ରୁଷ୍ ଦେଇ ଆସିବେ ଭାରତୀୟ – ‘ଅପରେସନ ଗଙ୍ଗାରେ ଭାରତୀୟ ବାୟୁସେନା ସାମିଲ
ତୁରନ୍ତ କିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦେଶ,ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ୟୁରୋପୀୟ ସଂସଦରେ ଜେଲେନ୍ସ୍କିଙ୍କ ସମ୍ବୋଧନ
ଆଜି ରୁଷ୍-ୟୁକେନ୍ ମଧ୍ୟରେ ପୁନଃ ହେବ ବାର୍ତ୍ତା
ଆମ ପାଇଁ ମହାଦେବଙ୍କୁ ପ୍ରାର୍ଥନା କରନ୍ତୁ: ୟୁକ୍ରେନ୍ ରାଷ୍ଟ୍ରଦୂତ
ଯୁଦ୍ଧର ୬ଷ୍ଠ ଦିନ: ରୁଷ୍ର ଆକ୍ରମଣ ତୀବ୍ର
ଭାରତୀୟ ଛାତ୍ର ମୃତ
କିଭ୍ (ୟୁକ୍ରେନ୍)/ନୂଆଦିଲ୍ଲୀ: ଖାର୍କିଭ୍ ଓ କିଭ୍ ସହରରେ ରୁଷ୍ ଆକ୍ରମଣକୁ ତୀବ୍ର କରିଛି। ଏହି ଦୁଇଟି ସହର ଉପରେ ରୁଷ୍ ସୈନ୍ୟମାନେ ଆକାଶ ମାର୍ଗ ସହ ଆଖିବୁଜା ତୋପ ବର୍ଷଣ କରିବାରେ ଲାଗିଛନ୍ତି। ରୁଷ୍ ସୈନ୍ୟ କ୍ରମାଗତ ରାଜଧାନୀ କିଭ୍ ଅଭିମୁଖେ ଅଗ୍ରସର ହେବାରେ ଲାଗିଛନ୍ତି। ରୁଷ୍ ସୈନ୍ୟମାନେ କିଭ୍ରୁ ୨୭ କିମି ଦୂରରେ ଥିବା ଏଣ୍ଟୋନଭ୍ ବିମାନ ଘାଟିକୁ ଦଖଲ କରି ଆଗକୁ ମାଡ଼ି ଚାଲିଥିବା ଉପଗ୍ରହ ପ୍ରେରଣ କରିଥିବା ଫଟୋରୁ ଜଣାପଡ଼ିଛି। ଏହି ରୁଷ୍ ସେନାର ଲମ୍ବ ପ୍ରାୟ ୪୦ କିମ.ି ବୋଲି ଫଟୋକୁ ବିଶ୍ଳେଷଣ କରିବା ପରେ ଜଣାପଡ଼ିଛି। ଏଥିରେ ଟ୍ୟାଙ୍କ, ଯୁଦ୍ଧାସ୍ତ୍ର ଗାଡ଼ି ଓ ପାଦ ଚଲା ସୈନ୍ୟ ଅଛନ୍ତି। ରୁଷର ଆକ୍ରମଣ ପରେ ୟୁକ୍ରେନକୁ ପଠାଯାଇଥିବା ଏହା ହେଉଛି ଦୀର୍ଘତମ ସାମରିକ କାରକେଡ । ଏହାପୂର୍ବରୁ ରୁଷର କାରକେଡର ଆକାର ସାଢେ ୪ କି.ମି ପର୍ୟ୍ୟନ୍ତ ଥିଲା। କିଭ୍ ସହରର ସମୂଳ ବିନାଶ ପାଇଁ ଏପରି ସୃର୍ବବୃହତ୍ ସେନା ରୁଷ୍ ପଠାଇଥିବା ବୁଝାପଡ଼ୁଛି। ସମୁଦାୟ ରୁଷ୍ ସେନାର ୭୫ ପ୍ରତିଶତ ୟୁକ୍ରେନ୍ରେ ପ୍ରବେଶ କରି ସାରିଥିବା ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପ୍ରକାଶ କରିଛି। କିଭ୍-ଓଖ୍ତରକା ସହର ମଧ୍ୟରେ ରୁଷ୍ ଓ ୟୁକ୍ରେନ୍ ସୈନ୍ୟଙ୍କ ମଧ୍ୟରେ ଘମାଘୋଟ ଲଢେଇରେ ୟୁକ୍ରେନ୍ର ୭୦ ଜଣ ସୈନ୍ୟ ସହିଦ୍ ହୋଇଥିବା ଜଣାପଡ଼ିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଡିମିର୍ ଜେଲେନ୍ସ୍କି ମଙ୍ଗଳବାର ସଂଧ୍ୟାରେ କିଭ୍ରେ ଥାଇ ଭିଡିଓ ବାର୍ତ୍ତା ମାଧ୍ୟମରେ ୟୁରୋପୀୟ ସଙ୍ଘର ସଂସଦକୁ ସମ୍ବୋଧନ କରିଥିଲେ। ସେ ଭାଷଣ ଦେଉଥିବା ସମୟରେ ସଂଘର ଅଧ୍ୟକ୍ଷ ଉର୍ସଲା ବାନ ଡେର ଲିନ ଓ ଉପସ୍ଥିତ ସାଂସଦମାନେ ଛିଡ଼ା ହୋଇ ତାଲି ବଜାଇ ଥିଲେ। ଜେଲେନ୍ସ୍କି କହିଥିଲେ, ଆମେ ଆମ ମାତୃଭୂମିର ସୁରକ୍ଷା ପାଇଁ ଜୀବନକୁ ବାଜି ଲଗାଇଛୁ। ଆମେ ସ୍ବାଧୀନତାର ସହ ବଞ୍ଚିବାକୁ ଚାହୁଁ। ଆମକୁ ରୁଷ୍ ସୈନ୍ୟମାନେ ଘେରି ନେଇଛନ୍ତି। ୟୁକ୍ରେନ୍ବାସୀଙ୍କ ଏକତା ହିଁ ଆମକୁ ବିଜୟୀ କରିପାରିବ। ଆମେ ଦୃଢତାର ସହ ଲଢିବୁ ଓ ବିଜୟୀ ହେବୁ ା ଆମକୁ ତୁରନ୍ତ ୟୁରୋପୀୟ ସଙ୍ଘରେ ସାମିଲ୍ କରିବାକୁ ସେ ଅନୁରୋଧ କରିଥିଲେ। ଜେଲେନ୍ସ୍କି ୟୁକ୍ରେନ୍ ଭାଷାରେ ଭାଷଣ ଦେଉଥିଲେ ା ଯେତେବେଳେ ଜେଲେନ୍ସ୍କି ୟୁକ୍ରେନ୍ର ପିଲାମାନଙ୍କୁ ବଞ୍ଚାଇବା ପାଇଁ ସମଗ୍ର ବିଶ୍ବର ନେତାମାନଙ୍କୁ ଆକୁଳ ନିବେଦନ କରୁଥିଲେ ସେତେବେଳେ ଏହାକୁ ଇଂରାଜୀରେ ଲାଇଭ୍ ଅନୁବାଦ କରୁଥିବା ମହିଳା କାନ୍ଦି ପକାଇଥିଲେ ା ଏଥିପା ପାଇଁ ୫ ମିନିଟ୍ ପର୍ୟ୍ୟନ୍ତ ଭାଷଣକୁ ରୋକା ଯାଇଥିଲା। ୟୁରୋପୀୟ ସଙ୍ଘ ୟୁକ୍ରେନ୍ର ସଦସ୍ୟତା ଆବେଦନକୁ ଗ୍ରହଣ କରିଥିବା ସୂଚନା ମିଳିଛି।
ୟୁକ୍ରେନ୍-ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଛ’ ଦିନ ପୂରିଛି। ରୁଷ୍ର ଆକ୍ରମଣ କ୍ରମଶଃ ଭୟାନକ ହେବାରେ ଲାଗିଛି। ଇତି ମଧ୍ୟରେ ରୁଷ୍ ସୈନ୍ୟଙ୍କ ଗୁଳି ମାଡ଼ରେ ୟୁକ୍ରେନ୍ର ଖାର୍କିଭ୍ ସହରରେ ରହୁଥିବା ଜଣେ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି ା ମୃତ ଭାରତୀୟ ଛାତ୍ର ହେଉଛନ୍ତି କର୍ଣ୍ଣାଟକ ହାଭେରୀ ଜିଲାର ନବୀନ ଏସ.ଜି.। ତାଙ୍କ ବୟସ ୨୧ ବର୍ଷ । ସେ କିଛି ଖାଇବା ଜିନିଷ ଆଣିବା ପାଇଁ ବଙ୍କରରୁ ବାହାରି ବଜାରକୁ ଯାଇଥିବା ବେଳେ ରୁଷ୍ ସେନା ପକ୍ଷରୁ ଆଖିବୁଜା ଗୁଳି ଚାଳନା ହୋଇଥିଲା। ଘଟଣାସ୍ଥଳରେ ହିଁ ନବୀନଙ୍କ ମୃତ୍ୟୁ ଘଟିଥିଲା। ସେ ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିର ୪ର୍ଥ ବର୍ଷର ଛାତ୍ର ଥିଲେ । ଏକ ସପିଂ ସେଣ୍ଟର ନିକଟରେ ଖାଦ୍ୟ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଗୁଳି ଚାଳନା ହୋଇଥିଲା । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ୍ ବାଗ୍ଚୀ ଟ୍ୟୁଟ୍ ମାଧ୍ୟମରେ ଶୋକ ପ୍ରକାଶ କରି କହିଛନ୍ତି, ଗଭୀର ଦୁଃଖର ସହ ଆମେ ନିଶ୍ଚିତ କରୁଛୁ- ମଙ୍ଗଳବାର ସକାଳେ ଖାର୍କିଭରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମନ୍ତ୍ରଣାଳୟ ତାଙ୍କ ପରିବାର ସହିତ ଯୋଗାଯୋଗରେ ଅଛି ।
ସମ୍ପୃକ୍ତ ଛାତ୍ରଙ୍କ ପରିବାର ପ୍ରତି ଆମେ ଗଭୀର ସମବେଦନା ବ୍ୟକ୍ତ କରୁଛୁ’। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନଙ୍କ ପରିବାରବର୍ଗଙ୍କ ନିକଟକୁ ଫୋନ କରି ଶୋକ ପ୍ରକାଶ କରିଛନ୍ତି। ନବୀନଙ୍କ ସହ ଛାତ୍ରାବାସରେ ରହୁଥିବା ଶ୍ରୀଧରନ୍ ଗୋପାଳକୃଷ୍ଣନ୍ ନାମକ ଅନ୍ୟ ଜଣେ ଭାରତୀୟ ଛାତ୍ର କହିଛନ୍ତି, ୟୁକ୍ରେନ୍ ସମୟ ସକାଳ ପ୍ରାୟ ସାଢେ ୧୦ଟାରେ ନବୀନ୍ ରେଶନ ଦୋକାନ ସମ୍ମୁଖରେ ଧାଡ଼ିରେ ଛିଡ଼ା ହୋଇଥିଲେ। ଏହି ସମୟରେ ରୁଷ୍ ସେନା ଧାଡ଼ିରେ ଛିଡ଼ା ହୋଇଥିବା ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ ା ଫଳରେ ଘଟଣାସ୍ଥଳରେ ନବୀନଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ପ୍ରଶାସନ ଆମକୁ ଡାକ୍ତରଖାନା ଯିବା ପାଇଁ ଅନୁମତି ଦେଉନାହାନ୍ତି। ଫଳରେ ତାଙ୍କ ମର ଶରୀର କେଉଁଠାକୁ ଗଲା ଆମେ ଜାଣିନାହୁଁ ବୋଲି ଶ୍ରୀଧରନ୍ କହିଛନ୍ତି। ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିବା ସହ ଅନ୍ୟ ଛାତ୍ରଙ୍କର ଯେପରି କ୍ଷୟକ୍ଷତି ନଘଟେ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଉଭୟ ରୁଷ୍ ଓ ୟୁକ୍ରେନ୍ ରାଷ୍ଟ୍ରଦୂତଙ୍କୁ ଡକାଇ ନିରାପଦ ଭାବେ ଭାରତୀୟ ଛାତ୍ରଙ୍କ ସ୍ବଦେଶ ଫେରାଇ ଆଣିବା ପାଇଁ ଆଲୋଚନା କରିଛନ୍ତି। ଭାରତୀୟ ଛାତ୍ରମାନଙ୍କ ୟୁକ୍ରେନ୍ର ଖାର୍କିଭ୍ ସହରରୁ ସୀମା ପାର ହୋଇ ରୁଷ୍ ଆସି ସେଠାରୁ ବିମାନଯୋଗେ ଭାରତ ଆସିବେ ବୋଲି ଜଣାପଡ଼ିଛି। ଭାରତୀୟ ନାଗରିକମାନେ ଯିଏ ଯେଉଁ ସ୍ଥିତିରେ ଅଛନ୍ତି ତୁରନ୍ତ ୟୁକ୍ରେନ୍ ଛାଡ଼ି ଚାଲିଯିବା ପାଇଁ କିଭ୍ସ୍ଥିତ ଭାରତୀୟ ଦୂତାବାସ ନିର୍ଦେଶ ଦେଇଛି। ୟୁକ୍ରେନ୍ରେ ଏବେ ସମସ୍ତ ପାଇଁ ଜୀବନ ବଞ୍ଚାଇବା ଦୁର୍ବିସହ ହୋଇପଡ଼ିଛି। ଏପରି ପରିସ୍ଥିତିରୁ ୟୁକ୍ରେନ୍ରେ ଥିବା ପାକିସ୍ତାନୀ ନାଗରିକମାନେ ଲାଭ ଉଠାଇବାରେ ଲାଗିଛନ୍ତି। ଏମାନେ ଭାରତୀୟ ଛାତ୍ରଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଲୁଟ୍ କରୁଥିବା ଖବର ମିଳିଛି। ପାକିସ୍ତାନ ସହ ନାଇଜେରିଆ ନାଗରିକମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଭାରତୀୟ ଛାତ୍ର। ଏମାନେ ଦେଶର ପତାକା ଧରି ଯା’ଆସ କରୁଥିବାରୁ ଭାରତୀୟ ମାନଙ୍କୁ ଚିହ୍ନିବା ସହଜ ହେଉଛି। ନିଜ ସୁରକ୍ଷାରେ ସୀମାରେ ପହଞ୍ଚିବାକୁ କିଭ୍ସ୍ଥିତ ଭାରତୀୟ ଦୂତାବାସ କାର୍ୟ୍ୟଳାୟ ଛାତ୍ରମାନଙ୍କୁ ନିର୍ଦେଶ ଦେଇଛି ା
ଏହା ସେମାନଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି। ଏପଟେ ବଙ୍କର ଅଥବା ଘରୁ ବାହାରିଲେ ଗୁଳି ଚାଳନା କରିବାକୁ ୟୁକ୍ରେନ୍ ସରକାର ନିର୍ଦେଶ ଦେଇଛନ୍ତି। ତେଣୁ ସେଠାରେ ଥିବା ଭାରତୀୟ ଛାତ୍ରମାନେ ସୀମା ପର୍ୟ୍ୟନ୍ତ କିପରି ଆସିବେ ଜାଣି ପାରୁ ନାହାନ୍ତି। ଅନ୍ୟପଟେ ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ସେପଟେ କେନ୍ଦ୍ରୀୟ ମନ୍ତ୍ରୀ ବି.କେ ସିଂହ ପୋଲାଣ୍ଡରେ ପହଞ୍ଚି ଭାରତୀୟ ଛାତ୍ରଙ୍କ ଫେରିବା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।
ଯୁଦ୍ଧରେ ଏପର୍ୟ୍ୟନ୍ତ ୫,୩୦୦ ରୁଷ୍ ସୈନିକ, ୧୫୧ ଟ୍ୟାଙ୍କ, ୨୯ ଯୁଦ୍ଧ ବିମାନ ଓ ୩୦ ଲଢୁଆ ହେଲିକପ୍ଟର ଧ୍ବଂସ କରିଦେଇ ଥିବା ୟୁକ୍ରେନ୍ ଦାବି କରିଛି। ସେହିପରି ୟୁକ୍ରେନ୍ରେ ୩୭୬ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜାତିସଂଘ ମାନବାଧିକାର ପରିଷଦ ପ୍ରକାଶ କରିଛି। ବିଶ୍ବର ଅଧିକାଂଶ ଦେଶ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ୟୁକ୍ରେନ୍କୁ ଯୁଦ୍ଧାସ୍ତ୍ର ପଠାଇବାରେ ଲାଗିଛନ୍ତି। ଏପରି ନକରିବାକୁ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍ ଧମକ ଦେଇଛନ୍ତି। ସେ କହିଛନ୍ତି, ଏହି ଯୁଦ୍ଧାସ୍ତ୍ର ରୁଷ୍ ବିରୋଧରେ ପ୍ରୟୋଗ କରାଗଲେ ଯୋଗାଇ ଦେଇଥିବା ଦେଶକୁ ଧ୍ବଂସ କରିଦିଆଯିବ। ଏହାବ୍ୟତୀତ ନାଟୋ ଓ ୟୁରୋପୀୟ ସଙ୍ଘକୁ ଧମକ ଦେଇ ସେ କହିଛନ୍ତି, ୟୁକ୍ରେନ୍କୁ କୌଣସି ସାମରିକ ସହାୟତା ଯୋଗାଇ ଦେଲେ ପରିଣାମ ଭୟାବହ ହେବ। ସେହିପରି ଫିନ୍ଲ୍ୟାଣ୍ଡ ଓ ସ୍ବୀଡେନ୍କୁ ନାଟୋରେ ସାମିଲ ନ ହେବା ପାଇଁ ଚେତାବନୀ ଦେଇଛନ୍ତି। ଯୁଦ୍ଧ ବନ୍ଦ କରି କୂଟନୈତିକ ଆଲୋଚନା ପାଇଁ ଜାତିସଙ୍ଘ ମାନବାଧିକାର ପରିଷଦ (ୟୁଏନ୍ଏଚଆରସି) ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବ ସପକ୍ଷରେ ୨୯, ବିପକ୍ଷରେ ୧୩ ଦେଶ ମତଦାନ କରିଥିବା ବେଳେ ୫ ରାଷ୍ଟ୍ର ଅନୁପସ୍ଥିତ ଥିଲେ। ସୂଚନାଯୋଗ୍ୟ ୟୁଏନ୍ଏଚଆରସିରେ ସମୁଦାୟ ୪୭ ସଦସ୍ୟ ରାଷ୍ଟ୍ର ଅଛନ୍ତି। ଅନ୍ୟପକ୍ଷରେ ଆମେରିକା ନିଜ ଦେଶରୁ ରୁଷ୍ର ୧୨ ଜଣ କୂଟନୀତିଜ୍ଞଙ୍କୁ ଦେଶ ଛାଡ଼ି ଚାଲିଯିବା ପାଇଁ ନିର୍ଦେଶ ଦେଇଛି। ରୁଷ୍-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜର ବିଶ୍ବସ୍ତ ଅଧିକାରୀଙ୍କୁ ତାଇୱନ ପଠାଇଛନ୍ତି। କିଛିଦିନ ପୂର୍ବେ ଚୀନ୍ର ଏକାଧିକ ଯୁଦ୍ଧ ବିମାନ ତାଇୱନ୍ ଆକାଶରେ ପଇଁତରା ମାରିଥିଲା।
ମାନବର ହିତକୁ ଦୃଷ୍ଟିରେ ରଖି ଭାରତ ୟୁକ୍ରେନ୍କୁ ଔଷଧ ଓ ଡାକ୍ତରୀ ଉପକରଣ ପଠାଇବାକୁ ନିଷ୍ପତ୍ତି ନେଇଥିବା ଜାତିସଂଘରେ ଭାରତର ପ୍ରତିନିଧି ଟି.ଏସ ତିରୁମୂର୍ତ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ମାନବ ଜୀବନକୁ ପ୍ରାଧାନ୍ୟ ଦେଇ ଆସିଛି। ଭାରତୀୟ ନାଗରିକଙ୍କୁ ୟୁକ୍ରେନ୍ରୁ ସ୍ବଦେଶରୁ ଫେରାଇ ଆଣିବା ଆମ ପାଇଁ ମୁଖ୍ୟ ଆହ୍ବାନ ପାଲଟିଛି। ‘ଅପରେସନ ଗଙ୍ଗା’ ମାଧ୍ୟମରେ ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଯୋଜନା ଚାଲିଛି। ଏହି ଅପରେସନରେ ଭାରତୀୟ ବାୟୁସେନାକୁ ସାମିଲ କରାଯାଇଛି। ଭାରତୀୟମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ତିରୁମୂର୍ତ୍ତି ୟୁକ୍ରେନ୍ର ସମସ୍ତ ପଡ଼ୋଶୀ ଦେଶକୁ ନିବେଦନ କରିଛନ୍ତି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସାମ୍ପ୍ରତିକ ପରିସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ୟୁକ୍ରେନ୍ର ଖାର୍କିଭ ଓ ଲଭିଭରେ ସହରରେ ଅନେକ ଭାରତୀୟ ଛାତ୍ର ଫସି ରହିଛନ୍ତି । ଏହି ଅଞ୍ଚଳ ପୋଲାଣ୍ଡର ସୀମାକୁ ଲାଗିଛି । ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ଫେବୃଆରୀ ୨୬ରୁ ‘ଅପରେସନ୍ ଗଙ୍ଗା’ ଆରମ୍ଭ କରିଛନ୍ତି। । ଏହି ଅଭିଯାନ ମାଧ୍ୟମରେ ଏପର୍ୟ୍ୟନ୍ତ ୨ ହଜାରରୁ ଅଧିକ ଭାରତୀୟଙ୍କୁ ଫେରାଇ ଅଣାଯାଇଛି । ଚୀନ ଉଦ୍ଧାର ଅଭିଯାନକୁ ବନ୍ଦ କରି ଦେଇଛି। ଭାରତ ଅପରେସନ୍ ଗଙ୍ଗା ଅଭିଯାନକୁ ଆଗକୁ ବଢାଇଛି। ଚୀନ୍ କୌଣସି ଯାତ୍ରା ଜନିତ ସତର୍କତା କିମ୍ବା ସହାୟତା କୌଶଳ ଜାରି କରିନାହିଁ ା ଅନ୍ୟପକ୍ଷରେ ଯୋଗାଯୋଗ ନମ୍ବର, ପରାମର୍ଶ ଏବଂ ସହାୟତା ପାଇଁ ଭାରତୀୟ ବୈଦେଶିକ ବିଭାଗ ସମସ୍ତ ବ୍ୟବସ୍ଥା କରିଛି। ୟୁକ୍ରେନ ଠାରେ ଚୀନ୍ ନାଗରିକଙ୍କ ଉପରେ ଆକ୍ରମଣ ହେଉଥିବାବେଳେ ଭାରତୀୟ ପତାକା ଥିବା ଗାଡ଼ିକୁ ସୁରକ୍ଷିତ ଯିବାକୁ ଦିଆଯାଉଛି। ଚୀନ ଆମେରିକା ଭଳି ଦେଶ ମଧ୍ୟ ଉଦ୍ଧାର ଅଭିଯାନକୁ କାର୍ୟ୍ୟକାରୀ କରିବାରେ ବିଫଳ ହୋଇଛି। ଅନ୍ୟ ପଡୋଶୀ ଦେଶ ଦେଇ ସ୍ୱଦେଶ ଫେରିବା ପାଇଁ ଅପେକ୍ଷା କରିଥିବା ଅନେକ ଆମେରିକୀୟ ନାଗରିକ ୟୁକ୍ରେନ ସୀମାରେ ଫସି ରହିଛନ୍ତି। ୟୁକ୍ରେନ ଠାରେ ଫସି ରହିଥିବା ନିଜ ନାଗରିକଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ସହଯୋଗ କରାଯାଇ ପାରିବ ନାହିଁ ବୋଲି ବିଟ୍ରେନ କହିଛି।
ସମଗ୍ର କିଭ୍ ସହରକୁ ଦଖଲ କରିବା ପାଇଁ ରୁଷ୍ ବଡ଼ ଧରଣର ରଣନୀତି ପ୍ରସ୍ତୁତ କରିଛି । ସାଧାରଣ ନାଗରିକ ତୁରନ୍ କିଭ୍ ଛାଡ଼ିବାକୁ ରୁଷ୍ର ପ୍ରତିରକ୍ଷା ମନ୍ତ୍ରୀ ନିବେଦନ କରିଛନ୍ତି। ତେଣୁ ଆଗାମୀ ୨୪ ଘଣ୍ଟା ଭିତରେ କିଭ୍ ଉପରେ ଆକ୍ରମଣକୁ ରୁଷ୍ ଜୋରଦାର କରିପାରେ ବୋଲି ଆଶଙ୍କା କରାଯାଉଛି । କେବଳ ପରମାଣୁ ବୋମାକୁ ଛାଡ଼ି ଅନ୍ୟ ସମସ୍ତ ପ୍ରକାର ବିପଜ୍ଜନକ ବୋମା ବର୍ଷଣ କରି ଚାଲିଛି ରୁଷ୍। ୟୁକ୍ରେନ୍ ବାୟୁସେନା ଘାଟି ଉପରେ ରୁଷ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର କିଭ୍ ଓ ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ତଥା ଦେଶର ବାଣିଜ୍ୟିକ ରାଜଧାନୀ ଖାର୍କିଭରେ ଜନବସତି ଅଞ୍ଚଳରେ ବୋମା ମାଡ଼ ହେଉଛି । ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ବିଶାଳକାୟ ଅଟ୍ଟାଳିକା ଭୁଶୁଡ଼ିବା ସହ ଆକାଶରେ ନିଆଁ ଏବଂ ଧୂଆଁ ଦେଖିବାକୁ ମିଳୁଛି । ଏଥି ସହିତ ଘର, ସ୍କୁଲ ଏବଂ ଡାକ୍ତରଖାନା ଉପରେ ବୋମା ମାଡ଼ ହେଉଛି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବନ୍ଦର ମାରିଅପୋଲରେ ପରିସ୍ଥିତି ଅସ୍ତବ୍ୟସ୍ତ ହୋଇପଡିଛି । ୟୁକ୍ରେନର ରାଜଧାନୀ କିଭ୍ ସ୍ଥିତି ଧୀରେଧୀରେ ବିଗିଡିବାରେ ଲାଗିଛି। ଏହା ମଧ୍ୟରେ ଅନେକ ଭାରତୀୟ ସେଠାରେ ଫସିରହିଥିବା ଭାରତୀୟ ଦୂତାବାସ ପ୍ରକାଶ କରିଛି। ଟ୍ରେନ ହେଉ କି କୌଣସି ବି ଯାନବାହନଟ୍ଟ ତା ସାହାଯ୍ୟରେ ତୁରନ୍ତ କିଭ୍ ଛାଡି ସୀମା ନିକଟକୁ ଆସିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି। ରୁଷର ସେନା ଦ୍ରୁତ ଗତିରେ କିଭ୍ ଆଡକୁ ଅଗ୍ରସର ହେବାରେ ଲାଗିଛନ୍ତି। ବ୍ରିଟେନ ଗଣମାଧ୍ୟମ ‘ଡେଲି ମେଲ’ ଅନୁଯାୟୀ, ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ହତ୍ୟା କରିବା ପାଇଁ ରୁଷ୍ ୱାଗନର ଗ୍ରୁପର ୪୦୦ ସଦସ୍ୟଙ୍କୁ ଆଫ୍ରିକାରୁ ୟୁକ୍ରେନକୁ ଆଣିଛି। ୱାଗନର୍ ଗ୍ରୁପ୍ ତାଲିକାରେ ରାଷ୍ଟ୍ରପତି ଜେଲେନ୍ସ୍କି, ୟୁକ୍ରେନର ରାଜଧାନୀ କିଭ୍ ମେୟର ଭିଟାଲୀ କ୍ଲିଚ୍କୋ ଓ ତାଙ୍କ ଭାଇ ସମେତ ପ୍ରାୟ ୨୩ ଜଣଙ୍କ ନାଁ ସାମିଲ ଅଛି। ଏହି ଗ୍ରୁପ ପୂର୍ବରୁ ରୁଷ ପାଇଁ ଅନେକ ଭୟାନକ କାମ କରିଛନ୍ତି। କ୍ରିମିୟା ଓ ସିରିଆରେ ମଧ୍ୟ ରୁଷ ଏହି ଗ୍ରୁପ୍କୁ ଲଗାଇ ଥିଲା। ୱାଗନର ଗ୍ରୁପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅତି ନିକଟତର ବୋଲି କୁହାଯାଉଛି। ଛଅ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ବେଲାରୁଷ ସୀମାରେ ରୁଷ ଓ ୟୁକ୍ରେନ ମଧ୍ୟରେ ଆହୂତ ବୈଠକ ନିଷ୍ଫଳ ହୋଇ ସାରିଛି । ଯୁଦ୍ଧରେ ବିରାମ ନେଇ କୌଣସି ନିଷ୍କର୍ଷ ବାହାରିନଥିବା ବେଳେ ପରମାଣୁ ଆକ୍ରମଣକୁ ନେଇ ଆକଳନ କଲେଣି ବିଶେଷଜ୍ଞ। ବୁଧବାର ରୁଷ୍-ୟୁକ୍ରେନ୍ ମଧ୍ୟରେ ପୁନଃ ଶାନ୍ତି ଆଲୋଚନା ହେବ ବୋଲି ଖବର ସରବରାହ ସଂସ୍ଥା ରଏଟର ସୂତ୍ରରୁ ଜଣାପଡ଼ିଛି। ମହା ଶିବରାତ୍ରି ଅବସରରେ ଆପଣମାନଙ୍କ ଆରାଧ୍ୟ ଦେବାଧିଦେବ ମହାଦେବକୁ ଆମ ପାଇଁ ପ୍ରାର୍ଥନା କରିବାକୁ ଭାରତୀୟମାନଙ୍କୁ ନିବେଦ କରିଛନ୍ତି ନୂଆଦିଲ୍ଲୀସ୍ଥିତ ୟୁକ୍ରେନ୍ ରାଷ୍ଟ୍ରଦୂତ ଇଗୋର ପୋଲିଖା।
ଭାରତୀୟ…
Comments are closed.