ବଢ଼ିଲା ଚର୍ଚ୍ଚା, ବାଘ ତଥ୍ୟ ଦେବାକୁ ବନ ବିଭାଗ ଅମଙ୍ଗ

ପାଟଣା : ପାଟଣା ଓ ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ରହିଛି। ଏକଥା ପ୍ରଥମେ ‘ସମାଜ’ରେ ଫେବୃଆରୀ ୩ ତାରିଖରେ ସ୍ପଷ୍ଟ କରାଯାଇଥିଲା । ଜାନୁୟାରୀ ଶେଷ ସପ୍ତାହରେ ଏହି ମହାବଳ ବାଘଟି ପାଟଣା ବନାଞ୍ଚଳ ଡୁମୁରିଆ ପଞ୍ଚାୟତ ଅଟେଇ ସଂରକ୍ଷିତ ଜଙ୍ଗଲ ରୋହିଣୀଦୁମା ଇଲାକାରେ ନିଜର ଉପସ୍ଥିତ ଜାହିର କରିଥିବା ପ୍ରମାଣ ମିଳିଥିଲା। ୨ ରୁ ୩ ଟି ମହିଁଷି ମାରିବା ସହ ଗୋଟିଏ ବାରହା ଶିକାର କରିବା ପରେ ବନ ବିଭାଗ ବାଘଟି ଉପରେ ନଜର ରଖିବା ଆରମ୍ଭ କରିଥିଲା । ଫେବୃୟାରୀ ୨ ସନ୍ଧ୍ୟାରେ ଜାମୁଳେଇବେଡା ହାଟରୁ ରୋହିଣୀଦୁମା ଗ୍ରାମକୁ ସାଇକେଲ ଯୋଗେ ଘରକୁ ଫେରୁଥିବା ଅନନ୍ତ ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ମହାବଳ ମାରି ଦେଇଥିବା ପ୍ରଚାର ହେବା ପରେ ବାଘକୁ ନେଇ ଚର୍ଚ୍ଚା ବଢିଥିଲା । ଏପରିକି ବନ ବିଭାଗ ବାଘର ପାଦ ଚିହ୍ନ ମଧ୍ୟ ଅନ୍ୟତ୍ର ଜଙ୍ଗଲରୁ ଠାବ କରିଥିଲା । ପରେ ପରେ ବନ ବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲରେ ପାଟଣା ବନାଞ୍ଚଳ ଇଲାକାରେ ଗଛରେ ୧୦ଟି ଟ୍ରାପ କ୍ୟାମେରା ଲଗାଇବା ସହ ଘଟଗାଁ ବନାଞ୍ଚଳ ଇଲାକାରେ ମଧ୍ୟ ଟ୍ରାପ କ୍ୟାମେରା ଲଗାଇଛି । ତେବେ ଅନନ୍ତ ମାଝୀଙ୍କ ମୃତ୍ୟୁ ବାଘ ଆକ୍ରମଣରେ ହୋଇଥିବାର ପ୍ରମାଣ ମିଳିନଥିବା ଓ ପୁଲିସ ଏହାକୁ ହତ୍ୟାକାଣ୍ଡ ମାନିବାକୁ ପ୍ରସ୍ତୁତି ନଥିବାରୁ ଏ ପର୍ଯ୍ୟନ୍ତ ଏହା ଅପମୃତ୍ୟୁ ମାମଲା ହୋଇ ରହିଛି। କ୍ୟାମେରାରେ ଫଟୋ ଆସିଲା କି ନାହିଁ ତାହାର ତଥ୍ୟ ବନ ବିଭାଗ ଗଣମାଧ୍ୟମକୁ ସୂଚନା ଅଥବା ଫଟୋ ଦେଉନଥିବାରୁ ଗଣ ମାଧ୍ୟମ ମଧ୍ୟ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣି ପାରିନାହିଁ । ସୋମବାର ଗଣ ମାଧ୍ୟମରେ ଏକ ବାଘର ଫଟୋ ଭାଇରାଲ ହେଉଥିବାବେଳେ ଫଟୋରେ ଏକ ଖୁଣ୍ଟ ଦେଖାଯାଉଥିବାରୁ ଏହି ସ୍ଥାନ ଚିହ୍ନଟ କରିବା ସହଜ ହୋଇ ଥିବାବେଳେ ବନ ବିଭାଗର ଅଧିକାରୀଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳୁ ନାହିଁ । ମେଲାଣ ନିକଟରେ ବାଘ ମହିଁଷି ମାରି ଖାଇଥିବା ଓ କାଦବାହାଳି ଗୁମ୍ଫା ନିକଟରେ ବାଘଟି ହୁଡ଼ିରେ ବସିଥିବା ଚର୍ଚ୍ଚା ହେଉଛି। ଏପରିକି ନିୟମିତ ବ୍ୟବଧାନରେ ରୋହିଣୀଦୁମା ଇଲାକାରେ ପ୍ରତି ସପ୍ତାହରେ ଗାଈ, ବଳଦ, ଛେଳି ଗୋଟିଏ ଗୋଟିଏ ନିଖୋଜ ହେଉଥିବାରୁ ଲୋକେ ବାଘ ଭୟରେ ଆଉ ସେମାନେ ଖୋଜିବାକୁ ଯାଉନଥିବା ପ୍ରକାଶ କରିବା ସହ କେବଳ ବାଘ ନୁହେଁ ବାଘୁଣୀ ମଧ୍ୟ ଅଟେଇ ଜଙ୍ଗଲରେ ଥିବା ସେମାନେ ସନ୍ଦେହ କରୁଛନ୍ତି। ଏତେ ସଂଖ୍ୟକ କ୍ୟାମେରା ଲଗାଇ ବାଘର ଉପସ୍ଥିତିକୁ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ତଥ୍ୟ ସାର୍ଵ ଜନୀନ କରାଯିବା ନିହାତି ଆବଶ୍ୟକ ଥିବାବେଳେ ବନାଞ୍ଚଳ ଓ ବନ୍ୟଜନ୍ତୁ ଅଧିକାରୀଙ୍କ ଠାରୁ ସ୍ପଷ୍ଟ ତଥ୍ୟ ନମିଳିବା ଓ ଭୁବେନେଶ୍ୱର ପିସିସିଏଫ ଗଣ ମାଧ୍ୟମରେ ବାଘର ଉପସ୍ଥିତିକୁ ସ୍ୱୀକାର କରିବା ପଛରେ ବନ ବିଭାଗର ଅସଲ ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଇଛି । ଏପରିକି ଅଟେଇ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଜାଣିଶୁଣି ଗୁପ୍ତରେ ବାଘ ଛାଡିଥିବା ଓ ପରିସ୍ଥିତି ନଜରରେ ରଖି ବ୍ୟାଘ୍ର ଅଭୟାରଣ୍ୟ କରାଯାଇପାରେ ବୋଲି ରୋହିଣୀଦୁମା ଓ ଆଖପାଖ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଗତ ୧୦ ବର୍ଷ ତଳେ ରୋହିଣୀଦୁମା ନିକଟ ବଣମହୁଲଡିହା ଜଙ୍ଗଲରେ ଏକ କାଳୀନ ୩ଟି ହାତୀ ମାରି ଶିକାରୀ ମାନେ ଦାନ୍ତ କାଟି ନେଇଯାଇଥିବାରୁ ଏହି ଜଙ୍ଗଲ ଉପରେ ସର୍ବଦା ଶିକାରୀ ମାନଙ୍କର ଲୋଲୁପ ଦୃଷ୍ଟି ରହିଛି। ବାଘର ଉପସ୍ଥିତି ପ୍ରଚାର ପରେ ଅଞ୍ଚଳବାସୀ ଭୟରେ ଥିବାବେଳେ ଶିକାରୀ ମାନଙ୍କ ଆଡୁ ବାଘଟି ପ୍ରତି ମଧ୍ୟ ଭୟ ରହିବା ଅସମ୍ଭବ ନୁହେଁ ବୋଲି ବୁଦ୍ଧିଜିବୀ ମାନେ ମତ ପ୍ରକାଶ କରିଛନ୍ତି।
prayash

Comments are closed.