ଜନଜାତିଙ୍କ କଲ୍ୟାଣ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛୁ : ନବୀନ

0

ଭୁବନେଶ୍ୱର : ରାଜ୍ୟର ଜନଜାତି ଭାଇ ଭଉଣୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ନିଷ୍ପାର ସହ କାର୍ଯ୍ୟ କରୁଛନ୍ତି। ଗୁରୁପ୍ରିୟା ସେତୁ ହେଉ କି ଆଦିବାସୀ ହଷ୍ଟେଲ ବା କୋରାପୁଟରେ ମେଡିକାଲ କଲେଜ ଏସବୁର ସୁଫଳ ସେମାନେ ପାଇଛନ୍ତି। ଜନଜାତି ଭାଇଭଉଣୀଙ୍କ ନିକଟରେ ବିକାଶର ସୁଫଳ ପହଞ୍ଚିପାରିଛି। ସାଧାରଣତନ୍ତ୍ର ଦିବସ ଅବସରରେ ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳାର ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ଲୋକପ୍ରିୟ ଆଦିବାସୀ ମେଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନଜାତି ବର୍ଗର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ଏହି ମେଳାର ପ୍ରତିଟି ଷ୍ଟଲ ଜନଜାତି ଅଞ୍ଚଳର ବିକାଶର ସଫଳ କାହାଣୀ ବୋଲି ସେ ପ୍ରକାଶ କରିଥିଲେ।
ଏହି ଅବସରରେ ସେ କହିଥିଲେ, ଜନଜାତି କଳା ଓ ସଂସ୍କୃତିର ସୁରକ୍ଷା ଏବଂ ବିକାଶ ପାଇଁ ରାଜ୍ୟରେ ୯ଟି ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଆହୁରି ଆଗେଇ ନେବା ପାଇଁ ସରକାର ୯ଟି ଜନଜାତି ବହୁଳ ଜିଲାରେ ଜନଜାତି ସଂଗ୍ରହାଳୟ(ଟ୍ରାଇବାଲ ମ୍ୟୁଜିୟମ) ପ୍ରତିଷ୍ଠା କରିବାକୁ ସ୍ଥିର କରିଛନ୍ତି।
ଜନଜାତିଙ୍କ ମଧ୍ୟରେ ବହୁତ କ୍ଷୁଦ୍ର ଚାଷୀ ଅଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଦ୍ବାରା ସେମାନେ ଉପକୃତ ହେବେ। ଏହି ଯୋଜନାର ସମ୍ପୂର୍ଣ୍ଣ ସୁଯୋଗ ନେଇ ନିଜ ରୋଜଗାର ବଢ଼ାଇବାକୁ ସେ ଆହ୍ବାନ ଦେଇଥିଲେ। ଏଥିସହ ଚଳିତବର୍ଷର ଆଦିବାସୀ ମେଳା ତା’ର ଲୋକପ୍ରିୟତା ବଜାୟ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଜାତି ବର୍ଗଙ୍କ ପାଇଁ ୫୦୦ ଶଯ୍ୟା ବିଶିଷ୍ଟ ଠକ୍କର ବାପା ଛାତ୍ରାବାସର ଉଦଘାଟନ କରିଥିଲେ। ଆକାଂକ୍ଷା ଯୋଜନାରେ ୧୫କୋଟି ଟଙ୍କା ବ୍ୟୟରେ ଏହି ହଷ୍ଟେଲ ନିର୍ମାଣ କରାଯାଇଛି। ଭୁବନେଶ୍ବରରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ସେଠାରେ ରହି ପାରିବେ। ପୂର୍ବରୁ ଭୁବନେଶ୍ବରର ପୋଖରୀପୁଟରେ ଏକ ଛାତ୍ରୀ ନିବାସ ଏବଂ କଳିଙ୍ଗ ବିହାରରେ ଛାତ୍ରାବାସ ନିର୍ମିତ ହୋଇଛି। ଏବେ ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ହଷ୍ଟେଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବିଭାଗୀୟ ମନ୍ତ୍ରୀ ରମେଶଚନ୍ଦ୍ର ମାଝି କହିଛନ୍ତି।
ସୂଚନାଯୋଗ୍ୟ ଯେ ୧୯୫୧ ମସିହା ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ତତ୍କାଳୀନ ରାଜଧାନୀ କଟକରେ ଆଦିବାସୀ ମେଳାର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତରିତ ହେବା ପରେ ୧୯୫୪ ମସିହାରୁ ଭୁବନେଶ୍ବର ଆଦିବାସୀ ପଡ଼ିଆରେ ଏହା କରାଯାଉଥିଲା। ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ଏହା ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଉଛି। ସେହିପରି ଜନସାଧାରଣଙ୍କ ଆଗ୍ରହକୁ ଦେଖି ମେଳାର ସମୟ ଅବଧି ଏକ ସପ୍ତାହରୁ ୧୫ ଦିନକୁ ବୃଦ୍ଧି ପାଇଛି। ଏବର୍ଷ ଜାନୁଆରୀ ୨୬ରୁ ଆରମ୍ଭ ହୋଇଥିବା ଏହି ମେଳା ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳା ପରିସରକୁ ସାତଟି ବିଭାଗ ଯଥା ଆଦିବାସୀ ଗ୍ରାମ, ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଭାଗ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ସରକାରୀ ପ୍ରଭାଗ, ଆଦିବାସୀ ଖାଦ୍ୟ ବଜାର ଓ ଆଦିବାସୀ ନୃତ୍ୟ ପ୍ରାଙ୍ଗଣ ଆଦିରେ ବିଭକ୍ତ କରାଯାଇଛି।
ଚଳିତବର୍ଷ ମେଳାରେ ୧୮୦ଟି ଷ୍ଟଲ ନିର୍ମିତ ହୋଇଛି। ଆଦିବାସୀ ଗ୍ରାମରେ ୨୧ଟି ଆଇଟିଡିଏ ଏବଂ ୩ଟି ମାଇକ୍ରୋ ପ୍ରକଳ୍ପ ଦ୍ବାରା ନିର୍ମିତ ଜନଜାତିଙ୍କ ୨୪ଟି ଗୃହ ସହ ଉପକରଣ, ଚଳଣି ଓ ପରମ୍ପରାର ଝଲକ ରହିଛି। ଆଦିବାସୀ ହାଟରେ ୩୪ଟି ପିଣ୍ଡିରେ ଜଙ୍ଗଲଜାତ ସାମଗ୍ରୀ ବିକ୍ରିବଟାର ବ୍ୟବସ୍ଥା କରାଯାଇଛି। ସ୍ବୟଂ ସହାୟକ ଗୋଷ୍ଠୀର ୨୮ଟି ଷ୍ଟଲ, ସରକାରୀ ପ୍ରଭାଗରେ ୩୬ଟି ଓ ଚିତ୍ରକଳା ଓ ହସ୍ତଶିଳ୍ପ ପାଇଁ ୩୬ଟି ଷ୍ଟଲ ରହିଛି।
ଆଦିବାସୀ ମେଳା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ‘ଜୀବନ ସମ୍ପର୍କ ପ୍ରକଳ୍ପ’ ପୁସ୍ତିକା ଉନ୍ମୋଚନ କରିଥିଲେ। ରାଜ୍ୟରେ ସର୍ବାଧିକ ପ୍ରାଚୀନ ଜନଜାତି ବସବାସ କରନ୍ତି। ଦେଶରେ ୭୫ଟି ଜନଜାତି ସମୁଦାୟ ମଧ୍ୟରୁ ଓଡ଼ିଶାର ୧୨ଟି ଜିଲାରେ ୧୩ଟି ପ୍ରାଚୀନ ଜନଜାତି ସମୁଦାୟ ବାସ କରୁଛନ୍ତି। ୟୁନିସେଫ ସହାୟତାରେ ରାଜ୍ୟ ସରକାର ସେମାନଙ୍କ ପାଇଁ ଏହି ପ୍ରକଳ୍ପର ପରିକଳ୍ପନା କରିଛନ୍ତି। ଏହା ମାଧ୍ୟମରେ ରାଜ୍ୟ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର ଲାଭ ନେବା ପାଇଁ ଆଦିମ ଜନଜାତିଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ଏହାର ଲକ୍ଷ୍ୟ ବୋଲି ସୂଚନା ଦିଆଯାଇଛି। ଉଦଘାଟନୀ ଉତ୍ସବରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶଚନ୍ଦ୍ର ମାଝିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

kalyan agarbati
Leave A Reply