www.samajalive.in
Thursday, December 11, 2025
26.1 C
Bhubaneswar

ୟୁକ୍ରେନ ଫେରନ୍ତା ଦୁଇ ଛାତ୍ରଙ୍କ ଛାତିଥରା ଅଭିବ୍ୟକ୍ତି -ବଙ୍କରରେ ବିତିଥିଲା ଦୁଇଦିନ

ବ୍ରହ୍ମପୁର(କାର୍ଯ୍ୟାଳୟ)/ ପୋଲସରା  ରହୁଥିବା ସ୍ଥାନଠାରୁ ମାତ୍ର କେଇ ମିଟର ପରିଧି ଭିତରେ ଅନବରତ ଶୁଭୁଥିଲା ଗୁଳିଗୋଳାର ଗର୍ଜନ। କ୍ଷେପଣାସ୍ତ୍ର ମାଡରେ ଦେହ ଶୀତେଇ ଯାଉଥିଲା। ଖାଇବାପିଇବା କଥା ବଭୂଲି କିପରି ଜୀବନ ବଞ୍ଚିଯିବ ସେହି ଆଶାରେ ବିତିଥିଲା ୩ରୁ ଚାରିଦିନ। ଭାରତ ଓ ରାଜ୍ୟ ସରକାରଙ୍କ ସହଯୋଗରେ ୟୁକ୍ରେନ ଛାଡିବାକୁ ପ୍ରସ୍ତୁତ ବେଳେ ବାଟରେ ୟୁକ୍ରେନ ସେନାର ନାଲିଆଖି ପୁଣି ଆମକୁ ଅଜଣା ଭୟ ଭିତରକୁ ନେଇ ଯାଇଥିଲା। ବହୁ ଅନୁନୟ ବିନୟ ପରେ ରୁମାନିଆ ସୀମାନ୍ତରେ ପହଞ୍ଚିବା ପରେ ଆଶ୍ବସ୍ତି ମିଳିଲା ବୋଲି ଯୁଦ୍ଧ ଉପଦ୍ରୁତ ୟୁକ୍ରେନରୁ ଆଜି ଘରକୁ ଫେରିଥିବା ଗଞ୍ଜାମ ଜିଲାର ଦୁଇଜଣ ଡାକ୍ତରୀ ଛାତ୍ର ସୁବ୍ରତ ପାଣିଗ୍ରାହୀ ଓ କେ.ଦେବାଶିଷ ପାତ୍ର କହିଛନ୍ତି।
ୟୁକ୍ରେନରେ ଫସି ରହିଥିବା ପୋଲସରା ଷଣ୍ଢ ସାହିର ଡାକ୍ତରୀ ଛାତ୍ର କେ.ଦେବାଶିଷ ପାତ୍ର ଶନିବାର ରାତିରେ ଘରେ ପହଞ୍ଚିଛନ୍ତି। ପୋଲରସା ବ୍ଲକ ବୁଢାମ୍ବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରଫାର୍ମାସିଷ୍ଟ ତଥା ପୋଲସରା ଷଣ୍ଢ ସାହି ବାସିନ୍ଦା କେ. ପ୍ରଦୀପ କୁମାର ପାତ୍ରଙ୍କ ସାନପୁଅ ଦେବାଶିଷ ୨୦୧୯ ମସିହାରେ ୟୁକ୍ରେନସ୍ଥିତ କ୍ୱିଭ୍ ଭେଷଜ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ଡାକ୍ତରୀ ଶିକ୍ଷା ଲାଭ କରିବା ସମୟରେ ମହାମାରୀ କରୋନା ଯୋଗୁଁ ୨୦୨୦ ମସିହା ଡିସେମ୍ବର ମାସରେ ଗ୍ରାମ କୁ ଫେରି ଆସିଥିଲେ। ଘରେ ରହି ଅନଲାଇନରେ ପଢାପଢି କରୁଥିଲେ। କରୋନା ପ୍ରକୋପ କମିବା ପରେ ଚଳିତ ବର୍ଷ ଫେବୃଆରୀ ମାସ ୮ ତାରିଖରେ ଦେବାଶିଷ ୟୁକ୍ରେନ୍ ଯାଇଥିଲେ। ଦେବାଶିଷ ୟୁକ୍ରେନରେ ପହଞ୍ଚିବାର ମାତ୍ର ଦୁଇ ସପ୍ତାହ ପରେ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା। ପୁଅକୁ ଉଦ୍ଧାର

କରିବାକୁ ବାପା ପ୍ରଦୀପ ଏବଂ ମା ସବିତା ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ । ଯୁଦ୍ଧ ଲାଗିବା ଠାରୁ ବାପା-ମା’ ଖାଇବା ପିଇବା ପ୍ରାୟ ଭୂଲି ଯାଇଥିଲେ। ଦିନରାତି ପୁଅ କଥା ଭାବି ଭାବି ପାଗଳ ପ୍ରାୟ ହୋଇ ଯାଇଥିଲେ। ପୁଅ ଘରକୁ ଫେରିବା ପରେ ବାପା ମା ଆଶ୍ୱସ୍ତ ହୋଇଛନ୍ତି। ଯୁଦ୍ଧ ଲାଗିବା ପରଠାରୁ ତାଙ୍କର ଅନୁଭୂତି ସମ୍ପର୍କରେ ବୁଝିବାରୁ ଦେବାଶିଷ କହିଛନ୍ତି ଯେ ଯୁଦ୍ଧ ଲାଗିବା ପରେ ସେ ଅତ୍ୟନ୍ତ ଭୟଭୀତ ହୋଇ ପଡିଥିଲେ। କ୍ୱିଭ୍ ସହରଠାରୁ ୪୫ କିଲୋମିଟର ଦୂରରେ ରୁଷିଆ ସୈନିକମାନେ ବୋମା ମାଡ କରିିବା ସମ୍ପର୍କରେ ଜାଣିବା ପରେ ଆହୁରି ଅଧିକ ଭୟଭୀତ ହୋଇ ପଡିଥିଲେ। ଫେବୃଆରୀ ୨୮ ତାରିଖରେ ସେ ଓ ତାଙ୍କର ସହପାଠୀଙ୍କୁ ଉଦ୍ଧାର କରି ରୋମାନିଆର ସୁଲେଭା ସୀମାକୁ ନେଇ ଆସିବା ପରେ ସେମାନେ ଶାନ୍ତିରେ ନିଃଶ୍ୱାସ ମାରିଥିଲେ। ରୁମାନିଆରେ ୪ ଦିନ ରହିବା ପରେ ଶୁକ୍ରବାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଆସିଥିଲେ। ସେଠାରୁ ଭୁବନେଶ୍ୱର ଆସିବା ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଗାଡିରେ ଗତକାଲି ରାତିରେ ସେ ଘରେ ପହଞ୍ଚିଥିଲେ ବୋଲି କହିଛନ୍ତି। ଦେବାଶିଷ ସହିତ ବ୍ରହ୍ମପୁର , ଛତ୍ରପୁର , ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ଲେଖାଏଁ ଛାତ୍ର ଏବଂ କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ବାଉଁଶିଆ ଗ୍ରାମର ଶ୍ରୀକାନ୍ତ ବିଶ୍ୱାଳ ଶନିବାର ନିଜ ନିଜ ଘରେ ପହଞ୍ଚିଥିବା ଦେବାଶିଷ କହିଛନ୍ତି।
ୟୁକ୍ରେନର ଭିନିସ୍ଥିଆସ୍ଥିତ ଭିନିସ୍ଥିଆ ଜାତୀୟ ଭେଷଜ ବିଶ୍ବବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ବ୍ରହ୍ମପୁରର ସୁବ୍ରତ ପାଣିଗ୍ରାହୀ ଗତକାଲି ରାତିରେ ଘରକୁ ଫେରିଛନ୍ତି। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ନିବାସୀ ମନୋଜ ପାଣିଗ୍ରାହୀ ଏବଂ ମା’ ପୁଲିସ ଏସଆଇ ଟୁନିଦେବୀଙ୍କ ପୁତ୍ର ସୁବ୍ରତ ୟୁକ୍ରେନର ଛାତିଥର ଯୁଦ୍ଧ ସମ୍ପର୍କରେ ବଖାଣିବା ବେଳେ ଏବେ ବି ସେ ଭୟାତୁର ଥିବା ଜଣାପଡିଥିଲା। ଯୁଦ୍ଧ ଆରମ୍ଭ ହେବାର ମାତ୍ର ତିନିଦିନ ପରେ ଫେବ୍ରୁଆରୀ ୨୪ରୁ ଦୁଇଦିନ ପାଇଁ ତାଙ୍କୁ ବଙ୍କରରେ ରହିବାକୁ ପଡିଥିଲା। ଭାରତ ଫେରିବାକୁ ଯୋଜନା କରି କିଛି ସହପାଠୀଙ୍କ ସହ ସେ ବସରେ ରୁମାନିଆ ସୀମାନ୍ତରେ ପହଞ୍ଚିଥିଲେ। ହେଲେ ୟୁକ୍ରେନ ସୀମାନ୍ତରେ ତାଙ୍କୁ ସହଜରେ ରୁମାନିଆରେ ପ୍ରବେଶ କରିବାକୁ ସେନାବାହିନୀ ସୁଯୋଗ ଦେଇନଥିଲେ। ଦିନକୁ ମାତ୍ର ୧୫ରୁ ୨୦ଜଣଙ୍କୁ ହିଁ ଛଡା ଯାଉଥିଲା। ଅନୁନନୟ ବିନୟ ପରେ ୨୮ ତାରିଖରେ ଏକାଥରକେ ୧୫ଶହ ଲୋକଙ୍କୁ ସୀମାନ୍ତ ଫାଟକ ଦେଇ ଯିବାକୁ ଅନୁମତି ମିଳିବା ପରେ ସେ ସେଥିରେ ସାମିଲ ହୋଇ ରୁମାନିଆରେ ପହଞ୍ଚିଥିଲେ। ସେଠାରୁ ଭାରତ ଓ ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟାରେ ସେ ଘରକୁ ଫେରିବାର ସୁଯୋଗ ପାଇପାରିଲେ ବୋଲି ସୁବ୍ରତ କହିଛନ୍ତି। ସୀମାନ୍ତରେ ୟୁକ୍ରେନ ସେନା ବାହିନୀ ଲୁହବୁହା ବାଷ୍ପପ୍ରୟୋଗ ଓ ଫାଙ୍କା ଗୁଳି ଚାଳନା କରି ଛାତ୍ରଛାତ୍ରୀଙ୍କୁ ଭୟଭୀତ କରିଥିଲେ ହେଁ ସେଭଳି କାହାକୁ ଆଘାତ ଦେଲା ଭଳି କାମ କରିନଥିଲେ ବୋଲି ସେ କହିଛନ୍ତି।
ବଙ୍କରରେ ବିତିଥିଲା…

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories