ସିଙ୍ଗାପୁରରେ ପହଞ୍ଚିଲେ ଟ୍ରମ୍ପ-କିମ୍
ସିଙ୍ଗାପୁର : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ଶାସନ ମୁଖ୍ୟ କିମ୍ ଜଙ୍ଗ ଉନ୍ଙ୍କ ମଧ୍ୟରେ ମଙ୍ଗଳବାର ଏ୍ୟ÷ତିହାସିକ ସାକ୍ଷାତ ଆଲୋଚନା ହେବାକୁ ଯାଉଛି। ଏହି ସାକ୍ଷାତ ଆଲୋଚନା ଲାଗି ଉଭୟ ଟ୍ରମ୍ପ ଓ କିମ୍ ରବିବାର ସିଙ୍ଗାପୁରରେ ପହଞ୍ଚିଛନ୍ତି। ଆଜି ସକାଳେ କିମ୍ ଏୟାର ଚୀନ ବିମାନ ୭୪୭ ଯୋଗେ ପୋଙ୍ଗୟାଙ୍ଗରୁ ବାହାରି ସିଙ୍ଗାପୁରରେ ଓହ୍ଲାଇଥିଲେ। ସିଙ୍ଗାପୁର ବୈଦେଶିକ ମନ୍ତ୍ରୀ ବିଭିଆନ ବାଲକୃଷ୍ଣନ ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଚାଙ୍ଗି ବିମାନ ବନ୍ଦରରେ କିମ୍ଙ୍କ ସହିତ ବାଲକୃଷ୍ଣନ କରମର୍ଦ୍ଦନ କରିବାର ଫଟୋକୁ ସିଙ୍ଗାପୁର ସରକାର ଟୁଇଟ୍ କରିଛନ୍ତି। ବିମାନ ବନ୍ଦରରୁ ଉଭୟ କିମ୍ ଓ ବାଲକୃଷ୍ଣନ ମର୍ସିଡିଜ୍ ବେଞ୍ଚ ଲିମୋସିନରେ ରାଷ୍ଟ୍ରପତି ଭବନ ଅଭିମୁଖେ ଯାଇଥିଲେ। ସନ୍ଧ୍ୟାରେ କିମ୍ ସିଙ୍ଗାପୁର ରାଷ୍ଟ୍ରପତି ଲି ହେସିଏନ୍ ଲୁଙ୍ଗଙ୍କୁ ଭେଟିଥିଲେ। ଅନ୍ୟପଟେ କାନାଡାରେ ଚାଲିଥିବା ଜି୭ ସମ୍ମିଳନୀ ଶେଷ କରି ଟ୍ରମ୍ପ ତାଙ୍କ ଏୟାର ଫୋର୍ସ ୱାନ ବିମାନ ଯୋଗେ ସିଙ୍ଗାପୁରରେ ପହଞ୍ଚିଛନ୍ତି। କିମ୍ ସିଙ୍ଗାପୁରରେ ପହଞ୍ଚିବାର କିଛି ଘଣ୍ଟା ପରେ ଟ୍ରମ୍ପ ପହଞ୍ଚିଥିଲେ। ଏହି ସାକ୍ଷାତ ଆଲୋଚନା ହେବା ଲାଗି ସିଙ୍ଗାପୁର ସରକାର ଆବଶ୍ୟକ ବ୍ୟବସ୍ଥା କରିଛନ୍ତି। ବିଶେଷକରି ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।
ଅତୀତରେ ଦୁଇନେତା ଯୁଦ୍ଧର ନିକଟବର୍ତ୍ତୀ ହୋଇଥିବାବେଳେ ଏବେ ଶାନ୍ତି ଆଲୋଚନା ପାଇଁ ଏକାଠି ହେବାକୁ ଯାଉଛନ୍ତି। ତୁହାକୁ ତୁହା ପରମାଣୁ ପରୀକ୍ଷାକୁ ନେଇ ଉତ୍ତରକୋରିଆ ଜାତିସଂଘର ଅନେକ କଟକଣାର ସମ୍ମୁଖୀନ ହୋଇଛି। ଏହି ପରମାଣୁ ପରୀକ୍ଷାକୁ ନେଇ ଉତ୍ତର କୋରିଆ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଲାଗି ଆମେରିକା ଧମକ ଦେଇଥିଲା। ଏପରି କି ସମଗ୍ର ବିଶ୍ୱ ଉତ୍ତରକୋରିଆକୁ ଏକ ଘରକିଆ କରିଦେଇଥିଲେ। ଏବେ ଉତ୍ତରକୋରିଆ ପରମାଣୁ ପରୀକ୍ଷାରୁ ଓହରିଯିବା ସହିତ ଶାନ୍ତି କଥାବାର୍ତ୍ତା ଲାଗି ଆଗକୁ ବଢିଛି। ଟ୍ରମ୍ପଙ୍କ ସହିତ ସାକ୍ଷାତ ଆଲୋଚନା ପାଇଁ କିମ୍ ଆଗକୁ ବଢିବା ଏକ ବଡ ପଦକ୍ଷେପ ବିବେଚନା କରାଯାଇଛି। ଏହା ପୂର୍ବରୁ ଦକ୍ଷିଣ କୋରିଆ ସହିତ ଲାଗି ରହିଥିବା ତିକ୍ତତା ପ୍ରଶମିତ କରିବାରେ ଟ୍ରମ୍ପ ମଧ୍ୟସ୍ଥତା କରିଥିଲେ। କିମ୍ ଓ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ବିଶ୍ୱ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ବିବେଚନା କରାଯାଇଛି।