ବ୍ରିଟେନର କୋହଳ ଛାତ୍ର ଭିସାରୁ ଭାରତ ବଞ୍ଚିତ
ଲଣ୍ଡନ : ଇଂଲଣ୍ଡର ବିଶ୍ୱବିଦ୍ୟାଳୟରେ ପାଠ ପଢିବା ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କ ଲାଗି ଏଠାକାର ସରକାର ନୂଆ କରି କୋହଳ ଭିସା ନୀତି ପ୍ରଣୟନ କରିଛନ୍ତି। ଶୁକ୍ରବାର ବ୍ରିଟେନ ପାର୍ଲାମେଣ୍ଟରେ ଆଗତ ହୋଇଥିବା କୋହଳ ଭିସା ନୀତିରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆଯାଇଛି। ବ୍ରିଟେନରେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଟାୟାର ୪ ବର୍ଗର ଭିସା ଦିଆଯାଇଥାଏ। ଏହି ଭିସା ନିୟମରେ ଏବେ କୋହଳ ଅଣାଯାଇଛି। ଏହି କୋହଳ ନିୟମ ୨୫ଟି ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ବ୍ରିଟେନ ସରକାର ଲାଗୁ କରିବାକୁ ଘୋଷଣା କରିଛନ୍ତି। କୋହଳ ପାଇବାକୁ ଥିବା ଦେଶ ମଧ୍ୟରେ ଆମେରିକା, କାନାଡା, ନ୍ୟୁଜିଲାଣ୍ଡ, ଚୀନ, ବାହାରିନ ଓ ସର୍ବିଆ ଭଳି ଦେଶ ରହିଛନ୍ତି। ମାତ୍ର ଭାରତକୁ ଏହି ତାଲିକାରୁ ବାଦ୍ ଦିଆଯାଇଛି। ଅର୍ଥାତ କୌଣସି ଭାରତୀୟ ଛାତ୍ର ବ୍ରିଟେନ ବିଶ୍ୱବିଦ୍ୟାଳୟରେ ପାଠ ପଢିବା ଲାଗି ଛାତ୍ର ଭିସା ଆବେଦନ କଲେ ସେମାନଙ୍କ ପ୍ରତି କୌଣସି କୋହଳତା ପ୍ରଦର୍ଶନ କରାଯିବ ନାହିଁ। କୋହଳ ଭିସା ନିୟମରୁ ଭାରତ ବାଦ ପଡିବା ନେଇ ଏଠାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗୀ ତଥା ବ୍ରିଟେନ ଆନ୍ତର୍ଜାତିକ ଛାତ୍ର ବ୍ୟାପାର ପରିଷଦର ଅଧ୍ୟକ୍ଷ ଲର୍ଡ କରନ ବିଲିମୋରିଆ କହିଛନ୍ତି ଯେ ବ୍ରିଟେନ ସରକାରଙ୍କ ଏପରି ପଦକ୍ଷେପ ଭାରତ ପାଇଁ ଏକ ଅପମାନ। ଦ ନ୍ୟାସନାଲ ଇଣ୍ଡିଆନ ଷ୍ଟୁଡେଣ୍ଟସ୍ ଆଣ୍ଡ ଆଲମୁନି ୟୁନିୟନ (ଏନଆଇଏସଏୟୁ) ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ବ୍ରିଟେନ ବିଶ୍ୱବିଦ୍ୟାଳୟରେ ପାଠ ପଢିବା ଲାଗି ଭିସା ଆବେଦନ କରିବାକୁ ହେଲେ ସାଧାରଣତଃ ଶିକ୍ଷାଗତ ଯୋଗ୍ୟତା, ଆର୍ଥିକସ୍ଥିତି, ଇଂରାଜୀ ଭାଷା ଦକ୍ଷତାକୁ ଯାଞ୍ଚ କରାଯାଇଥାଏ। ନୂଆ ନିୟମ ଅନୁଯାୟୀ ଏହି ସବୁ ମାନଦଣ୍ଡରେ କୋହଳ ପ୍ରଦର୍ଶନ କରାଯିବ। ଜୁଲାଇ ୬ରୁ ନୂଆ ଭିସା ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ବ୍ରିଟେନର ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କୁ ଆକୃଷ୍ଟ କରିବା ଲାଗି ଭିସା ନିୟମରେ ପରିବର୍ତ୍ତନ ଅଣାଯାଇଛି।