ଭିନେସ୍ତିଆ ବିମାନ ବନ୍ଦର ଧ୍ବଂସ -ଜିଦ୍ରେ ଅଟଳ ପୁଟିନ୍, ବାରୁଦ ଗଦାରେ ୟୁକ୍ରେନ୍
କିଭ୍/ମସ୍କୋ/ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ ଯୁଦ୍ଧକୁ ରବିବାର ସୁଦ୍ଧା ୧୦ ଦିନ ପୂରିଛି। କ୍ରମାଗତ ରୁଷ୍ ତା’ର ଆକ୍ରମଣ ତୀବ୍ର କରୁଥିବାବେଳେ ୟୁକ୍ରେନ୍ ମଧ୍ୟ ୟୁରୋପୀୟ ରାଷ୍ଟ୍ର ଓ ନାଟୋର ପରୋକ୍ଷ ସହାୟତାରେ ରୁଷୀୟ ସେନାକୁ ଜୋରିଦାର ପ୍ରତିରୋଧ କରୁଛି। ଏଭଳି ସ୍ଥିତିରେ ରବିବାର ରୁଷ୍ର ଘନଘନ ରକେଟ୍ ମାଡ଼ରେ ୟୁକ୍ରେନ୍ର କେନ୍ଦ୍ରୀୟ-ପଶ୍ଚିମାଞ୍ଚଳର ରାଜଧାନୀ ଭେନେସ୍ତିଆରେ ଅବସ୍ଥିତ ବେସାମରିକ ବିମାନ ବନ୍ଦର ସଂପୂର୍ଣ୍ଣ ଧ୍ବଂସ ପାଇଯାଇଛି ଓ ବିମାନ ବନ୍ଦରଟି ଜଳିପୋଡି ଛାରଖାର ହୋଇଯାଇଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲେଡିମିର ଜେଲେନସ୍କି କହିଛନ୍ତି। ରୁଷ୍ ସେନା ୮ଟି କ୍ଷେପଣାସ୍ତ୍ର ମାଡ଼କରି ଏହାକୁ ନଷ୍ଟ କରିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ନିଜ ଜିଦ୍ରେ ଅଟଳ ରହିଛନ୍ତି। ଦାବି ପୂରଣ ହେଲେ ୟୁକ୍ରେନ୍ରେ ଯୁଦ୍ଧବିରତି ଘୋଷଣା କରାଯିବ ବୋଲି ସେ ପୁଣିଥରେ ସ୍ପଷ୍ଟ କରିଛନ୍ତି। ଏପରିକି ଆଇଏଇଏ ମଧ୍ୟସ୍ଥତାରେ ରୁଷ୍ ଓ ୟୁକ୍ରେନ୍ ଆଲୋଚନା ପାଇଁ ପୁଟିନ୍ ରାଜି ହୋଇଥିଲେ ମଧ୍ୟ ଏହା ଚେେର୍ଣ୍ଣାବିଲ୍ରେ ନ କରି ଅନ୍ୟ କୌଣସି ତୃତୀୟ ରାଷ୍ଟ୍ରରେ ଆଭାସୀ ଜରିଆରେ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।
ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍ରେ ଫସିରହିଥିବା ଭାରତୀୟ ଛାତ୍ର ଓ ନାଗରିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପ୍ରକ୍ରିୟା ’ଅପରେସନ୍ ଗଙ୍ଗା’ ଅବ୍ୟାହତ ରହିଛି। ଇତିମଧ୍ୟରେ ୭୬ଟି ଉଡାଣ ଜରିଆରେ ୧୫ ହଜାର ୯୨୦ରୁ ଅଧିକ ଭାରତୀୟ ଛାତ୍ର ଓ ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଅଣାଯାଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସୂଚନାନୁଯାୟୀ, ଗତକାଲି ୟୁକ୍ରେନ୍ରୁ ହଙ୍ଗେରୀ ସୀମାକୁ ଅଣାଯାଇଥିବା ୫,୨୮୦ ଛାତ୍ରଛାତ୍ରୀଙ୍କୁ ବୁଦାପେଷ୍ଟ ବିମାନ ବନ୍ଦରରୁ ସୁରକ୍ଷିତ ଭାରତ ଅଣାଯାଇପାରିଛି। ଆଜି ବିଳମ୍ବିତ ରାତିରେ ୫ଟି ବିମାନ ଜରିଆରେ ଆଉ ୮୯୦ ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ଓ ମୁମ୍ବଇ ବିମାନ ବନ୍ଦରରେ ପହଞ୍ଚାଯାଇଛି। ‘ଅପରେସନ୍ ଗଙ୍ଗା’ର ଅନ୍ତିମ ପର୍ଯ୍ୟାୟର ଉଦ୍ଧାର କାର୍ଯ୍ୟ ଚାଲିଛି। ଆସନ୍ତାକାଲି (ସୋମବାର) ସୁଦ୍ଧା ଆଉ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ୮ଟି ଉଡାଣ ଜରିଆରେ ଭାରତ ଅଣାଯିବାକୁ ଯୋଜନା କରାଯାଇଥିବା ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୮ଟି ସ୍ବତନ୍ତ୍ର ବିମାନ ମଧ୍ୟରୁ ବୁଦାପେଷ୍ଟରୁ ୫, ସୁଚେଭାରୁ ୨ଟି, ବୁକାରେଷ୍ଟରୁ ଗୋଟିଏ ବିମାନ ୧୫୦୦ରୁ ଅଧିକ ଭାରତୀୟଙ୍କୁ ଧରି ଉଡାଣ କରିବ।
ୟୁକ୍ରେନ୍ରୁ ସୁରକ୍ଷିତ ଉଦ୍ଧାର କରାଯାଇ ୪ଟି ପଡୋଶୀ ରାଷ୍ଟ୍ର ସୀମାରେ ରଖାଯାଇଥିବା ୨୧୦୦ ଭାରତୀୟଙ୍କୁ ଗତ ୨୪ ଘଣ୍ଟା ମଧ୍ୟରେ ଭାରତ ଫେରାଇ ଅଣାଯାଇଛି। ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ ଓ ପୋଲାଣ୍ଡ ଆଦି ପଡୋଶୀ ସୀମାରୁ ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ନେଇ ୪ ଜଣ କେନ୍ଦ୍ରୀୟ ମନ୍ତ୍ରୀ ଓ ବିଦେଶ ବ୍ୟାପାର ମନ୍ତ୍ରଣାଳୟ ପ୍ରତିନିଧି ମଣ୍ଡଳୀଙ୍କ ସମେତ ବାୟୁସେନା ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ୟୁକ୍ରେନ୍ର ଦ୍ବିତୀୟ ବୃହତ୍ ସହର ଖାର୍କିଭରେ ଏବେ ବି କିଛି ଭାରତୀୟ ଫସି ରହିଥିବାରୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଉଦ୍ୟମ ଚାଲିଛି।
ଏବେ ୟୁକ୍ରେନ୍ରେ ପାଣି ଓ ଖାଦ୍ୟ ସଙ୍କଟ ଗୁରୁତର ହୋଇଛି। ରୁଷ୍ ଏବେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ସହିତ ଜନବସତି ଉପରେ ମଧ୍ୟ ଆକ୍ରମଣ କରୁଥିବାରୁ ୟୁକ୍ରେନ୍ର ବିଭିନ୍ନ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି। ଲୋକେ ବିଭିନ୍ନ କୋଠାର ଭୂତଳ ଅଂଶ ଓ ଭୂତଳ ରେଳ ଷ୍ଟେସନ୍ ଭିତରେ ଆଶ୍ରୟ ନେଇଛନ୍ତି। ସେମାନଙ୍କ ଲାଗି ଖାଦ୍ୟ ଓ ପାନୀୟ ଜଳର ଗୁରୁତର ଅଭାବ ପରିଲକ୍ଷିତ ହୋଇଛି।
ଇତିମଧ୍ୟରେ ରୁଷ୍ ସେନାର ୟୁକ୍ରେନ୍ ରାଜଧାନୀ ଦଖଲ ଲାଗି ଆକ୍ରମଣ ଅଧିକ ପ୍ରଚଣ୍ଡ ହୋଇଛି। କିଭ୍ ଆଡ଼କୁ ରୁଷ୍ର ୬୪ କିଲୋମିଟର ଦୀର୍ଘ ସେନା କାଫିଲା ମାଡି ଆସୁଛି। ରବିବାର କିଭ୍ ଉପରେ ଉଡୁଥିବା ରୁଷ୍ର ଏକ ଲଢୁଆ ଯୁଦ୍ଧ ବିମାନକୁ ୟୁକ୍ରେନ୍ ପକ୍ଷରୁ ଖସାଇ ଦିଆଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନକ୍ସି ୟୁକ୍ରେନ୍କୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରିଛନ୍ତି। ରୁଷ୍ ସେନା ୟୁକ୍ରେନ୍ର ଦକ୍ଷିଣାଞ୍ଚଳ ସୀମାକୁ କୃଷ୍ଣ ସାଗରଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିବା ପାଇଁ ଯୋଜନା କରୁଥିବା ୟୁକ୍ରେନ୍ ନିରାପତ୍ତା ଅଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ ମାରିୟୁପୁଲରୁ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପ୍ରକ୍ରିୟା ବ୍ୟାହତ ହୋଇଛି। ଉଭୟ ସେନାର ଭୟରଙ୍କର ଆକ୍ରମଣ ଓ ପ୍ରତି ଆକ୍ରମଣ ଯୋଗୁଁ ଏହା ଅଧିକ ଭୟଙ୍କର ହୋଇପଡିଛି। ଅସୁରକ୍ଷିତ ପରିସ୍ଥିତି ଯୋଗୁଁ ମାନବିକ ଦୃଷ୍ଟିକୋଣରୁ ଏଠାରୁ ବିଭିନ୍ନ ରାଷ୍ଟ୍ରର ନାଗରିକମାନଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଗୁରୁତର ପ୍ରଭାବିତ ହୋଇଛି। ତେବେ ଏଥିପାଇଁ ଉଭୟ ରୁଷ୍ ଓ ୟୁକ୍ରେନ୍ ସେନା ପରସ୍ପରକୁ ଦୋଷାରୋପ କରିଛନ୍ତି। ଇଣ୍ଟରଫ୍ୟାକ୍ସ ଖବର ସରବରାହ ସଂସ୍ଥା ଓ ୟୁକ୍ରେନ୍ ୨୪ ଟେଲିଭିଜନ୍ ସୂଚନାନୁଯାୟୀ, ମାରିୟୁପୁଲରେ ଫସିଥିବା ବିଭିନ୍ନ ଦେଶର ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଏକ ସୁରକ୍ଷିତ କରିଡ଼ର ବ୍ୟବସ୍ଥା ଲାଗି ନିଷ୍ପତ୍ତି ହୋଇଥିଲା। ଏହି କରିଡ଼ରେ କିଛି ସମୟ ପାଇଁ ଉଭୟପକ୍ଷ ଏହି ପଥରେ ଅସ୍ତ୍ରବିରତି କରିବାକୁ ସମ୍ମତ ହୋଇଥିଲେ ମଧ୍ୟ ଏଠାରେ କ୍ରମାଗତ ବୋମାବର୍ଷା ଓ ରକେଟ୍ ମାଡ଼ ସହ ରାସ୍ତାରେ ଉଭୟ ପକ୍ଷରୁ ସେନାଙ୍କ ମୁକାବିଲା ସ୍ଥିତି ମାରିୟୁପୁଲରୁ ଉଦ୍ଧାର କାର୍ଯ୍ୟକୁ ପ୍ରଭାବିତ କରିଛି। ଏହି ବନ୍ଦର ସହରରେ ରୁଷ୍ ସେନା ୪୦ ହଜାରରୁ ଅଧିକ ବୋମାମାଡ଼ କରିଥିବା ୟୁକ୍ରେନ୍ ପକ୍ଷରୁ କୁହାଯାଇଛି। ରୁଷ୍ ଏବେ ୟୁକ୍ରେନ୍ର ଜନବସତି ଉପରେ ଅଧିକ ଆକ୍ରମଣ କରୁଥିବା ବ୍ରିଟେନ୍ ଗୁଇନ୍ଦା ସଂସ୍ଥା ସୂଚନା ଦେଇଛି। ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ ମଧ୍ୟ ଅନୁରୂପ ସୂଚନା ଦେଇଛନ୍ତି। ବିଶ୍ବ ସମୁଦାୟର ହସ୍ତକ୍ଷେପ ପରେ ପୁନର୍ବାର ଉଦ୍ଧାର କାର୍ଯ୍ୟକୁ ସ୍ବାଭାବିକ କରାଯାଇଛି। ବ୍ଲିଙ୍କେନ୍ କହିଛନ୍ତି ଯେ, ଆମେରିକା ଗୁଇନ୍ଦା ସଂସ୍ଥା ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍ରେ ନାଗରିକମାନଙ୍କୁ ହତ୍ୟା କରିବା ପାଇଁ ରୁଷ୍ ଷଡ଼ଯନ୍ତ୍ର କରି ସେଠାରେ ଯୁଦ୍ଧ ବିଦ୍ରୋହୀମାନଙ୍କୁ ଛାଡିଛି। ଏହି ପ୍ରସଙ୍ଗରେ ବ୍ଲିଙ୍କେନ୍ ମଧ୍ୟ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ୍ଙ୍କ ସହ ମଙ୍ଗଳବାର ପ୍ୟାରିସ୍ଠାରେ ଆଲୋଚନା କରିବେ।
ଅନ୍ୟପକ୍ଷରେ ରବିବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ଫ୍ରାନ୍ସ ପ୍ରତିପକ୍ଷ ମ୍ୟାକ୍ରନ୍ଙ୍କ ମଧ୍ୟରେ ଦୀର୍ଘ ଏକଘଣ୍ଟା ୪୫ ମିନିଟ୍ ଧରି ଟେଲିଫୋନ୍ରେ ଆଲୋଚନା ହୋଇଛି। ରୁଷ୍ ତୁରନ୍ତ ଆକ୍ରମଣ ବନ୍ଦ କରି ୟୁକ୍ରେନ୍ ସହ ଆଲୋଚନା କରିବାକୁ ମ୍ୟାକ୍ରନ୍ ପ୍ରତିପକ୍ଷ ପୁଟିନଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ୟୁକ୍ରେନ୍ ବିଦେଶମନ୍ତ୍ରୀ ଡ଼ିମିେତ୍ରା କୁଲେବା ଶନିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷ୍-ୟୁକ୍ରେନ୍ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସିଧାସଳଖ ପୁଟିନ୍ଙ୍କୁ ଭେଟି ଯୁଦ୍ଧବିରତି ପାଇଁ ବୁଝାଇବାକୁ କୁଲେବା ପୁନର୍ବାର ଅନୁରୋଧ କରିଛନ୍ତି। କୌଣସି ରାଷ୍ଟ୍ର ପାଇଁ ଯୁଦ୍ଧ ମଙ୍ଗଳକର ନୁହେଁ; ଏବଂ ବିଶେଷକରି ଭାରତ ସହ ୟୁକ୍ରେନ୍ର ଖାଦ୍ୟ ନିରାପତ୍ତା ଯୋଗାଣ ପ୍ରସଙ୍ଗ ରହିଥିବାରୁ ନୂଆଦିଲ୍ଲୀ ଏଦିଗରେ ଉଦ୍ୟମ କରୁ। ଯଦି ଯୁଦ୍ଧ ଚାଲୁ ରହେ, ତେବେ ଭାରତକୁ କୃଷି ଉତ୍ପାଦ ଯୋଗାଣ କରିବାରେ ୟୁକ୍ରେନ୍ ଅସମର୍ଥ ହେବ ଏବଂ ଏହା ଭାରତକୁ ପ୍ରଭାବିତ କରିବ ବୋଲି କୁଲେବା କହିଛନ୍ତି।
ସେହିଭଳି ତୁର୍କୀ ରାଷ୍ଟ୍ରପତି ତ୍ୟାୟିପ୍ ଏର୍ଡୋଗାନ୍ ମଧ୍ୟ ଟେଲିଫୋନ୍ କରି ପୁଟିନ୍ଙ୍କୁ ୟୁକ୍ରେନ୍ରେ ଯୁଦ୍ଧବିରତି ଘୋଷଣା କରି ଶାନ୍ତି ରାଜିନାମା ସ୍ବାକ୍ଷର କରିବାକୁ ନିବେଦନ କରିଛନ୍ତି। ମାତ୍ର ଯଦି ୟୁକ୍ରେନ୍ ଯୁଦ୍ଧ ବନ୍ଦ କରି ରୁଷ୍ର ଦାବିକୁ ଗ୍ରହଣ କରିନିଏ, ତେବେ କ୍ରେମ୍ଲିନ୍ ତା’ର ଶାନ୍ତି ଚୁକ୍ତି କରିବାକୁ ପ୍ରସ୍ତୁତ ରହିଛି ବୋଲି ପୁଟିନ୍ କହିଛନ୍ତି।
ଅନ୍ୟପକ୍ଷରେ ପୁଟିନ୍ କୌଣସି କଥା ନ ଶୁଣି ଯୁଦ୍ଧ ଜାରି ରଖିଥିବାରୁ ରୁଷ୍ ବିରୋଧରେ ମାନବିକ ଆଧାରରେ ଅଧିକ ତଥା କଠୋର କଟକଣା ଲଗାଇବାକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ପୁଟିନ୍ ମଧ୍ୟ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରସଘର କଠୋର କଟକଣାକୁ ଏକପ୍ରକାର ରୁଷ୍ ବିରୋଧରେ ଯୁଦ୍ଧ ଘୋଷଣା ସହ ସମାନ ବୋଲି କହିଛନ୍ତି। ରୁଷ୍ ମଧ୍ୟ ଏସବୁ ରାଷ୍ଟ୍ରଙ୍କ ବିରୋଧରେ କଠୋର କଟକଣା ଲଗାଇବ ବୋଲି ପୁଟିନ୍ ପାଲଟା ଧମକ ଦେଇଛନ୍ତି।
ୟୁକ୍ରେନ୍ ଉପରେ ଆକ୍ରମଣ ଯୋଗୁଁ ଆମେରିକାର ଅର୍ଥ ନେଣଦେଣକାରୀ ସଂସ୍ଥା ଭିସା ଓ ମାଷ୍ଟର କାର୍ଡର ଚଳାଚଳକୁ ବନ୍ଦ କରିଦେଇଛି। ତେଣୁ ରୁଷ୍ ବ୍ୟାଙ୍କ ଗୁଡିକ ପକ୍ଷରୁ ଜାରି ଏଭଳି ଭିସା ଓ ମାଷ୍ଟରକାର୍ଡ ଅନ୍ୟ ରାଷ୍ଟ୍ର ଗୁଡିକରେ ଅଚଳ ହୋଇପଡିବ ଓ ଏଥିରେ ଅର୍ଥ କାରବାର ହୋଇପାରିବନି ବୋଲି ଆମେରିକା ସୂଚନା ଦେଇଛି। ଏପରିକି ଏଟିଏମ୍ରେ ମଧ୍ୟ ଏସବୁ କାର୍ଡ କାର୍ଯ୍ୟ କରିବନି।
ୟୁକ୍ରେନ୍ ଉପରେ ରୁଷ୍ର ଏଭଳି ଆକ୍ରମଣ ଯୋଗୁଁ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ୟୁରୋପରେ ଏବେ ବୃହତ୍ ଶରଣାର୍ଥୀ ସମସ୍ୟା ସୃଷ୍ଟି ହେବାକୁ ଯାଉଥିବା ବେଳେ ଖାଦ୍ୟ ଯୋଗାଣ ବ୍ୟବସ୍ଥା ଗୁରୁତର ପ୍ରଭାବିିତ ହୋଇଥିବା କୁହାଯାଇଛି। ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଅବ୍ୟାବଧି ୧.୫ ନିୟୁତ ୟୁକ୍ରେନ୍ ନାଗରିକ ଦେଶ ଛାଡି ବିଭିନ୍ନ ପଡୋଶୀ ରାଷ୍ଟ୍ରରେ ପ୍ରବେଶ କରିସାରିଲେଣି। ଏମାନେ ବିଶେଷକରି ପୋଲାଣ୍ଡ, ସ୍ଲୋଭାକିଆ, ହଙ୍ଗେରୀ ଓ ରୋମାନିଆ ସମେତ ଅନ୍ୟାନ୍ୟ ରାଷ୍ଟ୍ରରେ ଶରଣ ନେଇଥିବା ଜଣାପଡିଛି।
ଇତିମଧ୍ୟରେ ୧୧ ହଜାର ରୁଷ୍ ସୈନ୍ୟ ଯୁଦ୍ଧରେ ନିହତ ହୋଇଥିବା ସହ ୪ଶହରୁ ଅଧିକ ଟ୍ୟାଙ୍କ୍, ୪୪ ଯୁଦ୍ଧ ବିମାନ ସହ ବହୁପରିମାଣର ଅସ୍ତ୍ରଶସ୍ତ୍ରକୁ ୟୁକ୍ରେନ୍ ସେନା ଧ୍ବଂସ କରିଦେଇଥିବା ଦାବି କରିଛି। ସେହିଭଳି ରୁଷ୍ ପକ୍ଷରୁ ୟୁକ୍ରେନ୍ର ୭୪୦ ଟ୍ୟାଙ୍କ୍ ସହ ବହୁସଂଖ୍ୟାରେ ଯୁଦ୍ଧବିମାନ ଓ ବ୍ୟାପକ ଅସ୍ତ୍ରଶସ୍ତ୍ର ଧ୍ବଂସ କରିଥିବା ମସ୍କୋ ଦାବି କରିଛି।
ଭିନେସ୍ତିଆ ବିମାନ…
Comments are closed.