଧ୍ବସ୍ତ ସର୍ବବୃହତ୍‌ ‘ସରୋଗେସୀ’ ବ୍ୟବସାୟ

କିଭ୍‌ : ପ୍ରଥମେ କରୋନା ମହାମାରୀ ଓ ଏବେ ଯୁଦ୍ଧ ବିଶ୍ବର ସର୍ବବୃହତ୍‌ ‘ଭଡ଼ା ଗର୍ଭ’ ବା ‘ସରୋଗେସୀ’ ବ୍ୟବସାୟ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି। ଶହଶହ ଶିଶୁ ଏବେ ବୋମାନିରୋଧୀ ଆଶ୍ରୟ କେନ୍ଦ୍ର ପାଲଟିଥିବା ହୋଟେଲ ଓ ଅନ୍ୟ ସ୍ଥାନରେ ନିଜର ବାସ୍ତବ ପିତା-ମାତାଙ୍କୁ ଅପେକ୍ଷା କରିଛନ୍ତି। ସେହିପରି ଅର୍ଥ ଉପାର୍ଜନ ପାଇଁ ନିଜ ଗର୍ଭକୁ ଭଡ଼ାରେ ଦେଇଥିବା ବହୁ ସଂଖ୍ୟକ ଜନ୍ମଦାତ୍ରୀ ମଧ୍ୟ ଅନିଶ୍ଚିତ ଭବିଷ୍ୟତକୁ ଚାହିଁ ବସିଛନ୍ତି। ଏଭଳି ପରିସ୍ଥିତି ଏବେ ୟୁକ୍ରେନ୍‌ରେ ଉପୁଜିଛି। କହିବା ବାହୁଲ୍ୟରେ ଯେ ୟୁକ୍ରେନ୍‌ ହେଉଛି ଆମେରିକା ପଛକୁ ବିଶ୍ବର ସର୍ବବୃହତ୍‌ ତଥା ସବୁଠୁ ଲୋକପ୍ରିୟ ସରୋଗେସୀ ବ୍ୟବସାୟ କେନ୍ଦ୍ର। ଏଠାରେ ଶତାଧିକ ସରୋଗେସୀ କ୍ଲିନିକ ବ୍ୟବସାୟ ଚଳାଇଛନ୍ତି। ଏଠାରେ ସରୋଗେସୀ ମାଧ୍ୟମରେ ବାର୍ଷିକ ଦୁଇରୁ ଅଢ଼େଇ ହଜାର ଶିଶୁ ଜନ୍ମ ହୋଇଥାଆନ୍ତି। ଏଥିପାଇଁ ଉଦ୍ଦିଷ୍ଟ କ୍ଲିନିକଗୁଡ଼ିକରେ ପ୍ରାୟ ୮୦୦ ଗର୍ଭବତୀ ଯେ କୌଣସି ସମୟରେ ଦେଖିବାକୁ ମିଳନ୍ତି। ଅପରପକ୍ଷରେ ନିଜ ଶିଶୁଙ୍କୁ ଚାହିଁ ରହିଥିବା ଶତାଧିକ ୟୁରୋପୀୟ ରାଷ୍ଟ୍ର, ଆମେରିକା, ଆୟାରଲାଣ୍ଡ, ଚୀନ୍‌, ଫ୍ରାନ୍ସ, ସ୍ପେନ୍‌, ଇଟାଲୀ, ଜର୍ମାନୀ, ବୁଲ୍‌ଗେରିଆ, ରୋମାନିଆ, ଅଷ୍ଟ୍ରିଆ, ମେକ୍ସିକୋ ଓ କାନାଡ଼ା ଭଳି ୧୨ଟି ଦେଶର ଦମ୍ପତି ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି। ଏହି ବ୍ୟବସାୟ ସହ ସମ୍ପୃକ୍ତ ଏଜେନ୍ସି ବା ସଂସ୍ଥାଗୁଡ଼ିକ ମଧ୍ୟ ବିପୁଳ କ୍ଷତି ଆଶଙ୍କାରେ ବୁଡ଼ି ରହିଛନ୍ତି। କିଭ୍‌ସ୍ଥିତ ଅଗ୍ରଣୀ ସରୋଗେସୀ କ୍ଲିନିକ ‘ବାୟୋ ଟେକ୍ସକମ୍‌’ ପକ୍ଷରୁ ସ୍ବତନ୍ତ୍ର ଭାବେ ଯୁଦ୍ଧ ଆଶ୍ରୟସ୍ଥଳ ନିର୍ମାଣ କରାଯାଇ ସେଠାରେ ପ୍ରାୟ ୨୦୦ ଗର୍ଭବତୀ ଓ ନବଜାତଙ୍କୁ ରଖାଯାଇଛି। ପରିସ୍ଥିତି ହୃଦୟଙ୍ଗମ କରି ଆୟାରଲାଣ୍ଡ ପକ୍ଷରୁ ୟୁକ୍ରେନ୍‌ର ୪୦୦ ଏଭଳି ଗର୍ଭବତୀଙ୍କ ଥଇଥାନ ପାଇଁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି।

ୟୁକ୍ରେନ୍‌ରେ ୨୦୦୨ରୁ ସରୋଗେସୀ ସେବାକୁ ଆଇନସିଦ୍ଧ କରାଯିବା ପରେ ଏହା ବଡ଼ ଧରଣର ବ୍ୟବସାୟରେ ପରିଣତ ହୋଇଛି। ବିଶେଷକରି ୨୦୧୫ରେ ଥାଇଲାଣ୍ଡ, ନେପାଳ ଓ ଭାରତ ଏହାକୁ ବେଆଇନ ଘୋଷଣା କରିବା ପରେ ୟୁକ୍ରେନ୍‌ରେ ବ୍ୟବସାୟ ଆକାଶ ଛୁଆଁ ହୋଇଛି। ଗୋଟିଏ ଗର୍ଭଧାରଣ ପାଇଁ ୟୁକ୍ରେନ୍‌ ମହିଳା ୧୧ହଜାର ଡଲାର ସହିତ ମାସିକ ୨୫୦ ଡଲାର ଭତ୍ତା ପ୍ରାପ୍ୟ ଦାବି କରିଥାଆନ୍ତି। ଏହା ୟୁକ୍ରେନ୍‌ର ସରକାରୀ କର୍ମଚାରୀଙ୍କ ଦରମାର ତିନିଗୁଣ ଅଧିକ। ମୋଟ୍‌ ଉପରେ ଦେଖିବାକୁ ଗଲେ ଗୋଟିଏ ଶିଶୁ ପାଇଁ କୌଣସି ଦମ୍ପତିଙ୍କୁ ପ୍ୟାକେଜ୍‌ ଆକାରରେ ୩୦ରୁ ୫୦ହଜାର ଡଲାର ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏହି ପରିମାଣ ଆମେରିକାରେ ୮୦ରୁ ୧ଲକ୍ଷ ୨୦ହଜାର ଡଲାର। ଭାରତୀୟ ମୁଦ୍ରାରେ ଆମେରିକାର ଗୋଟିଏ ସରୋଗେସୀ ସନ୍ତାନ ପାଇବା ପାଇଁ ଦମ୍ପତିଙ୍କୁ ୭୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବାବେଳେ ୟୁକ୍ରେନ୍‌ରେ ଏହା ୪୦ଲକ୍ଷ ଟଙ୍କା ମଧ୍ୟରେ ହୋଇଥାଏ। ସେଥିପାଇଁ ୟୁକ୍ରେନ୍‌ ସରୋଗେସୀର ବଡ଼ ବଜାର ପାଲଟିଯାଇଛି। ୟୁକ୍ରେନ୍‌ର ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ମହିଳାମାନେ ଏହି ବ୍ୟବସାୟରେ ଅଧିକ ସଂଖ୍ୟାରେ ସାମିଲ ହୋଇଥାଆନ୍ତି। ଏହି ମହିଳାମାନେ ଅନେକ ସମୟରେ କ୍ଲିନିକ ଦ୍ବାରା ବ୍ୟବସାୟର ସାମଗ୍ରୀ ଭାବେ ଶୋଷଣର ସମ୍ମୁଖୀନ ହେଉଥିବାବେଳେ ସେମା​‌ନଙ୍କ ଅବସ୍ଥା ଅତି ଦୟନୀୟ ବୋଲି କୁହାଯାଏ। ସେମାନଙ୍କର ଉପଯୁକ୍ତ ଡାକ୍ତରୀ ତଥା ମାନବୀୟ ଯତ୍ନ ମଧ୍ୟ ନିଆଯାଉ ନ ଥିବା ଅଭିଯୋଗ ହୋଇଆସୁଛି।

କରୋନା ମହାମାରୀ ସମୟରେ ସରୋଗେସୀ ମା’ମାନେ ନାହିଁ ନ ଥିବା ନିର୍ଯାତନା ଭୋଗୁଥିଲେ। ଏବେ ଏହାର ପୁନରାବୃତ୍ତି ଘଟିଛି। ଶହଶହ ମହିଳା ଅଯତ୍ନରେ କାଳ କାଟୁଥିବାବେଳେ ନବଜାତ ଶିଶୁମାନେ ଅନାଥ ଭଳି ପଡ଼ି ରହିଛନ୍ତି। ସେମାନଙ୍କୁ ନେବା ପାଇଁ ବାସ୍ତବ ବାପା-ମାଆ ପହଞ୍ଚିପାରୁ ନ ଥିବାବେଳେ ମହିଳାମ​ାନେ ପାରିଶ୍ରମିକ ପାଉ ନାହାନ୍ତି। ଏ ନେଇ ସେମାନେ ମୁହଁ ମଧ୍ୟ ଖୋଲିପାରୁ ନାହାନ୍ତି। ଏହି ସୁଯୋଗରେ ସରୋ​‌ଗେସୀକୁ ବିରୋଧ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ସେମାନଙ୍କୁ ସହାୟତା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି।

Comments are closed.