ୟୁକ୍ରେନରୁ ଶସ୍ୟ ଚୋରାଉଛି ରୁଷ୍
କିଭ୍/ୱାଶିଂଟନ: ରୁଷ ସୈନ୍ୟମାନେ ୟୁକ୍ରେନର ବିଭିନ୍ନ ସ୍ଥାନ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ତାହାର ଆଢୁଆଳରେ ଦେଶର ଶସ୍ୟାଗାରଗୁଡିକରୁ ବିପୁଳ ପରିମାଣରେ ଖାଦ୍ୟଶସ୍ୟ ଚୋରି କରୁଥିବାର ବଳିଷ୍ଠ ପ୍ରମାଣ ରହିଥିବା ଆମେରିକା ଦାବି କରିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଳିଙ୍କେନ କହିଛନ୍ତି, ରୁଷ ସେଠାରୁ ଶସ୍ୟ ଚୋରିକରି ଅନ୍ୟତ୍ର ବିକ୍ରି କରି ସେଥିରୁ ନିଜେ ଲାଭ ଉଠାଇବାକୁ ପ୍ରୟାସ କରୁଛି। ଏଥିସହିତ ରୁଷ ସୈନ୍ୟମାନେ ଦଖଲ କରୁଥିବା କୃଷିକ୍ଷେତ୍ର ଓ ଶସ୍ୟାଗାରଗୁଡିକରେ ବିସ୍ଫୋରକ ଖଞ୍ଜୁଥିବା ଅଭିଯୋଗ ମଧ୍ୟ ବ୍ଳିଙ୍କେନ କହିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ସୈନ୍ୟମାନେ ମାରିଉପୋଲ ଛାଡିବା ସମୟରେ ଟନ୍ ଟନ୍ ପରିମାଣର ଗହମ, ମକା ଆଦିରେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି।
ଡନେସ୍କ ପିପୁଲ୍ସ ରିପବ୍ଲିକ (ଡିପିଆର) ଚେୟାରମ୍ୟାନଙ୍କ ପରାମର୍ଶଦାତା ୟାନ୍ ଗାଗିନ୍ କହିଛନ୍ତି ଯେ ମାରିଉପୋଲ ବନ୍ଦର ଆଖପାଖରେ ବିପୁଳ ପରିମାଣର ଗହମ ଓ ମକା ମହଜୁଦ ରହିଛି। ତେବେ ୟୁକ୍ରେନ ସୈନ୍ୟ ଏହି ବନ୍ଦର ନଗରୀ ଛାଡିବା ପୂର୍ବରୁ ସେଥିରେ ନିଆଁ ଲଗାଇ ଦେଇଥିବାରୁ ସେଥିରୁ ରକ୍ଷା ପାଇଯାଇଥିବାର କିଛି ଶସ୍ୟ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ସୋମବାର ଡୋନବାସ ଅଞ୍ଚଳରେ ୟୁକ୍ରେନ ସୈନ୍ୟଙ୍କ ପାଲଟା ଆକ୍ରମଣରେ ରୁଷ ସୈନ୍ୟବାହିନୀର ଜଣେ ମେଜର ଜେନେରାଲ ରୋମାନ କୁଯୁଜୋଭଙ୍କର ପ୍ରାଣହାନି ଘଟିଛି।
ଏହି ଯୁଦ୍ଧରେ ମୃତ୍ୟୁ ଘଟିଥିବା ସେ ରୁଷର ଏକାଦଶ ଜେନେରାଲ। ସେ ରୁଷର ୨୯ତମ କମ୍ବାଇନ୍ଡ ଆର୍ମିର ଚିଫ ଅଫ ଷ୍ଟାଫ ଥିଲେ। ୟୁକ୍ରେନ ଉପରେ ଫେବ୍ରୁଆରୀ ୨୪ରେ ଆକ୍ରମଣ ଆରମ୍ଭ କରିବା ଦିନଠାରୁ ରୁଷ ଇତିମଧ୍ୟରେ ତାହାର ୪୯ ଜଣ କର୍ଣ୍ଣେଲ ପାହ୍ୟା ଅଧିକାରୀଙ୍କୁ ମଧ୍ୟ ହରାଇ ସାରିଥିବା ୟୁକ୍ରେନ ଦାବି କରିଛି। ଏଥିସହିତ ଯୁଦ୍ଧରେ ରୁଷର ପ୍ରାୟ ୩୧ହଜାର ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ଏବଂ ୧୩୮୬ ଟ୍ୟାଙ୍କ, ୨୧୧ ବିମାନ ଓ ୧୭୬ ହେଲିକପ୍ଟର ଧ୍ୱଂସ ପାଇଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି।
ୟୁକ୍ରେନର ପୂର୍ବଭାଗରେ ଥିବା ସହର ସେଭରଡନେସ୍କରେ ଦେଶର ସୈନ୍ୟଙ୍କ ସ୍ଥିତି କିଛିଟା ଦୁର୍ବଳ ହୋଇପଡ଼ିଥିବା ଜଣାଯାଇଛି। ସେଠାରେ ଉଭୟ ପକ୍ଷ ମଧ୍ୟରେ ରାସ୍ତାରେ ଘମାଘୋଟ ଲଢେଇ ଚାଲିଛି। ଏଭଳି ପରିସ୍ଥିତିରେ ମାସକରୁ ଅଧିକ ସମୟ ପରେ ରୁଷ ସୈନ୍ୟମାନେ କିଭ୍ ଉପରେ ପୁଣି କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି। ଏଥିରେ ଆହତ ହୋଇଥିବା ସାଧାରଣ ନାଗରିକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ରୁଷ ଆକ୍ରମଣରେ ରେଳଡବା ମରାମତି କାରଖାନା ନଷ୍ଟ ହୋଇଯାଇଥିବାବେଳେ ୟୁରୋପୀୟ ରାଷ୍ଟ୍ରଗୁଡିକ ୟୁକ୍ରେନକୁ ଯୋଗାଇ ଦେଇଥିବା ଟ୍ୟାଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ଧ୍ୱଂସ ପାଇଥିବା ରୁଷ ଦାବି କରିଛି। ୟୁକ୍ରେନର ଜଣେ ସାଂସଦ ୟେଭହେନ ୟାକୋଭେଙ୍କୋଙ୍କୁ ଲାଞ୍ଚ କାରବାର ଓ ଦୁର୍ନୀତି ଅଭିଯୋଗରେ ମଲଡୋଭା ସୀମାନ୍ତ ପୋଲିସ ଅଟକ ରଖିଥିବା ଖବର ମିଳିଛି।
ୟୁକ୍ରେନର ମିକୋଲେଭ ଠାରେ ଥିବା ଦେଶର ଦ୍ୱିତୀୟ ବୃହତ ଶସ୍ୟାଗାରକୁ ରୁଷ ସୈନ୍ୟମାନେ କ୍ଷେପଣାସ୍ତ୍ର ମାଡକରି ଧ୍ୱଂସ କରିଦେଇଛନ୍ତି। ଏଥିସହିତ ରୁଷ ସୈନ୍ୟଙ୍କ ଦ୍ୱାରା ୟୁକ୍ରେନରେ ଯୌନ ଉତ୍ପୀଡନ ଏବଂ ମହିଳା ଓ ଯୁବତୀଙ୍କୁ ଚାଲାଣ କରାଯାଉଥିବା ଅଭିଯୋଗ ବୃଦ୍ଧିପାଇବାରେ ଲାଗିଛି। ଚଳିତ ମାସ ୩ ତାରିଖ ସୁଦ୍ଧା ଏହିଭଳି ୧୨୪ଟି ଲିଖିତ ଅଭିଯୋଗ ହସ୍ତଗତ ହୋଇଥିବା ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୟୁକ୍ରେନ ତାହାର ବ୍ୟବସାୟିକ ଯୋଗାଯୋଗ ନିମନ୍ତେ ଇଂରାଜୀ ଭାଷା ବ୍ୟବହାର କରିବାକୁ ଯୋଜନା କରୁଥିବା ଜଣାଇଛି।
Comments are closed.